କଂଗ୍ରେସ ସାଂସଦ ରାଜୀବ ସତାଭଙ୍କ ବିୟୋଗ, ପିସିସିର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର : ପୂର୍ବତନ ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ତଥା ଏଆଇସିସି ସାଧାରଣ ସମ୍ପାଦକ ଓ ରାଜ୍ୟସଭା ସାଂସଦ ରାଜୀବ ସତାଭଙ୍କ କରୋନାରେ ଦେହାନ୍ତ ଯୋଗୁ ପ୍ରଦେଶ କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ କଂଗ୍ରେସ ପ୍ରଭାରୀ ଏ.ଚେଲ୍ଲାକୁମାରଙ୍କ ସମେତ ପ୍ରମୁଖ ନେତା ଭର୍ଚୁଆଲ ଯୋଗେ ଶ୍ରଦ୍ଧାଞ୍ଜଳି ସଭାକରି ଦିବଂଗତ ନେତାଙ୍କ ପ୍ରତି ଶୋକବ୍ୟକ୍ତ କରିବା ସହିତ ୨ ମିନିଟ୍‌ ନୀରବ ପ୍ରାର୍ଥନା କରିଥିଲେ। ଏହାସହିତ ବରିଷ୍ଠ କଂଗ୍ରେସ ନେତା କୈଳାସ ଆଚାର୍ଯ୍ୟଙ୍କ ପତ୍ନୀ ତଥା ରମାଦେବୀ ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ବିଜୟା ଚୌଧୁରୀଙ୍କ ବିୟୋଗରେ ବି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ସ୍ବର୍ଗତ ସତାଭଙ୍କ ପ୍ରତି ଶ୍ଜଳି ଅର୍ପଣ କରି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ, ତାଙ୍କର ଅକାଳ ବିୟୋଗ କଂଗ୍ରେସ ପରିବାର ପ୍ରତି ଶକ୍ତ ଧକ୍କା। ଏହା ସମସ୍ତଙ୍କୁ ମର୍ମାହତ କରିଛି। ସମାଜର ସବୁ ବର୍ଗର ଲୋକମାନଙ୍କ ପାଇଁ ସ୍ବର୍ଗତ ସତାଭଙ୍କ ନିରନ୍ତର ପରିଶ୍ରମ କରିଆସୁଥିଲେ। ତାଙ୍କର ଏହି ପ୍ରୟାସକୁ କଂଗ୍ରେସର ଯୁବଗୋଷ୍ଠୀଙ୍କ ନିକଟରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲା। ଏହା ମଧ୍ୟ ଭବିଷ୍ୟତରେ ପ୍ରେରଣା ଯୋଗାଇବ। ସ୍ବର୍ଗତ ସତାଭଙ୍କ ଭଳି ଜଣେ କର୍ତ୍ତବ୍ୟନିଷ୍ଠ, ସମାଜସେବୀ, ପରୋପକାରୀ ଓ ମିଷ୍ଟଭାଷି ବ୍ୟକ୍ତି ମିଳିବା ଅତ୍ୟନ୍ତ ବିରଳ। ତାଙ୍କର ଦେହାନ୍ତ ଦଳ ପାଇଁ ଅପୂରଣୀୟ କ୍ଷତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ ସ୍ବର୍ଗତ ସତାଭଙ୍କ ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ।

ଓଡିଶା କଂଗ୍ରେସ ପ୍ରଭାରୀ ତଥା ସାଂସଦ ଏ ଚେଲ୍ଲାକୁମାର ଯୋଗଦେଇ କହିଲେ, ସ୍ବର୍ଗତ ସତାଭଙ୍କ ସହିତ​ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଘନିଷ୍ଟ ଥିଲା। ଦୀର୍ଘଦିନ ଧରି କଂଗ୍ରେସ ପାଇଁ ଏକାଠି କାର୍ଯ୍ୟ କରିଆସିଛନ୍ତି। ତାଙ୍କ ଭଳି ସ୍ନେହୀ ସାନ ଭାଇକୁ ହରାଇ ସେ ଗଭୀର ଭାବେ ମର୍ମାହତ।

ଏଆଇସିସି ସମ୍ପାଦକ ଜି. ରୁଦ୍ରରାଜୁ କହିଥିଲେ, କଠିନ ପରିଶ୍ରମ ଓ ଜନସେବା ଦ୍ବାରା ସ୍ବର୍ଗତ ସତାଭ କଂଗ୍ରେସ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ହୋଇପାରିଥିଲେ। ଭିଡ଼ିଓ କନଫରେନ୍‌ସିଂ ଦ୍ବାରା ଅନୁଷ୍ଠିତ ଶୋକସଭାରେ ଅନ୍ୟମାନଙ୍କ ମଧ୍ୟରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, କୋରାପୁଟ ସାଂସଦ ସପ୍ତଗିରି ଉଲାକା, ବିଧାୟକ ସୁରେଶ କୁମାର ରାଉତରାୟ, ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୁକିମ, ସି. ଏସ. ରାଜନ ଇକା, ରାଜ୍ୟ କଂଗ୍ରେସ କୋଭିଡ କଣ୍ଟ୍ରୋଲ ରୁମ​ ସଂଯୋଜକ ପଦ୍ମାକର ଗୁରୁଙ୍କ ସମେତ ସମସ୍ତ ଜିଲ୍ଲା ସଭାପତି ଗଣ ଓ ଜିଲ୍ଲା ଦାୟିତ୍ବରେ ଥିବା ପର୍ଯ୍ୟବେକ୍ଷକମାନେ ସ୍ବର୍ଗତ ସତାଭଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରଦେଶ କଂଗ୍ରେସ ସାମାଜିକ ଗଣ ମାଧ୍ୟମ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ, ଦୀପକ କୁମାର ମହାପାତ୍ର ଓ ପିସିସି ସାମାଜିକ ଗଣମାଧ୍ୟମ ସାଧାରଣ ସମ୍ପାଦକ ଚେତନ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର