ତେଲ ଦରବୃଦ୍ଧିରେ ଗର୍ଜିଲା କଂଗ୍ରେସ

ଦର ବୃଦ୍ଧିର କଷ୍ଟ ସମ୍ପର୍କରେ ଲୋକଙ୍କୁ ପଚାରି ବୁଝିଲେ ପିସିସି ସଭାପତି

ଭୁବନେଶ୍ବର : ହୁ ହୁ ହୋଇ ବଢ଼ି ଚାଲିଥିବା ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଦେଶବ୍ୟାପୀ ରାଜରାସ୍ତାକୁ ଓହ୍ଲାଇଛି। ଏହି କ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଦଳୀୟ ନେତାମାନେ ରାଜଭବନ ଆଗରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। କୋଭିଡ୍‌ ଲକ୍‌ ଡାଉନ୍‌ ଯୋଗୁ ଲୋକଙ୍କ ରୋଜଗାର ନଥିବା ବେଳେ ତୈଳ ଦର ବୃଦ୍ଧି ଲୋକଙ୍କ ଦୁର୍ଦ୍ଦଶାକୁ ଆହୁରି ବଢ଼ାଇ ଦେଇଛି ବୋଲି ଅଭିଯୋଗ ଆଣି କଂଗ୍ରେସ ନେତାମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଷୋଦଗାର କରିଥିଲେ। ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ବର ଏଡିଏମଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଥିଲେ ଯେ ଦେଶରେ ଗୁରୁତର ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ମୋଦୀ ସରକାର ତେଲର ଉତ୍ପାଦ ଶୁଳ୍କ ବଢାଇଲେ। ଉପା ସରକାର-୨ ସମୟରେ ୨୦୧୧ ମସିହାରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୭ ଡଲାର ଥିଲା। ସେତେବେଳେ ପେଟ୍ରୋଲ ଲିଟର ପିଛା ୭୮ ଓ ଡିଜେଲ ଲିଟର ପିଛା ୭୩ ଟଙ୍କାରେ ମିଳୁଥିଲା। କିନ୍ତୁ ଏବେ ଅଶୋଧିତ ତୈଳ ବ୍ୟାରେଲ ପିଛା ୪୨ ଡଲାରରୁ କମ ରହିଛି। ଅଥଚ ପେଟ୍ରୋଲ ଲିଟର ପିଛା ୮୧ ଓ ଡିଜେଲ ୮୦ ଟଙ୍କାରେ ପହଞ୍ଚିଛି। ଗତ ୬ ବର୍ଷ ଭିତରେ ମୋଦୀ ସରକାର ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ବଢାଇ ୧୮ ଲକ୍ଷ କୋଟି ଟଙ୍କା ଆଦାୟ କରିଛନ୍ତି। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଥିଲେ ଗତ ୨୧ ଦିନ ଭିତରେ ଡିଜେଲ ୨୧.୦୫ ପଇସା ଓ ପେଟ୍ରୋଲ ୯ ଟଙ୍କା ବଢ଼ିଛି। ଫଳରେ ଅତ୍ୟାବଶ୍ୟକ ସାମଗ୍ରୀର ଦାମ ଆକାଶ ଛୁଆଁ ହେଲାଣି। ଖଟିଖିଆ ମଜୁରିଆମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ପଟେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ବଢ଼ାଉଥିବା ବେଳେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଭାଟ ବଢ଼ାଇ ଚାଲିଛନ୍ତି। ଦୁଇ ସରକାର ମିଶି ଟଙ୍କା ଆଦାୟ କରିବାରେ ବ୍ୟସ୍ତ। ବର୍ତ୍ତମାନ ତେଲରୁ ୧୮ ହଜାର କୋଟି ଟଙ୍କା ଆଦାୟ କରିସାରିଲେଣି। ଏହି ଟଙ୍କା ଗରିବ ଓ ଖଟିଖିଆଙ୍କ ପାଇଁ ଖର୍ଚ୍ଚ କରିବାକୁ ଶ୍ରୀ ମାଝୀ ଦାବି କରିଥିଲେ।

ଏହି ଅବସରରେ ପିସିସି ସଭାପତି ରାସ୍ତାରେ ଯାଉଥିବା ଅଟୋଚାଳକ, ବାଇକ ଚାଳକ, କର୍ମଜୀବୀ ମହିଳାଙ୍କୁ ତେଲ ଦର ବୃଦ୍ଧି ସମ୍ପର୍କରେ ସେମାନଙ୍କର ମତାମତ ପଚାରି ବୁଝିଥିଲେ। ତେଲ ଦର ବୃଦ୍ଧି ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀ ବୃଦ୍ଧି ଆର୍ଥିକ ଅବସ୍ଥା ଖରାପ ହେଉଥିବା ନେଇ ସମସ୍ତେ ମତ ରଖିଥିଲେ। ରାଜଭବନ ସମ୍ମୁଖରେ ପୂର୍ବାହ୍ନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ରାମଚନ୍ଦ୍ର ଖୁଣ୍ଟିଆ, ଶରତ ରାଉତ, ଶିବାନନ୍ଦ ରାୟ, ବିଜୟଲକ୍ଷ୍ମୀ ସାହୁ, ବିପିନ ଦାସ, କିଶୋର ଜେନା, ଅମୀୟ କୁମାର ପଟ୍ଟନାୟକ, ବିଶ୍ବଜିତ ଦାଶ, ପଦ୍ମାକର ଗୁରୁ, ବିଷ୍ଣୁଚରଣ ବାରିକ, ଚିନ୍ମୟ ସୁନ୍ଦର ଦାସ, ମନୋରଞ୍ଜନ ଦାଶ, ହ​ଳଧର ସେଠୀ ପ୍ରମୁଖଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର