ସେସୁର ଜବରଦସ୍ତ ବିଦ୍ୟୁତ ବିଲ୍ ଆଦାୟ ନେଇ ଗର୍ଜିଲା କଂଗ୍ରେସ

ସାଧାରଣ ବିଦ୍ୟୁତ ଉପଭୋକ୍ତାଙ୍କୁ ମାଡ଼, ଶିଳ୍ପ କମ୍ପାନିଙ୍କୁ ଛାଡ଼

ଭୁବନେଶ୍ବର : ବକେୟା ବିଦ୍ୟୁତ ବିଲ୍‌ ପୈଠ ନ କଲେ ଆସନ୍ତା ଜାନୁଆରି ୧୫ ତାରିଖରୁ ଉପଭୋକ୍ତାମାନଙ୍କ ବିଦ୍ୟୁତ ସଂଯୋଗ କାଟି ଦିଆଯିବ ବୋଲି ସେସୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଯେଉଁ ଧମକ ଦେଇଛନ୍ତି ତାକୁ ପ୍ରଦେଶ କଂଗ୍ରେସ କମିଟି ତୀବ୍ର ବିରୋଧ କରିଛି। ଦଳ ଅଭିଯୋଗ କରିଛି, ସାଧାରଣ ଉପଭୋକ୍ତାଙ୍କୁ ମାଡ଼ ଓ କମ୍ପାନିକୁ ଛାଡ଼ ନୀତି ଗ୍ରହଣ କରିଛି ନବୀନ ସରକାର। ହାତ ଗଣତି କେତେକ କମ୍ପାନି ଉପରେ ବାକି ପଡ଼ିଥିବା ବିଦ୍ୟୁତ ବିଲ୍‌ କେବେ ଆଦାୟ କରିବେ ଓ କାହାର କାହାର ବିଦ୍ୟୁତ ବିଚ୍ଛିନ୍ନ କରିବେ ତାର ସବିଶେଷ ତଥ୍ୟ ସମ୍ବଳିତ ଶ୍ବେତପତ୍ର ଜନସାଧାରଣଙ୍କ ଆଗରେ ରଖିବାକୁ ପ୍ରଦେଶ କଂଗ୍ରେସ କମିଟି ଦାବି କରିଛି।

ଆଜି କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ମନୋଜ ମହାପାତ୍ର କହିଥିଲେ ଯେ ୭ ଲକ୍ଷ ବିଦ୍ୟୁତ ଉପଭୋକ୍ତା ତାଙ୍କର ଘରୋଇ ବ୍ୟବହୃତ ବିଜୁଳି ବିଲ୍ ପୈଠ ନ କଲେ ଆସନ୍ତା ୧୫ ତାରିଖରୁ ବିଦ୍ୟୁତ ସଂଯୋଗ କାଟି ଦିଆଯିବ ବୋଲି ସେସୁ ଅଧିକାରୀ ଅରୁଣ ବୋଥ୍ରା ଧମକ ଦେଇଛନ୍ତି। ଅନ୍ୟପକ୍ଷରେ ବହୁ ଘରୋଇ ଶିଳ୍ପ ସଂସ୍ଥା, ସରକାରୀ ଉଦ୍ୟୋଗ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଉପରେ କୋଟି କୋଟି ଟଙ୍କାର ବିଦ୍ୟୁତ ବିଲ୍ ବାକି ରହିଛି। ୨୦୧୬ ମସିହାରେ ତତ୍କାଳୀନ ଅର୍ଥମନ୍ତ୍ରୀଙ୍କ ଲିଖିତ ଉତ୍ତରକୁ ଆଧାର କରି ଶ୍ରୀ ମହାପାତ୍ର କହିଲେ ଯେ, କୋର୍ଟରେ ମକଦ୍ଦମାର ଆଳ ଦେଖାଇ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ୩୧୪ କୋଟି, ନାଲକୋ ୩୫୪ କୋଟି, ଆରତି ଷ୍ଟିଲ ଆଣ୍ଡ ପାୱାର ୪୦ କୋଟି, ଆଇସିଏଲ/ ଇମ୍ଫା, ଚୌଦ୍ବାର ୮୭୨ କୋଟି ସମେତ ୨୬ଟି କମ୍ପାନି ଉପରେ ମୋଟ ୧୮୭୪ କୋଟି ଟଙ୍କାର ବିଦ୍ୟୁତ ବିଲ ବାକି ରହିଛି। ଏହି ସଂସ୍ଥାଗୁଡିକଠାରୁ ନା ବିଦ୍ୟୁତ ବିଲ ଆଦାୟ ହୋଇ ପାରିଛି ନା ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ପୁନଃଶ୍ଚ ବହୁ ଶିଳ୍ପସଂସ୍ଥା ଜାଣିଶୁଣି କୋଟି କୋଟି ଟଙ୍କାର ବିଦ୍ୟୁତ ବିଲ୍‌ ବକେୟା ରଖିଥିବା ବେ‌ଳେ ରାଜ୍ୟ ସରକାର ତାକୁ ଆଦାୟ କରିବାରେ ଅସମର୍ଥ। ବିଦ୍ୟୁତ ବିତରଣକାରୀ ସଂସ୍ଥା ଓ ରିଲାଆନ୍ସ ଇନଫ୍ରା ଲିମିଟେଡ କୋଟି କୋଟି ଟଙ୍କାର ବିଦ୍ୟୁତ ରାଜସ୍ବ ନେଇ ଫେରାର। ଓଡ଼ିଶାରୁ ବିଦ୍ୟୁତ କିଣି ଦିଲ୍ଲୀରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଦିଆଯାଉଥିବାବେଳେ ଓଡ଼ିଶାର ଉପଭୋକ୍ତା ଉପରେ ଅଧିକରୁ ଅଧିକ ବିଦ୍ୟୁତ ଶୁଳ୍କ ନିଆଯାଉଛି। ଚାଷୀଙ୍କୁ ମାଗଣା ବିଦ୍ୟୁତ ଯୋଗାଣ କରିବା ବିଜୁ ଜନତା ଦଳ ତରଫରୁ ନିର୍ବାଚନ ସମୟରେ ଯେଉଁ ଘୋଷଣା କରାଯାଇଥିଲା ତାହା ସଂପ୍ରତି ରାଜନୈତିକ ଧୂଆଁବାଣରେ ପରିଣତ ହୋଇଛି। ‘୫-ଟି’ ଶାସନ ବୋଲି ଦାବି କରୁଥିବା ଓଡ଼ିଶା ସରକାର ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ଏହା ଉପରେ ସ୍ପଷ୍ଟୀକରଣ ଦେବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି।

ପୁନଶ୍ଚ ସରକାର ଜାଣିଶୁଣି ନିଜର ଅପାରଗତାକୁ ଲୁଚାଇବା ପାଇଁ ସାଧାରଣ ଉପଭୋକ୍ତାଙ୍କ ଉପରେ ଜୁଲମ କରିବାର ଯେଉଁ ଷଡ଼ଯନ୍ତ୍ର କରୁଛନ୍ତି ତାକୁ ପ୍ରଦେଶ କଂଗ୍ରେସ ତୀବ୍ର ନିନ୍ଦା କରିଛି। ଆଗାମୀ ଦିନରେ ଏହାକୁ ବ୍ୟାପକ ଜନ ଆନ୍ଦୋଳନର ରୂପ ଦିଆଯିବ ବୋଲି ପଦ୍ମାକର ଗୁରୁ ଚେତାବନୀ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରଜନୀ ମହାନ୍ତି, ଅମିୟ ପାଣ୍ଡବ, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର