କାଳିଆ ଯୋଜନାକୁ ନେଇ କୃଷି ମନ୍ତ୍ରୀଙ୍କ ଉପରେ ବର୍ଷିଲା କଂଗ୍ରେସ

ଭୁବନେଶ୍ୱର: କାଳିଆ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ନିର୍ବାଚନୀ ଫାଇଦା ପାଇଁ କାଳିଆ ଯୋଜନାକୁ ବ୍ୟବହାର କରାଯାଇଛି ।ବିଧାନସଭାରେ କୃଷି ମନ୍ତ୍ରୀ ଅରୁଣ ସାହୁ ଭୁଲ ତଥ୍ୟ ଦେଇଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ସତ୍ୟପ୍ରକାଶ ନାୟକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି । ଭୁଲ ତଥ୍ୟ ଦେଇ ଗୃହର ଅବମାନନା କରିଛନ୍ତି ମନ୍ତ୍ରୀ । କୃଷି ମନ୍ତ୍ରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଫାଇଭ ଟି ବ୍ୟବହାର କରନ୍ତୁ । ଅରୁଣ ସାହୁଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି । ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖି କୃଷିମନ୍ତ୍ରୀ କହିଛନ୍ତି କି ତାଙ୍କ ପାଖରେ କଂଗ୍ରେସ ଦେଇଥିବା ତଥ୍ୟ ନାହିଁ। ତଥ୍ୟ ହାସଲ କଲେ ସେ ଏହାର ଜବାବ ରଖିବେ ବୋଲି କହିଛନ୍ତି।

ସତ୍ୟ ନାୟକ କହିଛନ୍ତି କି, କାଳିଆ ଯୋଜନାକୁ ନେଇ କୃଷି ମନ୍ତ୍ରୀ ଅରୁଣ ସାହୁ ପବିତ୍ର ବିଧାନସଭା ଗୃହରେ ଯେଉଁ ତଥ୍ୟ ଉପସ୍ଥାପନ କରିଥିଲେ ତାହା  ଭୁଲ ଅଟେ । ମନ୍ତ୍ରୀ ଅସଲି ଚିଠା ପରିବର୍ତ୍ତେ ନକଲି ଚିଠା ଉପସ୍ଥାପନ କରିଛନ୍ତି । ତେବେ ଆରଟିଆଇ ତଥ୍ୟରେ ଗତ ଅକ୍ଟୋବର ମାସ ସୁଦ୍ଧା ୧ଲକ୍ଷ ୭୨ ହଜାର ୯୦୮ ଜଣ ଅଯୋଗ୍ୟ କାଳିଆ ହିତାଧିକାରୀ ସାମିଲ ଅଛନ୍ତି ବୋଲି ତଥ୍ୟ ରହିଛି । କିନ୍ତୁ ମନ୍ତ୍ରୀ ଗୃହରେ ୪୫ ହଜାର ୯୬୫ ଜଣ ଅଯୋଗ୍ୟ ହିତାଧିକାରୀ ବୋଲି କହିଥିଲେ । ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ତଥା ଅରୁଣ ସାହୁ ଯେଉଁ ଚିଠା ଦେଇଥିଲେ ତାହା ଥିଲା ନକଲି ଚିଠା । କାରଣ ମୋଟ ୩୦ ଜିଲ୍ଲାର ୪୫ ହଜାର ୯୬୫ ଜଣ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ବୋଲି ସେ ବିଧାନସଭାରେ ରିପୋର୍ଟ ଦେଇଥିଲେ ।

କିନ୍ତୁ ମାତ୍ର ୧୦ଟି ଜିଲ୍ଲାର ଆରଟିଆଇ ତଥ୍ୟ କହୁଛି କି, କୋରାପୁଟ ଜିଲ୍ଲାରେ ୧୫ ହଜାର ୨୫୫ ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିବା ବେଳେ କେବଳ ସୁବର୍ଣ୍ଣପୁରରେ ୩୭ ହଜାର ୭୫୯ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନତି । ସେହିଭଳି ଖୋର୍ଧାରେ ୧୮ ହଜାର ୫୫୨, ଗଂଜାମରେ ୧୯ ହଜାର ୯୮୦ , ମୟୂରଭଂଜରେ ୧୪ ହଜାର ୧୭, ମାଲକାନଗିରିରେ ୯ ହଜାର ୮୫୨ , ସୁନ୍ଦରଗଡ ୧୧ହଜାର ୫୪୨, ସମ୍ବଲପୁର ୧୦ ହଜାର ୫୦ ଏବଂ ଜଗତସିଂହପୁର ୧୫ ହଜାର ୮୯୧ ଜଣ ଅଯୋଗ୍ୟ ହିତାଧିକାରୀ ଅଛନ୍ତି । ତେବେ ମାତ୍ର ୧୦ଟି ଜିଲ୍ଲାର ମୋଟ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ହେଲା ୧ ଲକ୍ଷ ୭୨ ହଜାର ୯୦୮ ଅର୍ଥାତ୍ ୮୬ କୋଟିରୁ ଅଧିକ ଟଙ୍କା ହେରଫେର ହୋଇଛି।  ଏ ମାମଲାରେ ମନ୍ତ୍ରୀଙ୍କ ଉପରେ କ’ଣ ଚାପ ପଡିଲା , କିଏ ଚାପ ପକାଇଲା ଏ କାଳିଆ କେଳେଙ୍କାରୀରୁ ବଂଚିବା ପାଇଁ ଆଉ ଅସଲି ଚିଠାକୁ ଚାପି ଦେଇ ଗୋଟେ ନକଲି ଚିଠାର ଉତ୍ତର ଦେଲେ ତାହା ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ ।

ସେମାନଙ୍କୁ ପ୍ରଥମ କିସ୍ତିରେ ପ୍ରଦାନ କରାଯାଇଥିବା ଅର୍ଥର ପରିମାଣ ହେଉଛି ୨୨ ଲକ୍ଷ ୯୮ ହଜାର ୨୫ ହଜାର ଟଙ୍କା। ଏବେ ବି ଯାଞ୍ଚ କାର୍ଯ୍ୟ ଚାଲୁ ରହିଛି। ଯାଞ୍ଚ ସରିବା ପରେ ଯୋଗ୍ୟ ହିତାଧିକାରୀଙ୍କର ଚୂଡ଼ାନ୍ତ ତାଲିକା ଅନଲାଇନରେ ଉପଲବ୍ଧ କରାଯିବ। ସରକାରଙ୍କୁ ମିଳିଥିବା ୪୦ ଲକ୍ଷ ଦରଖାସ୍ତକାରୀଙ୍କ ତାଲିକାର ତର୍ଜମା କରାଯାଇ ହିତାଧିକାରୀଙ୍କୁ ଚୟନ କରାଯାଇଛି ଏବଂ ସେମାନଙ୍କୁ ମଧ୍ୟ ଚଳିତ ନଭେମ୍ବର ମାସରେ ସହାୟତା ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର