ଔଷଧ ନିଗମ କେଳେଙ୍କାରୀର ଆଉ ଗୁମର ଖୋଲିଲା କଂଗ୍ରେସ: ନେବୁଲାଇଜର କିଣାରେ ବି ଦୁର୍ନୀତି ହୋଇଛି

ବିଜେଡିର ଜବାବ: ରାଜନୀତି ନ କରି କେନ୍ଦ୍ର ମାର୍ଗଦର୍ଶିକା ପଢ଼ନ୍ତୁ ବିରୋଧୀ

ଭୁବନେଶ୍ବର: ମାସ୍କ, ବାଇପାପ୍‌ ମେସିନ କିଣା ଦୁର୍ନୀତି ପରେ ନେବୁଲାଇଜର୍‌ କିଣାରେ ବି ବ୍ୟାପକ ଅନିୟମିତତା ହୋଇଛି। ମେଡିକାଲ୍‌ ସଂରଜାମ କିଣାରେ ରାଜ୍ୟ ଔଷଧ ନିଗମର ଆଉ ଗୋଟିଏ କେଳେଙ୍କାରୀ ହୋଇଥିବା ନେଇ ଆଜି ପୁଣି ଥରେ ବିରୋଧୀ ଅଭିଯୋଗ ଆଣିଛନ୍ତି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ଦୃଷ୍ଟିରୁ ସ୍ବାବ୍‌ ପରୀକ୍ଷା ସଂଖ୍ୟା ଦୈନିକ ୧୫ ହଜାର କରିବାକୁ ଦାବି କରିଛନ୍ତି। ବିରୋଧୀଙ୍କୁ ଜବାବ ଦେଇ ବିଜେଡି କହିଛି, ଏବେ ନମୁନା ପରୀକ୍ଷା ଦୈନିକ ୧୫ ହଜାରକୁ ବୃଦ୍ଧି ପାଇଛି।

କଂଗ୍ରେସ ଭବନରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଓ ଦଳୀୟ ନେତା ସୁଦର୍ଶନ ଦାସ ସାମ୍ବାଦିକ ସମ୍ମିଳନୀ କରି ମେଡିକାଲ୍‌ ସଂରଜାମ କିଣାରେ ହୋଇଥିବା ଆଉ ଗୋଟିଏ କେଳେଙ୍କାରୀର ଫର୍ଦ୍ଦ ଖୋଲିଛନ୍ତି। କରୋନା ରୋଗୀଙ୍କ ପାଇଁ ନେବୁଲାଇଜର୍‌ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ତଥ୍ୟ ପ୍ରମାଣ ସହ ଉଭୟ ନେତା ଅଭିଯୋଗ କରିଥିଲେ। ଶ୍ରୀ ଦାସ କହିଥିଲେ, ଗତ ମାର୍ଚ୍ଚ ୨୧ ତାରିଖରେ ଏକ ନିର୍ଦ୍ଦିଷ୍ଟ କମ୍ପାନି ପ୍ରତି ନେବୁଲାଇଜର୍‌ ପିଛା ୩୧୦୦ ଟଙ୍କାର କୋଟେସନ୍‌ ଦେଇଥିଲା। ମାର୍ଚ୍ଚ ୨୩ ତାରିଖରେ ସେହି ସମାନ କମ୍ପାନି ପୁଣି ଥରେ ଏହି ଦରକୁ ପରିବର୍ତ୍ତନ କରି ପ୍ରତି ନେବୁଲାଇଜରର ଦର ୫୯୦୦ ଟଙ୍କା ବୋଲି କୋଟେସନ୍‌ ଦେଲା। ମାର୍ଚ୍ଚ୨୫ ତାରିଖରେ ରାଜ୍ୟ ଔଷଧ ନିଗମ ପକ୍ଷରୁ ୫୯୦୦ ଟଙ୍କା ହିସାବରେ ୫୦୦ ଟି ନେବୁଲାଇଜର୍‌ କିଣିବାକୁ ଅର୍ଡ଼ର୍‌ ଦିଆଗଲା। କେଉଁ ପରିସ୍ଥିତିରେ ନେବୁଲାଇଜର୍‌ ଦାମ୍‌କୁ ଏପରି ବଢ଼ାଇ ଦିଆଗଲା ତାର ସ୍ପଷ୍ଟୀକରଣ ସରକାର ଦେବା ଦରକାର। ଅନ୍ୟପଟେ ମାର୍ଚ୍ଚ ୨୫ ତାରିଖରେ ଆଉ ଏକ କମ୍ପାନି ପାଖରୁ ଔଷଧ ନିଗମ ସମାନ ଧରଣର ନେବୁଲାଇଜର୍‌ କିଣିଛନ୍ତି। ମାତ୍ର ତାର ଦର ୧୬୦୦ ଟଙ୍କା। ଗୋଟିଏ ପ୍ରକାର ନେବୁଲାଇଜରକୁ ଦୁଇଟି କମ୍ପାନିରୁ ଭିନ୍ନ ଭିନ୍ନ ଦରରେ କିଣିବା ଗୋଟିଏ ବଡ଼ ଘୋଟାଲା ହୋଇଥିବା ଦର୍ଶାଉଛି। ଗୋଟିଏ କମ୍ପାନିଠାରୁ ୫୯୦୦ ଓ ଆଉ ଗୋଟିଏ କମ୍ପାନିଠାରୁ ୧୬୦୦ ଟଙ୍କାରେ କିପରି କିଣାଗଲା ବୋଲି ଶ୍ରୀ ଦାସ ପ୍ରଶ୍ନ କରିଥିଲେ। ବିଧାୟକ ଶ୍ରୀ ରାଉତରାୟ କହିଥିଲେ, ପ୍ରବାସୀ ଓଡ଼ିଆମାନଙ୍କର ଟେଷ୍ଟ୍‌ କରିବାରେ ସରକାର ବିଫଳ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଦୈନିକ ୧୫ ହଜାର ସ୍ବାବ୍ ଟେଷ୍ଟ କରିବାକୁ ଘୋଷଣା କରିଥିଲେ। କିନ୍ତୁ ଏବେ ଦିନକୁ ମାତ୍ର ୩ ହଜାର ପରୀକ୍ଷା କରାଯାଉଛି। ଏପରି ଚାଲିଲେ ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କ ସ୍ବାବ୍‌ ଟେଷ୍ଟ କରିବା ପାଇଁ ୧୦୦ ବର୍ଷ ଲାଗିବ। ରାଜ୍ୟରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍‌ସିଂ ଜରିଆରେ ଦେଇଥିବା ନିର୍ଦ୍ଦେଶକୁ କୌଣସି ସରକାରୀ ଅଧିକାରୀ ପାଳନ କରୁନାହାନ୍ତି। ସରକାରୀ ଅଧିକାରୀମାନେ କେବଳ ସାମ୍ବାଦିକ ସମ୍ମିଳନୀ କରି ନିଜ ପିଠି ନିଜେ ଥାପୁଡ଼ାଇ ଚାଲିଛନ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଅଭିଯୋଗ କରିଥିଲେ। ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ଦୈନିକ ୧୫ ହଜାର ଟେଷ୍ଟ କରାଯାଉଛି। କିନ୍ତୁ ଓଡ଼ିଶାରେ ଗତ ୧୦ ଦିନରେ ସର୍ବାଧିକ ୩୮୮୦ ଜଣଙ୍କର ଟେଷ୍ଟ୍‌ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଥିବାରୁ ସେଠାରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ସେଠାରେ ବ୍ୟବସାୟୀମାନେ ନିୟମିତ ଭାବେ ଏକାଧିକ ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀମାନଙ୍କର ମଧ୍ୟ କରୋନା ପରୀକ୍ଷା କରିବା ଉଚିତ ବୋଲି ବିଜେପି ଦାବି କରିଛି। ଘର ଘର ବୁଲି ସବୁ ଲୋକଙ୍କ କରୋନା ଲକ୍ଷଣ ଚିହ୍ନଟ କରୁଥିବା ଆଶାକର୍ମୀ ଓ ଏଏନ୍‌ଏମ୍‌ ଦିଦିମାନଙ୍କୁ ପିପିଇ କିଟ୍‌ ଓ ଅନ୍ୟାନ୍ୟ ସୁରକ୍ଷା ସାମଗ୍ରୀ ଯୋଗାଇ ଦିଆଯାଉ ବୋଲି ଶ୍ରୀ ମହାପାତ୍ର ଦାବି କରିଥିଲେ।

ତେବେ ବିରୋଧୀଙ୍କୁ ଜବାବ ଦେଇ ବିଜେଡି ମୁଖପାତ୍ର ସସ୍ମିତ୍‌ ପାତ୍ର କହିଥିଲେ, କୋଭିଡ୍‌ ଲକ୍ଷଣ ଦେଖାଦେଉଥିବା ବ୍ୟକ୍ତିଙ୍କର ଟେଷ୍ଟ୍‌ କରିବା ପାଇଁ ଆଇସିଏମ୍‌ଆର୍‌ ମାର୍ଗଦର୍ଶିକା ଜାରି କରିଛନ୍ତି। ବିରୋଧୀମାନେ ବୟାନବାଜି କରିବା ପୂର୍ବରୁ ଏହି ମାର୍ଗଦର୍ଶିକାଟିକୁ ପଢ଼ିବା ଦରକାର। ବିଜେପି ଓ କଂଗ୍ରେସ ଶାସିତ ରାଜ୍ୟମାନେ ମଧ୍ୟ ଅନୁରୂପ ମାର୍ଗଦର୍ଶିକା ଅନୁସରଣ କରୁଛନ୍ତି। ରାଜ୍ୟରେ କରୋନା ଏବେ ନିୟନ୍ତ୍ରଣରେ ରହିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଓଡ଼ିଶାରେ କରୋନା ପରୀକ୍ଷା କ୍ଷମତା ଦୈନିକ ୧୫ ହଜାରକୁ ବୃଦ୍ଧି କରାଯାଇଛି। ତେଣୁ ଏଭଳି ସ୍ପର୍ଶକାତର ଘଟଣାରେ ବିରୋଧୀ ରାଜନୀତି କରିବା ଉଚିତ ନୁହେଁ। ବିଜେପି ଶାସିତ କେଉଁ ରାଜ୍ୟ ପଞ୍ଚାୟତସ୍ତରରେ ଟିଏମ୍‌ସି ଭଳି ବ୍ୟବସ୍ଥା କରିଛନ୍ତି, ତାହା ବିଜେପି ନେତାମାନେ କହିବେ କି ବୋଲି ଡ.ପାତ୍ର ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର