ଭୁବନେଶ୍ୱର: ଶ୍ରୀମନ୍ଦିର ଚାରି ଦ୍ବାର ଭକ୍ତଙ୍କ ପାଇଁ ଖୋଲିବା ଦାବିକୁ ଜୋର୍‌ଦାର କରିଛି କଂଗ୍ରେସ। ଗତ ୧୬ ତାରିଖରେ ଏହି ଦାବି ନେଇ ପୁରୀରେ ଦଳ ପକ୍ଷରୁ ଶୋଭାଯାତ୍ରା କରାଯାଇଥିଲା। ସରକାରଙ୍କୁ ୨୮ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। କିନ୍ତୁ ସମୟସୀମା ଭିତରେ ସରକାର ପଦକ୍ଷେପ ନ ନେବାରୁ କଂଗ୍ରେସ ପରବର୍ତ୍ତୀ ଆନ୍ଦୋଳନ ସମ୍ପର୍କରେ ଆଜି ଘୋଷଣା କରିଛି। ଆସନ୍ତା ନଭେମ୍ବର ୯ ତାରିଖରେ ରାଜ୍ୟର ସମସ୍ତ ବ୍ଲକ, ଏନ୍‌ଏସି, ପୌରପାଳିକା ଓ ମହାନଗର ନିଗମରେ ଥିବା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଦିନ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଦୀପ ପ୍ରଜ୍ଜ୍ୱଳନ କରି କଂଗ୍ରେସ ପକ୍ଷରୁ ସଂକୀର୍ତନ ସତ୍ୟାଗ୍ରହ କରାଯିବ।

Advertisment

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଲେ, ଓଡ଼ିଶା ସରକାର ଲକ୍ଷ ଲକ୍ଷ ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ ବାରମ୍ବାର କୁଠାରଘାତ କରୁଛନ୍ତି। ଗତ ୧୬ ତାରିଖରେ କଂଗ୍ରେସ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ୬ ଦଫା ସମ୍ବଳିତ ସ୍ମାରକପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିଲା। ଏହି ଦାବିଗୁଡ଼ିକ ଥିଲା, ଶ୍ରୀମନ୍ଦିରର ଚାରି ଦ୍ୱାରକୁ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଖୋଲିବା, ରତ୍ନ ଭଣ୍ଡାରର ଗଣତି କାର୍ଯ୍ୟ ଆରମ୍ଭ କରିବା ସହିତ ବେଦାନ୍ତ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଜଗନ୍ନାଥଙ୍କ ଅମୃତମଣୋହୀ ଜମିକୁ ଫେରାଇବା, ପୁରୀର ଭୂମିହୀନ ସେବାୟତଙ୍କୁ ଜମି ପ୍ରଦାନ ସହିତ ୮୦ ହଜାର ପୁରୀ ବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିବା। କିନ୍ତୁ ସରକାର କଂଗ୍ରେସର ଏହି ଦାବିକୁ ଗ୍ରହଣ କଲା ନାହିଁ। ଏ ସରକାର ଭକ୍ତ ଓ ଭଗବାନ ମଧ୍ୟରେ ଏକ ପାଚେରୀ ହୋଇ ଛିଡ଼ା ହୋଇଛନ୍ତି। ପବିତ୍ର ଧର୍ମ ମାସରେ ଭକ୍ତମାନଙ୍କୁ ଶ୍ରୀମନ୍ଦିରକୁ ଅନାୟସରେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଦାୟିତ୍ୱ ନିର୍ବାହ କରିବା ପରିବର୍ତ୍ତେ ଦ୍ୱାର ବନ୍ଦ କରି ରଖିବା ଜଗନ୍ନାଥ ସଂସ୍କୃତି ବିରୋଧୀ।

ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଲେ, ରାଜ୍ୟ ସରକାର ୨୦୧୬ ମସିହାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଯୋଜନା କରିଥିଲେ। କିନ୍ତୁ ୨୦୧୯ ମସିହା ଡିସେମ୍ବର ମାସରେ ଏହି ପ୍ରକଳ୍ପର କାର୍ଯ୍ୟାରମ୍ଭ କରିଥିଲେ। ଅବଢ଼଼ା ଯୋଜନା ମାଧ୍ୟମରେ ୩୨୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ଏହି ଯୋଜନାରେ ୨୫ଟି ପ୍ରକଳ୍ପ ଅନ୍ତର୍ଭୁକ୍ତ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ୨ଟି ପ୍ରକଳ୍ପ ମଧ୍ୟ ସଂପୂର୍ଣ୍ଣ ଭାବେ ସରିନାହିଁ। ଏହା ରାଜ୍ୟ ସରକାରଙ୍କର ସମାୟାନୁବର୍ତିତା କି?
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଗଣେଶ୍ୱର ବେହେରା, ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ, ପିସିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଜୟୀରାମ ପଟ୍ଟନାୟକ, ବିନାୟକ ଦାସମହାପାତ୍ର, ସୁଜିତ ମହାପାତ୍ର, ଲଲାଟେନ୍ଦୁ ଦାଶ, ମିତ୍ରଭାନୁ ମହାପାତ୍ର ଓ ନିରଞ୍ଜନ ରଥ ପ୍ରମୁଖ ଉପସ୍ଥିତ ଥିଲେ।