କୃଷି ବିଲ୍‌ ବିରୋଧରେ କଂଗ୍ରେସ ସାଂସଦ ଦିଗବିଜୟ ସିଂହଙ୍କ ସାମ୍ବାଦିକ ସମ୍ମିଳନୀ : ମୋଦୀ ସରକାର ଚାଷୀ ଓ ଶ୍ରମିକ ବିରୋଧୀ

ବିଜେପି ଓ ବିଜେଡି ଭିତରେ ଗୁପ୍ତ ବୁଝାମଣା ରହିଛି

ଭୁବନେଶ୍ୱର : ୨୦୧୪ ମସିହାରୁ କେନ୍ଦ୍ରରେ ମୋଦୀ ସରକାର ଚାଷୀ ଓ ଶ୍ରମିକ ବିରୋଧୀ କାର୍ଯ୍ୟ କରିଆସୁଛନ୍ତି। ମୁକ୍ତ ବାଣିଜ୍ୟିକ ରାଜିନାମାର ଦ୍ବାହି ଦେଇ ବିକଶିତ ରାଷ୍ଟ୍ରମାନଙ୍କୁ ଖୁସି କରିବା ପାଇଁ ଚାଷୀ ସ୍ବାର୍ଥ ବିରୋଧୀ କୃଷି ବିଲ୍‌ ସଂସଦରେ ପାରିତ କରାଇଛନ୍ତି। ଏହି ବିଲ୍‌କୁ ବିଜେଡି ବିରୋଧ କଲା ସତ କିନ୍ତୁ ଶେଷରେ ବିଜେପି ସହିତ ରହିଲା। ଏଥିରୁ ସ୍ପଷ୍ଟ ହେଉଛି ମୋଦୀ ସରକାରଙ୍କ ପରି ବିଜେଡି ବି ଚାଷୀ ଓ ଶ୍ରମିକ ବିରୋଧୀ। ଆଜି ସ୍ଥାନୀୟ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଦିଗବିଜୟ ସିଂହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଆଗାମୀ ଦିନରେ ଏହାକୁ ନେଇ ଦଳ ସଂଗ୍ରାମ ଜାରି ରଖିବ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି ଯେ ଅତୀତରେ ବି ବିଜେଡି ସରକାର ଚାଷୀଙ୍କ ସ୍ବାର୍ଥ ରକ୍ଷା ଲାଗି ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ। ଏବେ କୃଷି ବିଲ୍‌କୁ ସମର୍ଥନ ଦେଇ ପୁଣି ଥରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଚାଷୀ ବିରୋଧୀ ବୋଲି ପ୍ରମାଣିତ କରିଛନ୍ତି।

ଶ୍ରୀ ସିଂହ କହିଛନ୍ତି ଯେ ଚାଷୀଙ୍କୁ ତାଙ୍କର ନ୍ୟାଯ୍ୟ ହକ୍‌ ଦେବା ପାଇଁ କଂଗ୍ରେସ ସବୁବେଳେ କାର୍ଯ୍ୟ କରିଆସୁଛି। ମହାତ୍ମାଗାନ୍ଧୀ, ପଣ୍ଡିତ ଜବାହାରଲାଲ ନେହେରୁ, ସର୍ଦ୍ଦାର ପଟେଲ ଓ ବାବା ସାହେବ ଆମ୍ବେଦକରଙ୍କ ନୀତି, ଆଦର୍ଶ ଓ ବିଚାରଧାରାକୁ ପାଥେୟ କରି ଜନତାଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଦଳ ଉଦ୍ୟମ କରିଆସିଛି। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲାବାହାଦୂର ଶାସ୍ତ୍ରୀ ସର୍ବପ୍ରଥମେ କଷ୍ଟ୍‌ ସପୋର୍ଟ୍‌ ପ୍ରାଇସ୍‌ ବ୍ୟବସ୍ଥାକୁ ଉଚ୍ଛେଦ କରି ସର୍ବନିମ୍ନ ସହାୟକ ମୂଲ୍ୟ (ମିନିମମ୍‌ ସପୋର୍ଟ ପ୍ରାଇସ୍‌) ବ୍ୟବସ୍ଥାକୁ ଆରମ୍ଭ କରିଥିଲେ। ରାଜୀବ ଗାନ୍ଧୀଙ୍କ ସମୟରେ କ୍ଷମତାର ବିକେନ୍ଦ୍ରୀକରଣ କରାଯାଇ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଥିଲା। ପୂର୍ବରୁ ଚାଷୀ ଓ ଶ୍ରମିକମାନଙ୍କ ସ୍ବାର୍ଥ ସହିତ ସାଲିସ୍‌ କଲାଭଳି କୌଣସି ବିଦେଶୀ ଚାପକୁ କଂଗ୍ରେସ ସରକାର ସମୟରେ କେବେ ବି ପ୍ରଶୟ ଦିଆଯାଇନଥିଲା। ଉତ୍ପାଦନ ମୂଲ୍ୟର ୧୦% ଅଧିକ ସବ୍‌ସିଡି ନ ଦେବା ପାଇଁ ବିଶ୍ବ ବାଣିଜ୍ୟ ସଙ୍ଗଠନରେ ଥିବା ବ୍ୟବସ୍ଥାକୁ ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ କଂଗ୍ରେସ ସରକାର କେବେ ବି ଗ୍ରହଣ କରିନଥିଲେ।

ଶ୍ରୀ ସିଂହ ଦର୍ଶାଇଛନ୍ତି ଯେ ଏବର କୃଷି ବିଲ୍‌ର ବ୍ୟବସ୍ଥା ଅନୁଯାୟୀ ଚାଷୀଙ୍କୁ ଉତ୍ପାଦିତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ମିଳିବ ନାହିଁ। ଏହାସହିତ ବ୍ୟବସାୟୀ ଓ କ୍ରେତାମାନଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ। ବହୁରାଷ୍ଟ୍ରୀୟ କମ୍ପାନିଗୁଡ଼ିକ ଏହି ଆଇନର ବ୍ୟବସ୍ଥା ଫଳରେ ସିଧାସଳଖ ଭାରତର ଗ୍ରାମୀଣ କୃଷି ବଜାର ଉପରେ ନିଜର ଏକଚାଟିଆ ଅଧିକାର ଜାହିର କରିବେ। ଶୋଷଣର ଶିକାର ହୋଇଥିବା ଚାଷୀଟି କମ୍ପାନି ବିରୋଧରେ ନ୍ୟାୟାଳୟକୁ ମଧ୍ୟ ଯାଇପାରିବ ନାହିଁ। ଶୋଷଣ ଶିକାର ହେଲେ ଚାଷୀଟି ପ୍ରଥମେ ଉପଜିଲ୍ଲାପାଳ ଓ ପରେ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହେବାର ବ୍ୟବସ୍ଥା ରଖାଯାଇଛି। ଯଦି ଜିଲ୍ଲାପାଳଙ୍କ ପାଖରୁ ଚାଷୀ ନ୍ୟାୟ ନ ପାଏ, ତାହେଲେ କେନ୍ଦ୍ର ସରକାରଙ୍କ ପାଖରେ ଫେରାଦ ଦେବାକୁ ପଡ଼ିବ। କୃଷି ଏକ ରାଜ୍ୟଭିତ୍ତିକ ବିଷୟ ହୋଇଥିବାରୁ ଏଥିରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଗ୍ରହଣୀୟ ନୁହେଁ। ପୂର୍ବରୁ ଥିବା ଏପିଏମ୍‌ସି ଆଇନ ବା ମଣ୍ଡି ଆଇନ୍‌ ଏବେ କେନ୍ଦ୍ର ସରକାରଙ୍କ ଦ୍ବାରା ନିୟନ୍ତ୍ରିତ ହେବ। ଯାହାକି ଚାଷୀକୂଳକୁ ସର୍ବନାଶ କରିବ।

ସେହିପରି ଅତ୍ୟାବଶ୍ୟକ ଆଇନର ସଂଶୋଧନ ଫଳରେ ବେଆଇନ ମହଜୁଦକାରୀଙ୍କ ବିରୋଧରେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ। କାରଣ ଏହି ନୂଆ ବିଲ୍‌ର ବ୍ୟବସ୍ଥା ଅନୁଯାୟୀ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀକୁ ମହଜୁଦ୍‌ କରି ରଖିବାର ନିର୍ଦ୍ଧାରିତ ସୀମା ରହିଲା ନାହିଁ। ପରୋକ୍ଷରେ ଏହା କଳାବଜାରୀ ଓ ବେଆଇନ ମହଜୁଦକାରୀଙ୍କୁ ଅଧିକ ପ୍ରୋତ୍ସାହିତ କରିବ। ଆଜି ବି ଦେଶର ୭୦% କ୍ଷୁଦ୍ର ଓ ନାମମାତ୍ର ଚାଷୀ ତାଙ୍କର ଉତ୍ପାଦିତ ଶସ୍ୟକୁ ମଣ୍ଡି ବାହାରେ କମ୍‌ ମୂଲ୍ୟରେ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି। ବିଡ଼ମ୍ବନାର ବିଷୟ ହେଉଛି, ଚାଷୀ ବିଲ୍‌କୁ ଲୋକସଭାରେ ବିଜେଡି ସମର୍ଥନ ଦେଲା। ଉଭୟ ବିଜେଡି ଓ ବିଜେପି ଭିତରେ ଗୁପ୍ତ ବୁଝାମଣା ରହିଛି। ସେହିପରି ଶ୍ରମିକମାନଙ୍କ କାମ କରିବାର ଅବଧି ବୃଦ୍ଧିକୁ ନେଇ ମଧ୍ୟ ଶ୍ରୀ ସିଂହ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଏଆଇସିସି ନିଷ୍ପତ୍ତି କ୍ରମେ କେନ୍ଦ୍ର ସରକାରଙ୍କ ଏହି ଚାଷୀ ଓ ଶ୍ରମିକ ବିରୋଧୀ ନୀତି ବିରୋଧରେ କଂଗ୍ରେସ ଲୋକଙ୍କ ପାଖକୁ ଯିବ ବୋଲି ସେ ଘୋଷଣା କରିଛନ୍ତି।

କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଛନ୍ତି ଯେ ଓଡ଼ିଶା ହାଇକୋର୍ଟ ଏକ ଜନସ୍ବାର୍ଥ ମାମଲାର ବିଚାର କରି ୨୦୦୨ ମସିହାରେ ଚାଷୀମାନେ ମିଲମାଲିକମାନଙ୍କ ଶୋଷଣର ଶିକାର ହେଉଥିବା ନେଇ ରାୟ ଦେଇଥିଲେ। ଏହାସହିତ ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ ଚାଷୀଙ୍କ ପାଖରୁ ଏଫ୍‌ସିଆଇ ଧାନ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେତେବେଳେ ବି କେନ୍ଦ୍ରରେ ଏନ୍‌ଡିଏ ସରକାର କ୍ଷମତାରେ ଥିଲେ। ଦୁର୍ଭାଗ୍ୟର କଥା, ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାର ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଅପିଲ କଲେ। କିନ୍ତୁ ମାନ୍ୟବର ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଆବେଦନକୁ ଗ୍ରହଣ କରି ନଥିଲେ। ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି ମୋଦୀ ସରକାର କହୁଛନ୍ତି, ଏହି ନୂଆ ବିଲ୍‌ ଚାଷୀମାନଙ୍କୁ ନିଜ ଉତ୍ପାଦ ବିକ୍ରି କରିବାର ସ୍ବାଧୀନତା ଦେଇଛି। ସେମାନେ ନିଜର କୃଷି ଉତ୍ପାଦ ଯେ କୌଣସି ଜାଗାରେ ଯାହାକୁ ଇଚ୍ଛା ବିକ୍ରି କରିପାରିବେ ବୋଲି କହିଛନ୍ତି। ଏହା କେନ୍ଦ୍ର ସରକାରଙ୍କ ନିର୍ଲଜତା ଛଡ଼ା ଆଉ କିଛି ନୁହେଁ। ଓଡ଼ିଶା ହାଇକୋର୍ଟ୍‌ ୨୦୦୨ ମସିହାରେ ଦେଇଥିବା ରାୟରେ ସ୍ପଷ୍ଟ କରିସାରିଛନ୍ତି ଯେ, ଏମ୍‌ଏସ୍‌ପି ସହିତ ଯେ କୌଣସି ଚାଷୀ ତାର କୃଷି ଉତ୍ପାଦକୁ ଦେଶର କୌଣସି ବି ଅଞ୍ଚଳରେ ବିକ୍ରି କରିପାରିବ। ତେଣୁ ଏହି ଉଭୟ ବିଜେଡି ଓ ବିଜେପି ମୂଳରୁ ହିଁ ଚାଷୀ ବିରୋଧୀ। ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର