ଝାରସୁଗୁଡ଼ା: ‘ଓଡ଼ିଶାର ସାମର୍ଥ୍ୟ ଓ ପ୍ରତିଭା ପ୍ରତି ମୋର ଅଖଣ୍ଡ ବିଶ୍ବାସ ରହିଛି। ଓଡ଼ିଶାକୁ ପ୍ରକୃତି ବହୁତ କିଛି ଦେଇଛି। ଅନେକ ଦଶନ୍ଧି ଧରି ଓଡ଼ିଶା ଦାରିଦ୍ର୍ୟ ଦେଖିଛି। କିନ୍ତୁ ଏହି ଦଶନ୍ଧିରେ ପୂର୍ବୋଦୟ ନକ୍ସାରେ ସମୃଦ୍ଧିର ସ୍ବାକ୍ଷର ଦେଉଛି ଓଡ଼ିଶା। ଏଥିପାଇଁ ଓଡ଼ିଶାରେ କେନ୍ଦ୍ର ସରକାର ବହୁତ ବଡ଼ ବଡ଼ ପ୍ରକଳ୍ପ ପ୍ରତିଷ୍ଠା କରୁଛନ୍ତି। ନିକଟରେ ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର୍ ୟୁନିଟ୍ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ମଞ୍ଜୁରି ଦେଇଛନ୍ତି। ଚିପ୍ ତିଆରି ପାଇଁ ଓଡ଼ିଶାରେ ଦୁଇଟି ସେମିକଣ୍ଡକ୍ଟର ପାର୍କ ମଧ୍ୟ ନିର୍ମାଣ ହେବ। ଚିପ୍ରୁ ସିପ୍ ପର୍ଯ୍ୟନ୍ତ ଭାରତକୁ ଆତ୍ମନିର୍ଭର କରିବା ଆମର ସଂକଳ୍ପ ରହିଛି। ଏଥିପାଇଁ ପାରାଦୀପରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ଏକ ବିଶାଳ ଉଦ୍ୟୋଗିକ କ୍ଷେତ୍ର ନିର୍ମାଣ ହେଉଛି।’ ଝାରସୁଗୁଡ଼ା ଅମଲିପାଲିସ୍ଥିତ ପଡ଼ିଆରେ ଆୟୋଜିତ ଯୁବ ସମାବେଶରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି କିଛି କହିଛନ୍ତି।
ଶନିବାର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଝାରସୁଗୁଡ଼ାରୁ ଭାରତର ଭିତ୍ତିଭୂମି ଓ ଡିଜିଟାଲ୍ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ୬୦ ହଜାର କୋଟି ଟଙ୍କାର ଏକ ପରିବର୍ତ୍ତନକାରୀ ବିକାଶ ପଦକ୍ଷେପ ଆରମ୍ଭ କରିଛନ୍ତି। ଟେଲିକମ୍, ରେଳବାଇ, ଶିକ୍ଷା ଏବଂ ଗୃହ ନିର୍ମାଣ କ୍ଷେତ୍ରରେ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ କରିଛନ୍ତି। ଏହି ପଦକ୍ଷେପର ଏକ ଉଲ୍ଲେଖନୀୟ ବୈଶିଷ୍ଟ୍ୟ ହେଉଛି ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ୯୭,୫୦୦ରୁ ଅଧିକ ଟେଲିକମ୍ ଟାୱାରର କାର୍ଯ୍ୟ କ୍ଷମତା ବୃଦ୍ଧି। ଏଥିପାଇଁ ୩୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଟାୱାରଗୁଡ଼ିକ ଦୂରଦୂରାନ୍ତ, ଗ୍ରାମାଞ୍ଚଳ, ସୀମାନ୍ତ ଅଞ୍ଚଳ, ମାଓବାଦୀ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ମୋବାଇଲ୍ ଓ ଇଣ୍ଟରନେଟ୍ ସଂଯୋଗକୁ ଉନ୍ନତ କରିବ। ଏହି ପଦକ୍ଷେପ ଭାରତର ଡିଜିଟାଲ୍ ଅନ୍ତର୍ଭୁକ୍ତି ଏବଂ ଟେଲିକମ୍ ଭିତ୍ତିଭୂମିରେ ଆତ୍ମନିର୍ଭରଶୀଳତା ପାଇଁ ବ୍ୟାପକ ପ୍ରୟାସର ଏକ ଅଂଶ। ଏହି ଟାୱାରଗୁଡ଼ିକ ୨୬,୭୦୦ରୁ ଅଧିକ ଗ୍ରାମକୁ ସଂଯୋଗ କରିବ ଓ ୨୦ ଲକ୍ଷରୁ ଅଧିକ ନୂତନ ଗ୍ରାହକଙ୍କୁ ସେବା ଯୋଗାଇବ; ଯାହା ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଇ-ଗଭର୍ଣ୍ଣାନ୍ସ ସେବାର ଉପଲବ୍ଧତାକୁ ବୃଦ୍ଧି କରିବ।
ଟେଲିକମ୍ ବ୍ୟତୀତ ପ୍ରଧାନମନ୍ତ୍ରୀ ୧୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ। ବ୍ରହ୍ମପୁରରୁ ସୁରତର ଉଢ଼ନା ପର୍ଯ୍ୟନ୍ତ ଚାଲିବାକୁ ଥିବା ଅମୃତ ଭାରତ ଏକ୍ସପ୍ରେସ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଟ୍ରେନ୍ ଦ୍ବାରା ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ମହାରାଷ୍ଟ୍ରର ଯାତ୍ରୀମାନେ ଉପକୃତ ହେବେ। ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଥିବା ଅନ୍ୟ ପ୍ରକଳ୍ପଗୁଡ଼ିକ ହେଉଛି ସମ୍ବଲପୁର ସହର ଓ ସର୍ଲା ମଧ୍ୟରେ ୨୭୩ କୋଟି ଟଙ୍କାର ରେଳ ଫ୍ଲାଏଓଭର୍, ୪୮୧ କୋଟି ଟଙ୍କାର ୩୪ କିମି ବିଶିଷ୍ଟ କୋରାପୁଟ-ବାଲିଗୁଡ଼ା ରେଳପଥର ଦୋହରୀକରଣ ଓ ୯୫୫ କୋଟି ଟଙ୍କାର ୮୨ କିମି ବିଶିଷ୍ଟ ମାନବର-କୋରାପୁଟ, ଗୋରାପୁର ରେଳପଥର ଦୋହରୀକରଣ। ପ୍ରଧାନମନ୍ତ୍ରୀ ରାଜ୍ୟର ୧୩୦ଟି ୱାଇଫାଇଯୁକ୍ତ ଉଚ୍ଚ ଶିକ୍ଷାନୁଷ୍ଠାନର ଉଦ୍ଘାଟନ ମଧ୍ୟ କରିଥିଲେ। ଏହାସହିତ ଭିମ୍ସାର ଓ ଏମ୍କେସିଜି ମେଡିକାଲ କଲେଜର ଉନ୍ନତୀକରଣ ପାଇଁ ତିଆରି ହୋଇଥିବା ମାଷ୍ଟରପ୍ଲାନ୍ର ଲୋକାର୍ପଣ କରିଥିଲେ। ଅନ୍ତ୍ୟୋଦୟ ଗୃହ ଯୋଜନାରେ ୫୦ ହଜାର ପରିବାରକୁ ଗୃହ ନିର୍ମାଣ ପାଇଁ ମଞ୍ଜୁରିପତ୍ର ପ୍ରଦାନ କରିଥିଲେ। ଦେଶରେ ୮ଟି ଆଇଆଇଟିର ସମ୍ପ୍ରସାରଣ, ଜାତୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ ଯୁବପିଢ଼ିକୁ ସଶକ୍ତ କରିବା ସହ ନବସୃଜନକୁ ପ୍ରୋତ୍ସାହିତ କରିବ। ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉନ୍ମୋଚନ ହୋଇଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଓଡ଼ିଶାର ବିକାଶଧାରାରେ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି କହିଥିଲେ।
ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଭାରତ ୨-ଜି, ୩-ଜି ଏବଂ ୪-ଜି ପ୍ରଯୁକ୍ତିବିଦ୍ୟାର ବିକାଶରେ ପଛରେ ପଡ଼ିଯାଇଥିଲା ଏବଂ ଏହି କ୍ଷେତ୍ରରେ ବିଦେଶୀ ପ୍ରଯୁକ୍ତିବିଦ୍ୟା ଉପରେ ନିର୍ଭରଶୀଳ ଥିଲା। ଏହାର ସମାଧାନ ପାଇଁ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବିକାଶ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବିଏସ୍ଏନ୍ଏଲ୍ ଏବେ ସମ୍ପୂର୍ଣ୍ଣ ସ୍ୱଦେଶୀ ୪-ଜି ପ୍ରଯୁକ୍ତିବିଦ୍ୟା ବିକଶିତ କରିଛି, ଯାହା ଭାରତର ଟେଲିକମ୍ କ୍ଷେତ୍ରରେ ଏକ ବଡ଼ ମାଇଲଖୁଣ୍ଟ। ଉନ୍ନତ ଦେଶଗୁଡ଼ିକ ନିକଟରେ ଜାହାଜ ନିର୍ମାଣର କ୍ଷମତା ରହିଥାଏ। ଯାହା ନିରବଚ୍ଛିନ୍ନ ଆମଦାନି ଓ ରପ୍ତାନି କରିବା ସହ ଯୁଦ୍ଧ ସମୟରେ ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ୭୦,୦୦୦ କୋଟି ଟଙ୍କାର ଏକ ପ୍ୟାକେଜ୍କୁ ଅନୁମୋଦନ କରିଛନ୍ତି। ଯାହା ୪.୫ ଲକ୍ଷ କୋଟି ଟଙ୍କାର ନିବେଶ ଆଣିବ।
ଦେଶବାସୀଙ୍କୁ ଲୁଟିବାର କୌଣସି ସୁଯୋଗ ହାତଛଡ଼ା କରୁନଥିଲା କଂଗ୍ରେସ। ୨୦୧୪ ମସିହା ପୂର୍ବରୁ କଂଗ୍ରେସ ସରକାର ସମୟରେ ପରିବାରଗୁଡ଼ିକ ବାର୍ଷିକ ୧ ଲକ୍ଷ ଟଙ୍କା ଖର୍ଚ୍ଚ ଉପରେ ପ୍ରାୟ ୨୫,୦୦୦ ଟଙ୍କା ଟିକସ ଦେଉଥିଲେ। ୨୦୧୭ରେ ଜିଏସ୍ଟି ପ୍ରଚଳନ ପରେ ଟିକସ ବୋଝ ଯଥେଷ୍ଟ ହ୍ରାସ ପାଇଥିଲା। ଦ୍ୱିତୀୟ ଜିଏସ୍ଟି ସଂସ୍କାର କାର୍ଯ୍ୟକାରୀ ହେବା ସହିତ ପରିବାରଗୁଡ଼ିକ ବର୍ତ୍ତମାନ ସମାନ ଖର୍ଚ୍ଚ ଉପରେ କେବଳ ୫,୦୦୦ରୁ ୬,୦୦୦ ଟଙ୍କା ଟିକସ ଦେଉଛନ୍ତି, ଯାହା ନାଗରିକଙ୍କ ଉପରେ ଆର୍ଥିକ ବୋଝ କମ୍ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ବିଜେପି ସରକାର ଲୋକଙ୍କୁ ଆଶ୍ବସ୍ତି ଦେବା ଉପରେ କାମ କରୁଛନ୍ତି। ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଆମ ସରକାର ଟିକସମୁକ୍ତ କରିଛି। ବିଜେପି ସରକାର ଜିଏସ୍ଟିରେ ସଂସ୍କାର ଆଣି ଲୋକଙ୍କ ଉପରୁ ବୋଝ ହାଲୁକା କରୁଥିବା ବେଳେ କଂଗ୍ରେସ ଶାସିତ ରାଜ୍ୟ ହିମାଚଳପ୍ରଦେଶ ଲୋକଙ୍କ ଉପରେ ଟିକସ ଲଦୁଛି। ଜିନିଷର ଦାମ୍ କମ୍ କରିବା ଲାଗି ଆମେ ଜିଏସ୍ଟି ହାର କମ୍ କରିଛୁ। କିନ୍ତୁ ତାହାର ଲାଭ ଲୋକଙ୍କ ପାଖରେ ପହଞ୍ଚୁ ବୋଲି କଂଗ୍ରେସ ଚାହୁନଥିବା ପ୍ରଧାନମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ବାଗତ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ସର୍ବଦା ଓଡ଼ିଶାକୁ ପ୍ରାଧାନ୍ୟ ଦେଇଆସିଥିବା କହିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଡବଲ୍ ଇଞ୍ଜିନ ସରକାର ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଅଗ୍ରସର ହେଉଛି। ପହଲଗାମ ହତ୍ୟାକାଣ୍ଡ ପରେ ପାକିସ୍ତାନରେ ଆତଙ୍କବାଦୀଙ୍କ ପ୍ରତି ଭାରତର ପ୍ରତିକ୍ରିୟା ଆମ ଦେଶର ରଣନୈତିକ ସିଦ୍ଧାନ୍ତକୁ ବଦଳାଇ ଦେଇଛି। ରାଜ୍ୟରେ ବିଜେପି ସରକାର ଆସିବା ପରଠାରୁ ପ୍ରଧାନମନ୍ତ୍ରୀ ୭ ଥର ଓଡ଼ିଶା ଆସିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ। ମଞ୍ଚରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ହରିବାବୁ କମ୍ଭମପାଟି, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ପ୍ରଦୀପ ପୁରୋହିତ, ବୈଜୟନ୍ତ ପଣ୍ଡା, ବିଧାୟକ ଜୟନାରାୟଣ ମିଶ୍ର, ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ। ସେପଟେ ଆଭାସୀ ଯୋଗେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ, ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଡ଼ି ହୋଇଥିଲେ।