ଆସନ୍ତା ୬ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ

ଭୁବନେଶ୍ୱର : ପୁଣି ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଆସନ୍ତା ୬ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି। ଆସନ୍ତା ୬ ତାରିଖରେ ପଶ୍ଚିମ ଓଡିଶାର ଭବାନୀପାଟଣା ଓ ରାଉରକେଲାରେ ହେବାକୁ ଥିବା ଦୁଇଟି ସମାବେଶରେ ସେ ଯୋଗଦେବେ। ଦୁଇ ବିଧାୟକ ନବ ଦାସ ଓ ଯୋଗେଶ ସିଂ ଦଳ ଛାଡିବା ପରେ କଂଗ୍ରେସର ଗଡ ଥିବା ପଶ୍ଚିମ ଓଡିଶାରେ ଦଳ ଦୁର୍ବଳ ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଥିଲା । ଆଉ ଠିକ୍ ଏହିଭଳି ସମୟରେ ପଶ୍ଚିମ ଓଡିଶାରେ ସମାବେଶ କରି ଦଳକୁ ଶକ୍ତିଶାଳୀ କରିବାକୁ ରାହୁଲ ଆସୁଛନ୍ତି ।

ତେବେ ଆଗାମୀ ଓଡିଶା ଗସ୍ତରେ ରାହୁଲ କଣ କହିବେ ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି । କାରଣ ତମାଣ୍ଡୋ ସଭାରେ ରାହୁଲଙ୍କ ତୀର ଯେଉଁଭଳି ଉଭୟ ବିଜେଡି ଓ ବିଜେପିକୁ କ୍ଷତାକ୍ତ କରିଥିଲେ ତାହାର କ୍ଷତ ଏଯାଏଁ ଶୁଖିନି । ତମାଣ୍ଡୋରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ସିଧାସଳଖ ହମଲା କରିଥିଲେ ରାହୁଲ । ବିଜେଡି ବିରୋଧରେ ଲମ୍ବା ଅଭିଯୋଗଫର୍ଦ୍ଦ ଧରି ଦିଲ୍ଲୀରୁ ଆସିଥିଲେ ରାହୁଲ । ବିଜେଡି ସରକାରଙ୍କ ରିମୋଟ ମୋଦି ସରକାର ଚଳାଉଥିବା ବେଳେ ରାଜ୍ୟରେ ଅମଲା ଶାସନ ଚାଲୁଛି ବୋଲି କହି ରାଜ୍ୟ ସରକାରଙ୍କୁ ନିଶାନା କରିଥିଲେ ।

କେବଳ ରାଜ୍ୟ ସରକାର ନୁହେଁ ବରଂ କେନ୍ଦ୍ରରେ ଥିବା ମୋଦି ସରକାରକୁ ମଧ୍ୟ ଛାଡିନଥିଲେ କଂଗ୍ରେସ କମାଣ୍ଡର । ରାଫେଲ ପ୍ରସଙ୍ଗ ଉଠାଇ ମୋଦି ସରକାରକୁ କାଠଗଡାକୁ ଟାଣିଥିଲେ ରାହୁଲ । ଏହାସହ କେନ୍ଦ୍ର ସରକାରଙ୍କୁ ଭ୍ରଷ୍ଟ ସରକାର କହିବା ସହ ରାଜନୀତିକୁ ଉଷ୍ମ କରିଥିଲେ । ମୋଦି ଓ ନବୀନ ମଧ୍ୟରେ ଥିବା ସର୍ମ୍ପକ କାରଣରୁ ରାଜ୍ୟବାସୀ ନିଜ ହକରୁ ବଞ୍ଚିତ ହେଉଛନ୍ତି ବୋଲି କହି ଆକ୍ଷେପ କରିଥିଲେ ରାହୁଲ । ଆଉ ଏହାସହ କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟରେ ୧୦ ଦିନ ମଧ୍ୟରେ କୃଷି ଋଣ ଛାଡ କରିବା ସହ ମାଷ୍ଟରଷ୍ଟ୍ରୋକ ମାରିଥିଲେ ।

ଉଭୟ ବିଜେଡି ଓ ବିଜେପିକୁ ରାହୁଲ ଡାଇରେକ୍ଟ ଆଟାକ କରିବା କଂଗ୍ରେସ କର୍ମୀ ମାନଙ୍କୁ ମଧ୍ୟ ବେଶ ଉତ୍ସାହିତ କରିଥିଲା । ଦୀର୍ଘ ଦିନ ଧରି ଶୋଇ ପଡିଥିବା କଂଗ୍ରେସ କର୍ମୀଙ୍କ ମଧ୍ୟରେ ନିଜ ବୟାନ ମାଧ୍ୟମରେ ଶତସିଂହର ବଳ ସଞ୍ଚାର କରିଥିଲେ ରାହୁଲ । ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ରାହୁଲଙ୍କ ଭାଷଣ କଂଗ୍ରେସ କର୍ମୀଙ୍କୁ ଆକ୍ଟିଭ ମୋଡକୁ ଆଣିଥିଲା । ଏସବୁ ଭିତରେ ପୁଣିଥରେ ଓଡିଶା ଗସ୍ତରେ ଆସୁଛନ୍ତି ରାହୁଲ । ଆଉ ଫୋକସରେ ରହିଛି ଭୁଷୁଡି ପଡିଥିବା କଂଗ୍ରେସର ପଶ୍ଚିମ ଓଡିଶା ଗଡ । କେବଳ ରାହୁଲ ନୁହେଁ ନିର୍ବାଚନ ପୂର୍ବରୁ ନୂଆ କରି ସକ୍ରିୟ ରାଜନୀତିରେ ସାମିଲ ହୋଇଥିବା ଭଉଣୀ ପ୍ରିୟଙ୍କା ମଧ୍ୟ ଘନ ଘନ ଓଡିଶା ଗସ୍ତ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ବିଜେପି ଭଳି କଂଗ୍ରେସ ଫୋକସରେ ମଧ୍ୟ ରହିଛି ପଶ୍ଚିମ ଓଡିଶା ।

ସମ୍ବନ୍ଧିତ ଖବର