କେନ୍ଦ୍ରର ଆକ୍ରୋଶ ବିରୋଧରେ କଂଗ୍ରେସର ଧାରଣା, ଆଜି ଜିଲ୍ଲାସ୍ତରରେ ପ୍ରତିବାଦ ସଭା

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଆକ୍ରୋଶମୂଳକ ରାଜନୀତି ଓ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ଦିଲ୍ଲୀ ପୁଲିସର ବର୍ବରତା ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛି ରାଜ୍ୟ କଂଗ୍ରେସ। ଏଆଇସିସିର ନିଷ୍ପତ୍ତି ଅନୁଯାୟୀ ଗୁରୁବାର ଦିନ ଏହାର ବିରୋଧରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ଏଡିଏମ୍‌ କାର୍ଯ୍ୟାଳୟରୁ ବାହାରି ପାୱାର ହାଉସ ଛକ ଦେଇ ରାଜଭବନ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଗତ କିଛିଦିନ ଧରି କେନ୍ଦ୍ରର ମୋଦୀ ଓ ତାଙ୍କ ସରକାର ରାହୁଲ ଓ ସୋନିଆ ଗାନ୍ଧୀଙ୍କ ବିରୋଧରେ ଆକ୍ରୋଶମୂଳକ, ଅସାମ୍ବିଧାନିକ କାର୍ଯ୍ୟକୁ ଦିଲ୍ଲୀ ପୁଲିସ ଓ ଇଡି ଜରିଆରେ କରାଉଛନ୍ତି। ଏହା କେନ୍ଦ୍ର ସରକାରଙ୍କୁ ମହଙ୍ଗା ପଡ଼ିବ। ଦେଶରେ ବେରୋଜଗାରୀ ସର୍ବୋଚ୍ଚ ସୀମା ଅତିକ୍ରମ କରି ଆସିଛି। ଦରଦାମ୍ ବଢ଼ି ଚାଲିଥିବା ବେଳେ ଚାଷୀମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। ସରକାରଙ୍କ ଏସବୁ ବିଫଳତାକୁ ରାହୁଲ ଗାନ୍ଧୀ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକ୍ରମଣ କରିବା ସହିତ କଠୋର ସମାଲୋଚନା କରି ଆସୁଛନ୍ତି। ତାଙ୍କ ମୁହଁକୁ ବନ୍ଦ କରିବା ଓ କଂଗ୍ରେସର ସ୍ବର ଚପାଇବାକୁ ଇଡି ଜରିଆରେ ଉଦ୍ୟମ କରାଯାଉଛି। ମିଛ ମକଦ୍ଦମା ଲଗାଇ ଗାନ୍ଧୀ ପରିବାରକୁ ବଦନାମ କରିବା ଲାଗି ଚେଷ୍ଟା ଚାଲିଛି। ମୋଦୀ ସରକାର ଏଥିରୁ କ୍ଷାନ୍ତ ରୁହନ୍ତୁ। ଏହାର ବିରୋଧରେ ଆଜି ପ୍ରତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ଶାନ୍ତିପୂର୍ଣ୍ଣଭାବେ ଆନ୍ଦୋଳନ କରୁଥିବା କଂଗ୍ରେସ ନେତୃବୃନ୍ଦଙ୍କୁ ଦିଲ୍ଲୀ ପୁଲିସ ଯେଉଁ ବ୍ୟବହାର ଦେଖାଇଛି ତାହା ସ୍ବାଧୀନ ଭାରତରେ କେବେ ଦେଖିବାକୁ ମିଳି ନ ଥିଲା। ପୁଲିସର ଏହି ଆକ୍ରୋଶରୁ ମହିଳା ସାଂସଦ ବାଦ୍ ପଡ଼ି ନାହାନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା କହିଥିଲେ, ‌ଯେଉଁ ନାସନାଲ ହେରାଲ୍‌ଡ ଖବର କାଗଜର ମନି ଲଣ୍ଡରିଂ କଥା କୁହାଯାଉଛି, ଆଜି ପର୍ଯ୍ୟନ୍ତ କୌଣସି ଥାନାରେ ଏତଲା ଦାୟର ହୋଇନାହିଁ। ଯଦି ଏତଲା ଦାୟର ହୋଇଛି, ତାହାଲେ ଇଡି କିମ୍ବା ଗୃହ ମନ୍ତ୍ରୀ ଏତଲା ସଂଖ୍ୟାର ନମ୍ବର, କେଉଁ ତାରିଖରେ ଓ କେଉଁଠି ହୋଇଛି ବୋଲି ଦେଶବାସୀଙ୍କୁ ଜଣାନ୍ତୁ।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ ରାଉତରାୟ, ସନ୍ତୋଷ ସିଂ ସାଲୁଜା, ଦାଶରଥୀ ଗମାଙ୍ଗ, ଜଗନ୍ନାଥ ପଟ୍ଟନାୟକ, ପଞ୍ଚାନନ କାନୁନ୍‌ଗୋ, ଗଣେଶ୍ବର ବେହେରା, ଅନନ୍ତ ପ୍ରସାଦ ସେଠୀ, ସୁରେଶ ମହାପାତ୍ର, ଯୁଧଷ୍ଠିର ଜେନା, ଲଲାଟେନ୍ଦୁ ମହାପାତ୍ର, ସୁରେନ୍ଦ୍ର ପରମାଣିକ, ନିମାଇଁ ସରକାର, ରବୀନ୍ଦ୍ର ମଲ୍ଲିକ, ଦେବାଶିଷ ପଟ୍ଟନାୟକ, ସସ୍ମିତା ବେହେରା, ବିଶ୍ବରଂଜନ ମହାନ୍ତି, ବନ୍ଦିତା ପରିଡ଼ା, ଲୋକନାଥ ମହାରଥୀ, କିଶୋର ଜେନା, ଚିନ୍ମୟ ସୁନ୍ଦର ଦାସ, ସ୍ମୃତିରଂଜନ ଲେଙ୍କା, ୟାସିର ନୱାଜ, ବାଙ୍ଗନିଧି ବେହେରା, ଅମିୟ ପଟ୍ଟନାୟକ, ଚିନ୍ମୟ ବେହେରା, ପଦ୍ମାକର ଗୁରୁ, ରଜନୀ ମହାନ୍ତି, ରାଜୀବ ପଟ୍ଟନାୟକ, ଶିବାନନ୍ଦ ରାୟ, ଜାନକୀ ବଲ୍ଲଭ ପଟ୍ଟନାୟକ, ସମୀର ରାଉତରାୟ ଓ ଅନ୍ୟମାନେ ଯୋଗ ଦେଇଥିଲେ। ବରିଷ୍ଠ କଂଗ୍ରେସ ନେତା ଶୁଭେନ୍ଦୁ ମହାନ୍ତି ଏହାକୁ ପରିଚାଳନା କରିଥିବା ବେଳେ ବିଶ୍ବଜିତ ଦାଶ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର