ଭୁବନେଶ୍ବର : କଂଗ୍ରେସର ସଭାପତି ପାଇଁ ସୋମବାର ଦିନ ଦେଶବ୍ୟାପୀ ମତଦାନ ହୋଇଛି। ଓଡ଼ିଶାରେ ୯୬ ପ୍ରତିଶତ ମତଦାନ ହୋଇଛି। ବିଧାୟକ ମହମ୍ମଦ ମୋକିମଙ୍କ ସମେତ କିଛି ସଦସ୍ୟ ଭୋଟଦାନ ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି।
ଅଖିଳ ଭାରତ କଂଗ୍ରେସ ସଭାପତି ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ମଲ୍ଲିକାର୍ଜୁନ ଖଡ଼ଗେ ଓ ଶଶି ଥରୁର ପ୍ରତିଦ୍ବନ୍ଦିତା କରୁଛନ୍ତି। ଏଥିପାଇଁ ସକାଳ ୧୦ଟାରେ କଂଗ୍ରେସ ଭବନରେ ହୋଇଥିବା ବୁଥ୍ରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୪ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା। ସଦସ୍ୟମାନେ ନିଜର ଆଧାର ଓ ପରିଚୟ ପତ୍ର ଦେଖାଇ ଭୋଟ୍ ଦେଇଥିଲେ। ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବିଧାୟକ ଓ ଅନ୍ୟମାନେ ଭୋଟ୍ ଦେଇଥିଲେ। ଓଡ଼ିଶାରେ ପିସିସିର ୪୨୭ଜଣ ସଦସ୍ୟ ଥିବା ବେଳେ ୪୧୨ଜଣ ଭୋଟ୍ ଦେଇଛନ୍ତି। ଭୋଟିଂ ପାଇଁ ଏଆଇସିସି ପକ୍ଷରୁ ପିଆରଓ ଓ ଏପିଆରଓ ନିଯୁକ୍ତ ହୋଇଥିଲେ। ସେମାନେ ମଧ୍ୟ ଓଡ଼ିଶାରେ ନିଜର ଭୋଟ୍ ଦେଇଛନ୍ତି। ମାତ୍ର ସେମାନଙ୍କ ଭୋଟ୍ ଓଡ଼ିଶା ତାଲିକାରେ ଗଣାଯିବ ନାହିଁ। ଭୋଟ୍ ଗ୍ରହଣ ପରେ ପିଆରଓ, ଏପିଆରଓ ଉଭୟଙ୍କ ନିର୍ବାଚନ ପ୍ରତିନିଧିଙ୍କ ଉପସ୍ଥିତିରେ ଭୋଟ୍ ବାକ୍ସ ସିଲ୍ କରିବା ସହିତ କେନ୍ଦ୍ରୀୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଇ ଦେଇଛନ୍ତି। ଆସନ୍ତା ୧୯ତାରିଖରେ ଫଳାଫଳ ଭୋଷଣା ହେବ।
ଖଡ଼ଗେଙ୍କ ସପକ୍ଷରେ ଓଡ଼ିଶାରୁ ଏକତରଫା ଭୋଟ୍ ପଡ଼ିଥିବା କୁହାଯାଉଛି। ଆଜି କଂଗ୍ରେସ ଭବନ ସମ୍ମୁଖରେ ଏକାଧିକ କଂଗ୍ରେସ ନେତା ନିଜର ପୋଷ୍ଟରରେ ଖଡ଼ଗେଙ୍କ ଫଟୋ ରଖିଥିବା ଦେଖିବାକୁ ମିଳିଥିଲା। କିଛିଦିନ ପୂର୍ବରୁ ଖଡ଼ଗେ ଓଡ଼ିଶା ଆସି ନିଜ ସପକ୍ଷରେ ଭୋଟ୍ ଦେବା ଲାଗି ନିବେଦନ କରିଥିଲେ।
ଭୋଟଦାନ ପ୍ରକ୍ରିୟାରେ ବିଧାୟକ ମୋକିମ୍ ବିରତ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ବାହାରେ ଥିବାରୁ ଭୋଟ୍ଦାନରେ ସାମିଲ ହୋଇପାରି ନ ଥିବା ସେ ସଫେଇ ଦେଇଛନ୍ତି। ମାତ୍ର ଲଗାତାରଭାବେ କଂଗ୍ରେସର କୌଣସି କାର୍ଯ୍ୟକ୍ରମରେ ସାମିଲ୍ ନ ହେବାକୁ ନେଇ ମୋକିମ୍ ଦୂରେଇ ରହିବା ଦଳରେ ସବୁକିଛି ଠିକ୍ଠାକ୍ ନ ଥିବା ଦର୍ଶାଉଛି। ଅସୁସ୍ଥତା କାରଣରୁ ଦେବେନ୍ଦ୍ର ଶର୍ମା ମଧ୍ୟ ଭୋଟ୍ ଦେଇପାରି ନାହାନ୍ତି। ରଂଜୀବ ବିଶ୍ବାଳ ଓଡ଼ିଶାରେ ଭୋଟ୍ ଦେଇ ନାହାନ୍ତି। ମାତ୍ର ସେ ଅନ୍ୟ ରାଜ୍ୟରେ ଭୋଟ୍ ଦେଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ। ସେହିପରି ରାମଚନ୍ଦ୍ର ଖୁଣ୍ଟିଆ, ଅନନ୍ତ ସେଠୀ, ଭକ୍ତ ଦାସ ପ୍ରମୁଖ ରାଜ୍ୟ ବାହାରେ ଭୋଟ ଦେଇଛନ୍ତି।