ବିଧାୟକଙ୍କ ବିରୋଧରେ କଂଗ୍ରେସର ବିଷୋଦ୍‌ଗାର, କୁଶପୁତ୍ତଳିକା ଦାହ

'ଗୋପାଳପୁର ନିର୍ବାଚନମଣ୍ଡଳୀର ନାଁକୁ ପ୍ରଦୀପ ବଦ୍‌ନାମ କରିଛନ୍ତି'

ଗୋପାଳପୁର/ଗୋଳନ୍ଥରା: ଜନବିରୋଧୀ କାର୍ଯ୍ୟକଳାପ ଅଭିଯୋଗ‌ରେ ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ କଂଗ୍ରେସ ଆଜି ବିଷୋଦ୍‌ଗାର କରିଛି। ‘ଗୋପାଳପୁର ବିଧାୟକ ଡାଉନ୍ ଡାଉନ୍’ ଓ ‘ବିଧାୟକଙ୍କୁ ପଦରୁ ଅନ୍ତର କରାଯାଉ’ ନାରାବାଜି ଦେଇ ଆଜି ଗୋପାଳପୁର ନିର୍ବାଚନମଣ୍ଡଳୀର କର୍ମୀ ମାନେ କୁଶପୁତ୍ତଳିକା ଦାହ କରିଥିଲେ। ରଙ୍ଗେଇଲୁଣ୍ଡା ବ୍ଲକ କଂଗ୍ରେସ ସଭାପତି ଏସ.ଧର୍ମରାଜୁ ରେଡ୍ଡୀଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଗୋପାଳପୁର ଥାନା ନିକଟରେ ଓ କରାପଲ୍ଲୀ, ନାରାୟଣପୁର, ଡୁରା ଏବଂ ହଳଦିଆପଦର ଛକ ଠାରେ ପ୍ରତିବାଦ କରିଥିଲେ। କନିଷି ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ବିଧାୟକଙ୍କ କୁଶପୁତ୍ତଳିକା ଦାହ ସହ ବାଣ ଫୁଟାଇଥିଲେ। ଏହାସହ ବିଭିନ୍ନ ନାରା ଦେଇ ଗୋପାଳପୁରରେ ବାଇକ୍ ଯୋଗେ ପରିକ୍ରମା କରିଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ରହ୍ମପୁର ଏସ୍‌.ପି.ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

‌ବିଧାୟକଙ୍କ ଯୋଗୁଁ ଗଞ୍ଜାମ ଜିଲ୍ଲାର ଶୃଙ୍ଖଳିତ ଓ ଶାନ୍ତଶିଷ୍ଟ ନିର୍ବାଚନମଣ୍ଡଳୀ ଭାବେ ପରିଚିଚ ଗୋପାଳପୁର ବର୍ତ୍ତମାନ ଅଶାନ୍ତ ପରିସ୍ଥିତି ଦେଇ ଗତି କରୁଛି। ସେ ଦଳରୁ ବହିଷ୍କୃତ ହୋଇ ଜେଲ୍ ଯିବା ପରେ ନିର୍ବାଚନମଣ୍ଡଳୀର ଉନ୍ନୟନମୂଳକ କାମ ତ୍ବରାନ୍ବିତ ହୋଇପାରୁନି। ଟାଟା ମୋଟର୍ସରେ ଚାକିରି ଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଆଦାୟ କରି ଭାବି ଜ୍ବାଇଁ ଆକାଶ ପାଠକର ଆକାଉଣ୍ଟ୍‌କୁ ପଠାଇ ବେଆଇନ ସଂପତ୍ତି ଠୁଳ କରିବା ଓ ଲକଡାଉନ୍ ଭଳି ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାବାସୀ ସନ୍ତୁଳି ହେଉଥିବା ବେଳେ ବିଧାୟକ ଚାଟାର୍ଡ଼ ବିମାନରେ ବୁଲି ମଉଜମଜଲିସ୍ କରିଛନ୍ତି। ବିଧାୟକଙ୍କ ଯୋଗୁଁ ଆଜି ନିର୍ବାଚନମଣ୍ଡଳୀ ବଦନାମ ମୁଣ୍ଡାଇଛି। ଏଣୁ ବିଧାନସଭା ବାଚସ୍ପତିଙ୍କ ଜରିଆରେ ପ୍ରଦୀପଙ୍କୁ ବିଧାୟକ ପଦରୁ ଅନ୍ତର କରାଯିବା ସହ ଚାକିରି ପ୍ରଲୋଭନ ଦେଖାଇ ଠକିଥିବା ନିରୀହ ଓ ଗରିବଙ୍କଠୁ ଟଙ୍କା ଫେରାଇବାକୁ ଦଳ ଦାବି କରିଛି। ଆଉ ଆଗକୁ ମଧ୍ୟ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି। କେ.ମୋହନ ରେଡ୍ଡୀ,ଏ ମ.ମଧୁ, ହରିହର ପାତ୍ର, ଡ଼ମ୍ବୁରୁ ରଣା, ସୁନୀଲ ସାହୁ, ଡି.ମୋହନ ରେଡ୍ଡୀ, ଏନ.ଧର୍ମା ସାହୁ, ଚିନ୍ମୟ ହୋତା, ରାଜୀବ ଖୁଣ୍ଟିଆ, ନାରାୟଣ ଜେନା, କାହ୍ନୁ ନାହାକ, ପି.କ୍ରିଷ୍ଣା ଓ ଶ୍ରୀନୁ ରାଓ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର