ରାତି କାଟିଲେ କଂଗ୍ରେସ ବିଧାୟକ: ଭିତରେ ବିଧାୟକ, ବାହାରେ ନେତା, ମାର୍ଶାଲଙ୍କ ସହ ଧସ୍ତାଧସ୍ତିରେ କାଡ଼ାମଙ୍କ ହାତ ଫାଟିଲା

ରାଜ୍ୟରେ ମହିଳାଙ୍କ ସୁରକ୍ଷା ଓ ନ୍ୟାୟ ଦେବାକୁ ବିଧାନସଭା ଗୃହ କମିଟି ଗଠନ କରିବା ଦାବି କଂଗ୍ରେସ ପାଇଁ ଭା‌ରି ପଡ଼ିଛି। ଏହି ଦାବିରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ୭ଦିନ ପାଇଁ ନିଲମ୍ବିତ ହୋଇଥିଲେ।

ଅଦ୍ୟତନ ହୋଇଛି
Odisha assembly

Odisha assembly Photograph: (Sambad )

ଭୁବନେଶ୍ବର: ରାଜ୍ୟରେ ମହିଳାଙ୍କ ସୁରକ୍ଷା ଓ ନ୍ୟାୟ ଦେବାକୁ ବିଧାନସଭା ଗୃହ କମିଟି ଗଠନ କରିବା ଦାବି କଂଗ୍ରେସ ପାଇଁ ଭା‌ରି ପଡ଼ିଛି। ଏହି ଦାବିରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ୭ଦିନ ପାଇଁ ନିଲମ୍ବିତ ହୋଇଥିଲେ। ହେଲେ କଂଗ୍ରେସର ସ୍ବର କମିଲାନି, ବରଂ ବଢ଼ିଚାଲିଲା। ବିଧାୟକମାନେ ଘଣ୍ଟ, ଗିନି, ତୁରୀ ବଜାଇ ବିରୋଧ କରୁଥିଲେ। ବାଚସ୍ପତି ଓ ଉପବାଚସ୍ପତିଙ୍କ ତାଗିଦ୍‌ ନଶୁଣି ନିଜ ଜିଦ୍‌ରେ ଅଟଳ ଥିଲେ। ଶେଷରେ ଆଜି ଅପରାହ୍‌ଣରେ ବାଚସ୍ପତି କଂଗ୍ରେସର ୧୨ଜଣ ବିଧାୟକଙ୍କୁ ଚଳିତ ଅଧିବେଶନର ୭ଟି କାର୍ଯ୍ୟ ଦିବସ ଅର୍ଥାତ୍ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ନିଲମ୍ବନ କରି‌ଛନ୍ତି। ବାଚସ୍ପତିଙ୍କ ଏପରି କାର୍ଯ୍ୟାନୁଷ୍ଠାନ ଓଡ଼ିଶା ବିଧାନସଭା ଇତିହାସରେ କେବେ ଦେଖାଯାଇ ନଥିଲା। ବିରୋଧୀ ଦଳ ଏହାକୁ ଗଣତନ୍ତ୍ରର କଣ୍ଠରୋଧ କହି ବିରୋଧ କରିଥିଲା ବେଳେ ଶାସକ ଦଳ ଏହାକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇଛି। 

ଆଜି ପ୍ରଥମାର୍ଦ୍ଧରେ ବି କଂଗ୍ରେସ ବିଧାୟକମାନେ ଗୃହରେ ଘଣ୍ଟ, ତୁରୀ ବଜାଇ ହଟ୍ଟଗୋଳ କରିଥିଲେ। ଘଣ୍ଟ ଏତେ ଜୋର୍‌ରେ ବଜାଇଥିଲେ ଯେ ପ୍ରଶ୍ନକାଳ, ଶୂନ୍ୟକାଳ କିଛି ଚାଲିପାରିଲାନି। ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କଲେ, କିନ୍ତୁ କଂଗ୍ରେସ ବିଧାୟକଙ୍କ ଦାବି ପୂରଣ ନେଇ କିଛି ପ୍ରତିଶ୍ରୁତି ଦେଲେନି। ଅପରାହ୍‌ଣରେ ବି ସମାନ ତରିକାରେ କଂଗ୍ରେସ ବିଧାୟକମାନେ ଗୃହରେ ବିରୋଧ ପ୍ରଦର୍ଶନ କରିଥିଲେ। ସରକାରୀ ମୁଖ୍ୟ ସଚେତକ ସରୋଜ ପ୍ରଧାନ ପ୍ରସ୍ତାବ ଦେଇଥିଲେ ଯେ କଂଗ୍ରେସ ବିଧାୟକମାନେ ଗୃହରେ ବିଶୃଙ୍ଖଳା ଆଚରଣ କରୁଛନ୍ତି। ବାଚସ୍ପତିଙ୍କ ଆସନକୁ ଅପମାନିତ କରୁଛନ୍ତି। ତେଣୁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ବିଧାୟକ ସି.ଏସ୍‌ ରାଜନ ଏକ୍କା, ଦାସରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉଣ୍ଟା, କାଡ୍ରାକା ଆପାଲାସ୍ବାମୀ, ନୀଳମାଧବ ହିକ୍‌କା ଓ ସୋଫିଆ ଫିର୍ଦ୍ଦୋସଙ୍କୁ ଚଳିତ ଅଧିବେଶନର ଶେଷ ତଥା ୭ଟି କାର୍ଯ୍ୟ ଦିବସ ପାଇଁ ଗୃହରୁ ନିଲମ୍ବନ କରାଯାଉ। ଏହାପରେ ବାଚସ୍ପତି ସୁରମା ପାଢ଼ୀ ବାଚନିକ ଭୋଟ୍‌ରେ ଏହି ପ୍ରସ୍ତାବକୁ ପାରିତ କରିଥିଲେ। ଏହି ପ୍ରସ୍ତାବକୁ ବିଜେପି ସମର୍ଥନ କରିଥିବାବେଳେ ବିଜେଡି ବିଧାୟକମାନେ ନିରବ ରହିଥି‌େଲ।

ଏହା ପରେ ବାଚସ୍ପତି ଗୃହ କାର୍ଯ୍ୟ ଚଳାଇବାକୁ ଉଦ୍ୟମ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ, କୃଷି ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ବିଭିନ୍ନ କାଗଜ ଓ ରିପୋର୍ଟ ଉପସ୍ଥାପନ କରିଥିଲେ। ହେଲେ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ନିଷ୍ପତ୍ତିକୁ ବିରୋଧ କରି ଗୃହରେ ଧାରଣା ଦେବା ସହ ଘଣ୍ଟ ଓ ଗିନି ବଜାଇଥିଲେ। ଏହି ସମୟରେ ନିଲମ୍ବିତ ହୋଇନଥିବା କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଧାରଣାରେ ସାମିଲ୍ ହେବା ସହ ବିଧାୟକମାନଙ୍କ ସହ ଡବଲ୍‌ ଇଞ୍ଜିନ ଡାଉନ୍‌ ଡାଉନ୍, ମୋହନ ସରକାର ହାଏ ହାଏ, ଗୃହ କମିଟି ଆମର ଦାବି ନାରା ଦେଇ ଗୃହ କମ୍ପାଇଥିଲେ। ସ୍ଥିତି ଏପରି ହୋଇଥିଲା ଅପରାହ୍ଣରେ ଗୃହ ବିଭିନ୍ନ ପର୍ଯ୍ୟାୟରେ ୧୦ଥର ମୁଲତବୀ ହୋଇଥିଲା। ବାଚସ୍ପତି ନିଲମ୍ବିତ କଂଗ୍ରେସ ବିଧାୟକମାନଙ୍କୁ ଗୃହ ତ୍ୟାଗ କରିବାକୁ କହିଥିଲେ, ମାର୍ଶଲ ଏନେଇ ଜଣାଇବାକୁ କହିଥିଲେ। ଏହାପରେ ବି କଂଗ୍ରେସ ବିଧାୟକମାନେ ନହଟିବାରୁ ଆଜି ଆଲୋଚନା ହେବାକୁ ଥିବା କୃଷି ଓ କୃଷକ ସଶକ୍ତୀକରଣ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଖର୍ଚ୍ଚ ଦାବିକୁ ଆସନ୍ତା ୨୮ତାରିଖରେ ହେବାକୁ ଥିବା ଗିଲୋଟିନ୍‌କୁ ଗଲା ବୋଲି ଘୋଷଣା କରିଥିଲେ।

୧୨ କଂଗ୍ରେସ ବିଧାୟକ ନିଲମ୍ବିତ, ଗୃହ କମିଟି ଦାବିରେ ହଟ୍ଟଗୋଳ ମହଙ୍ଗା ପଡ଼ିଲା

ତାରା ଓ ରମେଶଙ୍କୁ ଛାଡ଼ି ସବୁ ବିଧାୟକ ନିଲମ୍ବିତ
ବିଜେଡି କହିଲା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ 
ଯାହା ହୋଇଛି ସଂପୂର୍ଣ୍ଣ ଠିକ୍: ବିଜେପି

ସେହିପରି କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କରାଯିବା ପ୍ରସଙ୍ଗରେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପଏଣ୍ଟ ଅଫ୍ ଅର୍ଡରରେ କହିଥିଲେ, ଗତ କିଛି ଦିନ ହେଲା କଂଗ୍ରେସ ଦଳର ବିଧାୟକମାନେ ଯେଉଁ ଆଚରଣ, ଉଚ୍ଚାରଣ କରୁଛନ୍ତି ଆମେ ତାକୁ ପସନ୍ଦ କରୁନୁ। କିନ୍ତୁ ବାଚସ୍ପତି ମ୍ୟାଡାମ ଆପଣ ଯେଉଁ କାର୍ଯ୍ୟାନୁଷ୍ଠାନ ନେଲେ ଗଣତନ୍ତ୍ରରେ ତାହା ସ୍ପୃହଣୀୟ ନୁହେଁ। ଏହା ଗଣତନ୍ତ୍ର ପାଇଁ ବିପଜ୍ଜନକ ସ୍ଥିତି ସୃଷ୍ଟି କରିବ। ଆପଣ ବିରୋଧୀଙ୍କ କଣ୍ଠରୋଧ କରିବାକୁ ଚାହୁଁଛନ୍ତି କି? ଏହି ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ। 

ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ, ଆମେ ଏହି ବାତାବରଣକୁ ନାପସନ୍ଦ କରୁଛୁ। ଗୃହ ସର୍ବଦା ବିରୋଧୀଙ୍କର। ସେମାନେ ଯେଉଁ ପ୍ରସଙ୍ଗ ଉଠାଇବେ ତାହା ଉପରେ ଆଲୋଚନା ହେବା ଦରକାର। ଆଜି ଶାସକ ଦଳ ପକ୍ଷରୁ ଯେଉଁ ବୈଠକ ହେଲା ତାହା ଯଦି ପ୍ରଥମ ଦିନରୁ ହୋଇଥାନ୍ତା ତେବେ ଏହି ପରିସ୍ଥିତି ଉପୁଜିନଥାନ୍ତା। ଆଜି ଯେଉଁ କାର୍ଯ୍ୟାନୁଷ୍ଠାନ ନେଲେ ତାହା ମନ୍ଦିରକୁ ମୁଖଶାଳା ବଢ଼ିଗଲା ଭଳି। ଗୃହର ନେତା ମୁଖ୍ୟମନ୍ତ୍ରୀଙ୍କୁ ଡାକି ସବୁ ଦଳର ନେତାଙ୍କ ଉପସ୍ଥିତିରେ ଏନେଇ ଆଲୋଚନା ହେଉ। କାରଣ ଏହି କାର୍ଯ୍ୟାନୁଷ୍ଠାନ ଅଧିକ ହୋଇଛି। ଏମିତି ନଜିର୍ ସୃଷ୍ଟି କରନି ଯେପରି ଆମକୁ ମୁଣ୍ଡ ନୁଆଁଇ ଚାଲିବାକୁ ପଡ଼ିବ। ଆପଣ ତାଙ୍କ କଥା ଶୁଣନ୍ତୁ। 

ଗଣେଶ୍ବର ବେହେରା କହିଥିଲେ, ଆମେ ଆଜି ଅତ୍ୟନ୍ତ ଦୁଃଖଦାୟକ ସ୍ଥିତିକୁ ସାମ୍ନା କରୁଛେ। ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ବିବାଦୀୟ ଅଧ୍ୟାୟ ହୋଇ ରହିବ। ଅପରାଧ ତୁଳନାରେ ଦଣ୍ଡ ବଢ଼ିଗଲା। ସେମାନେ ତ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଚାହୁଁଥିଲେ, ତୁମେ କାହିଁକି ଶୁଣିଲନି ଯେ ସେମାନେ ଗୃହ କମିଟି ଗଠନ କରିବା ଦାବି ପର୍ଯ୍ୟନ୍ତ ଗଲେ? ଗଣତନ୍ତ୍ରକୁ ସମ୍ମାନ ଦିଅନ୍ତୁ, ସୁସ୍ଥ ବାତାବରଣ ସୃଷ୍ଟି କରନ୍ତୁ।

ଶାସକ ଦଳ ପକ୍ଷରୁ ଇରାଶିଷ ଆଚାର୍ଯ୍ୟ କହିଥିଲେ, ଯାହା କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ସଂପୂର୍ଣ୍ଣ ଠିକ୍। କଂଗ୍ରେସ ବିଧାୟକଙ୍କ ସହ ୪ଥର ଆଲୋଚନା ହୋଇଛି। ଲୋକ ଆମକୁ ପଠାଇଛନ୍ତି ସେମାନଙ୍କ କଥା ଆଲୋଚନା ହେଉ। ସନାତନ ବିଜୁଳି ଓ ସିଦ୍ଧାନ୍ତ ମହାପାତ୍ର କହିଥିଲେ, କଂଗ୍ରେସ ବିଧାୟକମାନେ ଗତ ୭ଦିନ ହେଲା ଯେପରି ଘଣ୍ଟ, ତୁରୀ ବଜାଇ ବିରୋଧ କରୁଛନ୍ତି ଗୃହରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରୁନି। ଶାସକ ଦଳ କାହାର କଣ୍ଠରୋଧ କରୁନି, କଂଗ୍ରେସ ଦଳ ଜାଣିଶୁଣି ଭୁଲ୍ କରୁଛି।

ଗର୍ଜିଲା କଂଗ୍ରେସ

ଭୁବନେଶ୍ବର: ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ ଆଜି ୧୨ଜଣ କଂଗ୍ରେସ ବିଧାୟକଙ୍କୁ ୭ଦିନ ପାଇଁ ବିଧାନସଭାରୁ ନିଲମ୍ବିତ କରାଯାଇଛି। ଏହାକୁ ନେଇ କଂଗ୍ରେସ ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବିଧାନସଭା ବାହାରେ ଦଳର ଛାମୁଆ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏହି ଘଟଣାକୁ ନିନ୍ଦା କରାଯାଇଛି। ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି, ବିଧାନସଭା ଅଚଳ ହେଲେ ବିରୋଧୀ ଦଳଙ୍କ ସହ ଆଲୋଚନା କରି ସରକାର ଏହାର ସମାଧାନର ସୂତ୍ର ବାହାର କରିଥା’ନ୍ତି। ରାଜ୍ୟ ସରକାର ବିରୋଧୀ ଦଳ ସହ କଥା ହେଲେ ସତ ମାତ୍ର ସମାଧାନର ବାଟ ବାହାର କଲେନାହିଁ। ଗୃହ କମିଟି ଗଠନ କରିବା ପାଇଁ କଂଗ୍ରେସ ବିଧାୟକମାନେ ଦାବି କରିଆସୁଛନ୍ତି। ମାତ୍ର ସରକାର ଚାହିଁଲେ ନାହିଁ। ବିଧାନସଭାକୁ ସୁରୁଖୁରରେ ଚଳାଇବା ପାଇଁ ଚାହୁଁ ନାହାନ୍ତି। କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କରିବା ଘଟଣାରୁ ଏକଥା ସ୍ପଷ୍ଟ ହେଲା ଯେ ବିଧାନସଭାରୁ କଂଗ୍ରେସକୁ ବାହାର କରି ଗୃହକୁ ଚଳାଇବା ପାଇଁ ଚାହୁଁଛନ୍ତି।

ଓଡ଼ିଶାବାସୀ ବଡ଼ ନା ବିଧାୟକ-ସରକାର ବଡ଼? ଓଡ଼ିଶାର ଲକ୍ଷ ଲକ୍ଷ ମା’ ଭଉଣୀମାନେ ଯଦି ରାସ୍ତାକୁ ଓହ୍ଲାଇବେ ତାହେଲେ ସେମାନଙ୍କୁ କିଏ ରୋକିବ? ଆସନ୍ତା ୨୭ତାରିଖରେ ବିପ୍ଳବ ହେବ। ମହିଳା ନିର୍ଯାତନା ପ୍ରସଙ୍ଗରେ ଜନମତ କଂଗ୍ରେସ ଦଳ ସପକ୍ଷରେ ରହିଛି। ଓଡ଼ିଶାରେ ଅଣରାଜନୈତିକ ବ୍ୟକ୍ତିମାନେ କ୍ଷମତାରେ ବସିଛନ୍ତି। ଯଦି ରାଜନୈତିକ ବ୍ୟକ୍ତି ଶାସନ କ୍ଷମତାରେ ରହିଥାନ୍ତେ ତାହାଲେ ଗୃହ କମିଟି ଗଠନ କରି ଏହି ସମସ୍ୟାର ସମାଧାନ ହୋଇପାରିଥାନ୍ତା ବୋଲି ଶ୍ରୀ ଦାସ କହିଛନ୍ତି। 

ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ଏହା ଗଣତନ୍ତ୍ରର ହତ୍ୟା। ବିଧାନସଭା ଇତିହାସରେ କେବେ ହୋଇ ନ ଥିଲା। ମୋହନ ମାଝୀଙ୍କ ସରକାର ଆଜି ଇତିହାସ ସୃଷ୍ଟି କରିଛନ୍ତି। ଏହି ଅନ୍ୟାୟକୁ କଂଗ୍ରେସ କଦାପି ବରଦାସ୍ତ କରିବ ନାହିଁ। ବିଜେପି ବିରୋଧୀ ଦଳରେ ଥିବା ବେଳେ ବିଧାନସଭାରେ ଡାଲି ଓ ଜୋତା ଫିଙ୍ଗୁଥିଲେ। ତାହା କ’ଣ ଶୋଭନୀୟ ଥିଲା ? କଂଗ୍ରେସ ଦଳ ପ୍ରତିବାଦ ଜାରି ରଖିବ। ମୁଁ ଅନୁପସ୍ଥିତ ଥିବାରୁ ମତେ ନିଲମ୍ବନ କରିନାହାନ୍ତି। ନ ହେଲେ ମୁଁ ମଧ୍ୟ ନିଲମ୍ବିତ ହୋଇଥାନ୍ତି। ୨୭ତାରିଖ ଦିନ ବିଧାନସଭା ଘେରାଉ ଡାକରା ଦିଆଯାଇଛି। ଏଥିରେ ଭୟଭୀତ ହୋଇ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି। ନାରୀ ସୁରକ୍ଷା ଓ ଗୃହ କମିଟି ଗଠନ ପାଇଁ କଂଗ୍ରେସ ଦାବି କରିଆସୁଛି। କଂଗ୍ରେସର ସଂଖ୍ୟା କମ୍ ଥିଲେ ହେଁ ସ୍ବର ଅଧିକ ରହିଛି। ସରକାର ମୂକ ବଧିର ହୋଇଥିବାରୁ ଘଣ୍ଟ ମାଡ଼ ହେଉଥିବା ଶ୍ରୀ ବାହିନୀପତି କହିଛନ୍ତି। 

ଅପରପକ୍ଷରେ ଯୁବ କଂଗ୍ରେସ ପକ୍ଷରୁ ରଞ୍ଜିତ ପାତ୍ରଙ୍କ ନେତୃତ୍ବରେ ଏହି ଘଟଣାକୁ ନେଇ ସଂଧ୍ୟାରେ ପ୍ରତୀକାତ୍ମକ ଗଣ ଶବଦାହ କରାଯାଇଛି। ଯୁବ କଂଗ୍ରେସ କର୍ମୀମାନେ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଲୋୟର ପିଏମ୍‌ଜି ଛକ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ପ୍ରତୀକ କୋକେଇ କାନ୍ଧେଇ ନେଇଥିଲେ। ବିକ୍ଷୋଭରେ ସାମିଲ ହୋଇଥିବା ଯୁବ କଂଗ୍ରେସର ମହିଳା କର୍ମୀମାନେ ଶବ ଦାହ ସମୟରେ ରୋଦନ କରିଥିଲେ। କୋକେଇ ପାଖରେ ବସି ମଥା ପିଟିଥିଲେ। ସମସ୍ତ ରୀତିନୀତି ସହ ଲୋୟର ପିଏମ୍‌ଜିରେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ପ୍ରତୀକର ଶବ ଦାହ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏଆଇସିସି ସଦସ୍ୟ ମାନସ ଚୌଧୁରୀ, ୟାସିର ନୱାଜ, ଉଦିତ ପ୍ରଧାନ, ନିହାର ବେହେରା, ସୁଦୀପ ସାମଲ, ଅମୀୟ ପାଣ୍ଡବ, ଗୋପନ ମାର୍ଥା, ଅଭିଳାଷ ମାଣିଆ, ଅଜୟ ସାହୁ, ସ୍ବାଗତ କର, ମିଲନ ପଟ୍ଟନାୟକ, ବଟକୃଷ୍ଣ ରାଉତରାୟ, କେଦାର ଦଳେଇ, ସୂରଜ ରାଉତ, ଲିପିକା ପାତ୍ର, ଲିପ୍‌ସା ନାୟକ, ଶିଳ୍ପୀଶ୍ରୀ ହରିଚନ୍ଦନ, ସୁଶ୍ରୀ ବେହେରା ଓ ଅନ୍ୟମାନେ ସାମିଲ ହୋଇଥିଲେ। 

ସେହିପରି ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ସାମାଜିକ ଗଣମାଧ୍ୟମରେ ଏହି ଘଟଣାକୁ ‘ବ୍ଲାକ୍‌ଡେ’ ଫର୍‌ ଓଡ଼ିଶା’ ନାଁରେ ହାସ୍‌ଟ୍ୟାଗ୍‌ ଭାବେ ଉଲ୍ଲେଖ କରିଛନ୍ତି। ଉଦିତ ‘ଏକ୍ସ’ରେ ଲେଖିଛନ୍ତି ଯେ ୧୯୪୭ ମସିହା ପରେ ଓଡ଼ିଶାରେ କେବେ ବି ଏଭଳି ଘଟଣା ଘଟି ନ ଥିଲା। ରାଜ୍ୟରେ ବିଜେପି ସରକାର ଦ୍ବାରା ଗଣତନ୍ତ୍ରର ହତ୍ୟା କରାଯାଇଛି। ଲୋକମାନଙ୍କ ସୁବିଧା ଅସୁବିଧାକୁ ବିଧାନସଭାରେ ଉଠାଉଥିବା କଂଗ୍ରେସ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବନ କରାଯାଇଛି। କଂଗ୍ରେସ ଚୁପ୍ ରହିଲେ ଖୁବ୍‌ଶୀଘ୍ର ବିଜେପି ଦ୍ବାରା ରାଜତନ୍ତ୍ର ସ୍ଥାପନ ହୋଇଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe