ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା କଂଗ୍ରେସ

ଭୁବନେଶ୍ବର : କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଦ ବିରୋଧରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ବହୁ କଂଗ୍ରେସ ନେତୃବୃନ୍ଦ ମାଷ୍ଟରକ୍ୟାଣ୍ଟିନ୍ ଛକରେ ମୋଦୀଙ୍କ ବିରୋଧରେ ନାରାବାଜି କରିଥିଲେ।

କଂଗେସ ପକ୍ଷରୁ କୁହାଯାଇଛି ସଂସଦରେ ରାହୁଳ ଗାନ୍ଧୀ ମୋଦୀ-ଆଦାନି ସଂପର୍କିତ ଦୁର୍ନୀତିକୁ ଉଠାଇବା ପରେ ବିଜେପି ସାଂସଦ ଓ ଖୋଦ୍ ପ୍ରଧାନମନ୍ତ୍ରୀ ଏହାକୁ ସାମ୍ନା କରିବାର ସତ୍‌ସାହସ ଦେଖାଇପାରିଲେ ନାହିଁ। ଦେଶର ବିଭିନ୍ନ ବ୍ୟାଙ୍କରୁ ହଜାର ହଜାର କୋଟି ଲୁଟ୍‌ କରି ଲଳିତ ମୋଦୀ, ନିରବ ମୋଦୀ ଓ ମେହୁଲ ଚୋକ୍ସି ଦେଶ ଛାଡ଼ି ପଳାଇଛନ୍ତି। ଏହି ପ୍ରଶ୍ନ ଉଠାଇବା ଜଣେ ରାଜନୈତିକ ବ୍ୟକ୍ତିଙ୍କ ପ୍ରଥମ କର୍ତବ୍ୟ। ରାହୁଳ ସତ୍ୟ ଓ ଅହିଂସାର ପଥରେ ଯାଉଛନ୍ତି, ତାଙ୍କୁ କେହି ଡରାଇପାରିବେ ନାହିଁ। ଦେଶର ଗଣତନ୍ତ୍ର ଓ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅତୁଟ ରଖିବା ପାଇଁ ରାହୁଳ ଗାନ୍ଧୀ ଓ କଂଗ୍ରେସ ଦଳ ବଦ୍ଧପରିକର। ଗୁଜରାଟର କୋର୍ଟ ସମ୍ମାନହାନୀ ମାମଲାରେ ରାହୁଳଙ୍କ ବିରୋଧରେ ଯେଉଁ ଦଣ୍ଡାଦେଶ ଶୁଣାଇଛନ୍ତି ଓ ତାଙ୍କ ସଦସ୍ୟତା ପଦ ରଦ୍ଦ ବିରୋଧରେ କଂଗ୍ରେସ ଦଳ ଆଇନଗତ ଲଢ଼େଇ ଜାରି ରଖିବ।

ବିଧାୟକ ସୁରେଶ ରାଉତରାୟ ଓ ତାରା ପ୍ରସାଦ ବାହିନୀପତି କହିଛନ୍ତି, ପ୍ରଥମଥର ପାଇଁ ଜଣେ ପ୍ରଧାନମନ୍ତ୍ରୀ ଭୟରେ ବିରୋଧୀଙ୍କ ସ୍ବରକୁ ଚାପି ଦେବା ପାଇଁ ଚେଷ୍ଟା ଚଳାଇଛନ୍ତି। କଂଗ୍ରେସ ଆଗାମୀ ଦିନରେ ଶକ୍ତିଶାଳୀ ହେବ ଓ ଗଣତନ୍ତ୍ର ବିରୋଧୀ ସରକାରକୁ ପରାସ୍ତ କରିବ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଶରତ ରାଉତ, ଲଲାଟେନ୍ଦୁ ମହାପାତ୍ର, ଶୁଭେନ୍ଦୁ ମହାନ୍ତି, ପ୍ରକାଶ ଜେନା, ଚିନ୍ମୟ ବେଉରିଆ, ରବୀନ୍ଦ୍ର ସେଠୀ, ଶିବାନନ୍ଦ ରାୟ, ବିଶ୍ବଜିତ ଦାଶ, ୟା‌ସିର ନୱାଜ, ମନୋରଂଜନ ଦାଶ, ମାନସ ଆଚାର୍ଯ୍ୟ, ରଜତ ‌ଚୌଧୁରୀ, ଶ୍ରୀନିବାସ ରାଉତରାୟ, ରାଜୀବ ପଟ୍ଟନାୟକ, ଚିନ୍ମୟ ସୁନ୍ଦର ଦାସ, ମନୋଜ ସାହୁ, ରଜନୀ ମହାନ୍ତି, ସୁଶାନ୍ତ ତ୍ରିପାଠୀ, ତରୁଣ ମିଶ୍ର, ଜାନକୀ ମଲ୍ଲିକ, ଅଶୋକ ଦାସ, ମିହିର ଆଚାର୍ଯ୍ୟ, ପ୍ରଭାତ ପ୍ରତାପ ସିଂ, ବାବୁ ଜେନା, ଲିଙ୍ଗରାଜ ସାହୁ, ଜୟକୃଷ୍ଣ ସୁବୁଦ୍ଧି, କୈଳାସ ସାହୁ, କୁସୁମ ପ୍ରଧାନ, ସଙ୍କୁନା କହଁର, ଜିତେନ୍ଦ୍ର ପଣ୍ଡା, ସରୋଜ ଲେଙ୍କା, ଖଗେଶ୍ବର ମଲ୍ଲିକ, ସାଗର ପରିଡ଼ା, ଦୀପକ ସାହୁ, ଜ୍ୟୋତିଷ ସାହୁ ଓ ବୈଲୋଚନ ସାହୁ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର