ଭୁବନେଶ୍ବର: ହେ ପ୍ରଭୁ.. ବିଜେପିକୁ ଭଗବାନ ସଦ୍‌ବୁଦ୍ଧି ଦିଅନ୍ତୁ। ବିଜେପି ସରକାରକୁ ସଦ୍‌ବୁଦ୍ଧି ନ ଆସିଲେ ଏ ରାଜ୍ୟ ଧ୍ବଂସ ହୋଇଯିବ। ଓଡ଼ିଆ ଅସ୍ମିତା କଥା କହି ବିଜେପି ରାଜ୍ୟରେ କ୍ଷମତାକୁ ଆସିଛି। ତାହାର ପ୍ରତୀକ ହେଉଛନ୍ତି ପୁଲିସ ଡିଜି। ଡିଜି କହୁଛନ୍ତି ସମସ୍ତଙ୍କୁ ଗିରଫ କରିବେ। ତେଣୁ ହେ ପ୍ରଭୁ.. ବିଜେପି ସରକାରକୁ ସଦ୍‌ବୁଦ୍ଧି ଦିଅନ୍ତୁ ବୋଲି ରାଜଧାନୀର ଏକ ମନ୍ଦିରରେ ପୂଜାର୍ଚ୍ଚନା କରିବା ଅବସରରେ ଏହା କହିଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି। 

Advertisment

ବିଜେପି ସରକାରକୁ ଭଗବାନ ସଦ୍‌ବୁଦ୍ଧି ଦିଅନ୍ତୁ: ତାରା

ଆଜି ସକାଳେ କଂଗ୍ରେସର ସମସ୍ତ ନିଲମ୍ବିତ ବିଧାୟକ ମନ୍ଦିରରେ ଆହତ କର୍ମୀମାନଙ୍କ ପାଇଁ ପୂଜାର୍ଚ୍ଚନା କରିଛନ୍ତି। ସକାଳେ କଂଗ୍ରେସ ଭବନରୁ ଘଣ୍ଟ ବାଡ଼େଇ ବିଧାୟକମାନେ ମନ୍ଦିର ଅଭିମୁଖେ ବାହାରିଥିଲେ। ତାରା ଧୋତି ପିନ୍ଧି ହାତରେ ଘଣ୍ଟ ଧରି ଏହାର ନେତୃତ୍ବ ନେଇଥିଲେ। ତାରା କହିଛନ୍ତି ଯେ ଗତକାଲି ବିଧାନସଭା ଘେରାଉରେ ଦଳର ଅନେକ କର୍ମୀ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କର ଅସ୍ତ୍ରୋପଚାର ହେବ। ସେଥିପାଇଁ କଂଗ୍ରେସ ବିଧାୟକମାନେ ପୂଜାର୍ଚ୍ଚନା କରିଛନ୍ତି।

 ସେହିପରି ଅନ୍ୟ ବିଧାୟକମାନେ କହିଛନ୍ତି, ଯେଉଁ କଂଗ୍ରେସ କର୍ମୀ ଆହତ ହୋଇଛନ୍ତି ସେମାନେ ତୁରନ୍ତ ଠିକ୍ ହୋଇଯାଆନ୍ତୁ ବୋଲି ଠାକୁରଙ୍କୁ ଡାକିଛୁ। ଏହାସହ ସରକାରଙ୍କ ଯେଉଁ ମନମୁଖି ଶାସନ ଚାଲିଛି, ଏହାର ସମାପ୍ତି ପାଇଁ ପ୍ରଭୁ ଶ୍ରୀଜଗନ୍ନାଥ ଓ ଭୋଳାନାଥ ସେମାନଙ୍କୁ ଆଶୀର୍ବାଦ କରନ୍ତୁ। ବିଜେପି ନିର୍ଦ୍ଦେଶରେ ପୁଲିସ ଗତକାଲି କଂଗ୍ରେସ କର୍ମୀଙ୍କୁ ବାଡ଼େଇ ଲହୁଲୁହାଣ କରିଛି। ତେଣୁ ଠାକୁର ସେମାନଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ ବୋଲି ବିଧାୟକମାନେ କହିଛନ୍ତି।