ଭୁବନେଶ୍ବର: ବେରୋଜଗାରୀ ଦୂର କରିବାକୁ ଉଭୟ ବିଜେପି ଓ ବିଜେଡି ସରକାର ଧ୍ୟାନ ଦେଉନାହାନ୍ତି। ଓଡ଼ିଶାର ୪୧% ଲୋକ ବେରୋଜଗାର ରହିଛନ୍ତି। ବିଜେଡି ୨୪ ବର୍ଷ ସରକାରରେ ରହିବା ପରେ ମଧ୍ୟ ଜଣେ ଯଦି ଲୋକଙ୍କ ଚିନ୍ତା କରିବେନି ତେବେ ସମର୍ଥନ କେଉଁ ମୁହଁରେ ମାଗୁଛନ୍ତି। ଇଣ୍ଡିଆ ମେଣ୍ଟ ସରକାର ଗଣତନ୍ତ୍ରକୁ ବଞ୍ଚାଇବାକୁ ଲଢୁଛି। ସାମ୍ବାଦିକ ସମ୍ମିଳନୀରେ ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏହା କହିଛନ୍ତି। କଂଗ୍ରେସ ନେତା କହିଛନ୍ତି, ଓଡ଼ିଶାର ଭଲ ପାଇଁ ଉଭୟ ବିଜେପି-ବିଜେଡି ମିଳିତ ଭାବେ କାମ କରିବେ ବୋଲି ଭାବୁଥିଲୁ। କିନ୍ତୁ ତାହା କରିପାରିଲେ ନାହିଁ। ମହଙ୍ଗା, ବେରୋଜଗାରୀ ଅଧିକ ବଢ଼ିଛି। ଶସ୍ତାରେ ଶ୍ରମିକ ମିଳୁଥିବା ରାଜ୍ୟ ଭାବେ ଏବେ ଜଣାଶୁଣା। ଓଡ଼ିଶାର ଏହି ପରିଚୟ ଉଭୟ ବିଜେପି-ବିଜେଡି ତିଆରି କରିଛନ୍ତି। ତେଣୁ ଏହି ପରିଚୟକୁ ବଦଳାଇବାକୁ ହେଲେ ବିଜେପି-ବିଜେଡିକୁ ହଟାଇବାକୁ ପଡିବ। ଚିଟଫଣ୍ଡ ଦୁର୍ନୀତି ଏହି ସରକାରକୁ ଭ୍ରଷ୍ଟ ସରକାରର ପରିଚୟ ଦେଇଛି।
କଂଗ୍ରେସ ନେତା କହିଛନ୍ତି, ଆଗକୁ ବିଜେପି-ବିଜେଡିକୁ ଲୋକ ସୁଯୋଗ ଦେବେନି। ଓଡ଼ିଶାରେ ଖଣିଖାଦାନରୁ ପ୍ରବଳ ମାତ୍ରାରେ ଲୁଟ୍ ହେଉଛି। ତେଣୁ ଲୋକଙ୍କୁ ଏବେ ଯେଉଁ ସୁଯୋଗ ମିଳିଛି ତାହାର ସଠିକ୍ ଉପଯୋଗ କରନ୍ତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହୁଛନ୍ତି, ଆମେ ୪୦୦ରୁ ଅଧିକ ଆସନରେ ଜିତିବୁ। କିନ୍ତୁ ଆଗ କୁହନ୍ତୁ, କେଉଁଠୁ ଆଣିବେ ଏତେ ଆସନ? ଓଡ଼ିଶାରେ ବିଜେଡିକୁ ଯେତିକି ଆସନ ମିଳୁଥିଲା, ତାହା ଏଥର ହେବନି। ବରଂ କଂଗ୍ରେସ ଚଳିତ ନିର୍ବାଚନରେ ଫାଇଦା ନେବ। ପ୍ରଧାନମନ୍ତ୍ରୀ ଗ୍ୟାରେଣ୍ଟିର କଥା କହୁଛନ୍ତି। କିନ୍ତୁ ପୂର୍ବରୁ ଦେଇଥିବା କେତୋଟି ଗ୍ୟାରେଣ୍ଟି ପୂରା କରିଛନ୍ତି? ମୋଦୀଙ୍କ ଗ୍ୟାରେଣ୍ଟି ନାମକୁ ମାତ୍ର। କଂଗ୍ରେସ ୫ ନ୍ୟାୟ ଏବଂ ୨୫ ଗ୍ୟାରେଣ୍ଟି ଦେଉଛି। ଲୋକଙ୍କ ପାଇଁ ଗ୍ୟାରେଣ୍ଟି ଦେଉଛି।
ୟୁପିଏ-୨ ସରକାରରେ ଆସିଥିବା ଯୋଜନାରେ ଲୋକମାନେ ଉପକୃତ ହେଉଛନ୍ତି। କିନ୍ତୁ କଂଗ୍ରେସ କେବେ କହିନି ଏସବୁ କାମ କରିଛୁ ବୋଲି। କିନ୍ତୁ ବିଜେପି ସରକାରକୁ ଆସିବା ପରେ ନୋଟବନ୍ଦୀ କରିଛନ୍ତି, ଲୋକଙ୍କୁ ସମସ୍ୟାରେ ପକାଇଛନ୍ତି। ଏଥର ବିଜେପି ସରକାର ଆଉ କେନ୍ଦ୍ରରେ ଆସିବନି। ୨୦୦ରୁ ଅଧିକ ଆସନ ପାଇବନି ବିଜେପି ବରଂ କେନ୍ଦ୍ରରେ ଇଣ୍ଡିଆ ମେଣ୍ଟ ସରକାର ଗଢିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/27a6a123-9ea1-4350-bff9-c0b37bbf81b7.jpeg)