କଂଗ୍ରେସ ଦଳ ବିଜେଡିର ସୁରକ୍ଷା କବଚ ସାଜିଛି: ବିଜେପି

ପରୀ ହତ୍ୟାକାଣ୍ଡ ମାମଲାରେ ବିଜେପିର ସାମ୍ବାଦିକ ସମ୍ମିଳନୀ
ସିବିଆଇ ତଦନ୍ତ ସହ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିଜେପି ଅଟଳ

ଭୁବନେଶ୍ୱର : ପରୀ ପାଇଁ ନ୍ୟାୟର ଲଢ଼େଇ ସାରା ରାଜ୍ୟ ଲଢ଼ୁଛି। ଏହି ଲଢ଼େଇରେ ସାମିଲ ହୋଇ ପରୀ ମୃତ୍ୟୁ ଘଟଣାକୁ ସିବିଆଇ ଦ୍ୱାରା ତଦନ୍ତ ଏବଂ ଏଥିରେ ସଂପୃକ୍ତ ଥିବା ପ୍ରଭାବଶାଳୀ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବିରେ ବିଜେପି ପକ୍ଷରୁ ବିଧାନସଭାକୁ ଅଚଳ କରାଯାଇଛି। ଏହି ଲଢ଼େଇରେ ବିଜେପି ସାମିଲ ରହିବ ଓ ପରୀ ପାଇଁ ନ୍ୟାୟକୁ ନିର୍ଣ୍ଣାୟକ ମୋଡ଼ ପର୍ଯ୍ୟନ୍ତ ନେବା ପାଇଁ ଦଳ ବଦ୍ଧ ପରିକର। ଅନ୍ୟ ପଟେ ମୁଖ୍ୟମନ୍ତ୍ରୀ ଓ ଶାସକ ବିଜୁ ଜନତା ଦଳ ବିରୋଧୀ କଂଗ୍ରେସ ଦଳକୁ ବ୍ୟବହାର କରି ଏଭଳି ସ୍ପର୍ଶକାତର ପ୍ରସଙ୍ଗକୁ ବିଭ୍ରାନ୍ତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କଂଗ୍ରେସ ଦଳ ବିଜେଡିର ସୁରକ୍ଷା କବଚ ସାଜି ପରୀ ନ୍ୟାୟ ଲଢ଼େଇକୁ ଧୋକା ଦେଇଛି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସମସ୍ତ ବିଧାୟକଙ୍କ ଉପସ୍ଥିିତିରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାଏକ କହିଛନ୍ତି ଯେ, ଛୋଟିଆ ଝିଅ ପରୀର କେହି ହେଲେ ଶତ୍ରୁ ନ ଥିଲେ। ମନ୍ତ୍ରୀ ଅରୁଣ ସାହୁଙ୍କ ସହଯୋଗୀ ବାବୁଲା ନାଏକଙ୍କ ଜେସିବି ମେସିନ ପାଖରେ ଖେଳୁଥିବା ବେଳେ ପରୀ ହଠାତ୍ ଅନ୍ତର୍ଦ୍ଧାନ ହୋଇଯିବା ଏବଂ କିଛି ଦିନ ପରେ ତା ଘର ନିକଟରୁ ବସ୍ତା ଭିତରେ ଭର୍ତି ରହିଥିବା ହାଡ଼କଙ୍କାଳ ମିଳିଥିଲା। ମନ୍ତ୍ରୀ ଶ୍ରୀ ସାହୁ କିମ୍ବା ପୁଲିସ ପ୍ରଶାସନ ତରଫରୁ ଘଟଣା ସମ୍ପର୍କରେ ତଦନ୍ତ ପାଇଁ ସହଯୋଗ କରିବା ପରିବର୍ତେ ପରୀର ବାପା, ମା’ଙ୍କୁ ଧମକ ଓ ମାଡ଼ ଦେଇ ପ୍ରଭାବିତ କରିଛନ୍ତି। ଏପରିକି ୫ଲକ୍ଷ ଟଙ୍କାର ପ୍ରଲୋଭନ ମଧ୍ୟ ଦେଇଥିଲେ। ଘଟଣାକୁ ବିଭ୍ରାନ୍ତ କରିବା ପାଇଁ ସାକ୍ଷୀମାନଙ୍କୁ ପ୍ରବର୍ତାଇଥିଲେ। ପରୀ ସାମାନ୍ୟ ଗରିବ ଅଟୋ ଡ୍ରାଇଭରର ଝିଅ ହୋଇଥିବା କାରଣରୁ କ’ଣ ନ୍ୟାୟ ପାଇବାରୁ ବଞ୍ଚିତ ହେବ? ଧର୍ମକୁ ଆଖି ଠାର ପରି ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏସ୍‌ଆଇଟି ଟିମ୍‌ରେ ଥିବା ସମସ୍ତ ୫ ଜଣ ସଦସ୍ୟ ରାଜ୍ୟ ସରକାରଙ୍କ ଅଧୀନସ୍ଥ କର୍ମଚାରୀ। ତେଣୁ ଏହା ଦ୍ୱାରା ନିରପେକ୍ଷ ତଦନ୍ତ ଆଦୌ ସମ୍ଭବ ନୁହେଁ। କେବଳ ସିବିଆଇ ଦ୍ୱାରା ତଦନ୍ତ ହେଲେ ପ୍ରକୃତ ସତ୍ୟତା ସାମ୍ନାକୁ ଆସିପାରିବ।

ପରୀ ଭଳି ରାଜ୍ୟର ୫୩୨୩ ଶିଶୁ ଅନ୍ତର୍ଦ୍ଧାନ ଅଛନ୍ତି। ରାଜ୍ୟ ସରକାର ଏହାର ସାମାନ୍ୟ ଟେର୍ ପାଉ ନାହାନ୍ତି। ଏଭଳି ଗମ୍ଭୀର ଘଟଣାମାନ ପାଇଁ ସରକାର ଆଦୌ ସମ୍ବେଦନଶୀଳ ନୁହନ୍ତି। ବିରୋଧୀ ଦଳ ଭୂମିକାରେ ଥିବା ସତ୍ତ୍ବେ ଶାସକ ବିଜେଡିକୁ କଂଗ୍ରେସ ଦଳର ସହଯୋଗ ଅତ୍ୟନ୍ତ ଲଜ୍ଜାଜନକ ବୋଲି ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ସମେତ ବିଜେପିର ସମସ୍ତ ବିଧାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର