ଚାଷୀଙ୍କ ପାଇଁ ଗର୍ଜିଲା କଂଗ୍ରେସ; ଚାଷୀଙ୍କ ପ୍ରତି ବିଶ୍ୱାସଘାତକୁ ବରଦାସ୍ତ କରାଯିବ ନାହିଁ: ନିରଞ୍ଜନ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଚାଷ ଓ ଚାଷୀ ସମସ୍ୟା ନେଇ ଅନୁଷ୍ଠିତ ଏକ ଗଣଧାରଣାରେ କଂଗ୍ରେସ ନେତୃବୃନ୍ଦ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚାଷୀ ସ୍ୱାର୍ଥ ବିରୋଧୀ ବୋଲି ଅଭିହିତ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଚାଷୀକୂଳ ପ୍ରତି ହେଉଥିବା ବିଶ୍ୱାସଘାତକତାକୁ କଂଗ୍ରେସ କେବେ ହେଁ ବରଦାସ୍ତ କରିବ ନାହିଁ। ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ସେ ଚେତାଇ ଦେଇଛନ୍ତିି।

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ଏହି ଗଣଧାରଣାରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଲେ, କେନ୍ଦ୍ର ବିଜେପି ସରକାର ସାଢେ ଚାରିବର୍ଷ ମଧ୍ୟରେ ଚାଷୀଙ୍କୁ ଯେତେଗୁଡିଏ ପ୍ରତିଶ୍ରୁତି ଦେଇଛି ସେସବୁ ପ୍ରତାରଣାରେ ପରିଣତ ହୋଇଛି। ସ୍ୱାମୀନାଥନ୍‌ କମିଟି ରିପୋର୍ଟ ଅନୁଯାୟୀ କୃଷି ଉତ୍ପାଦନ ଖର୍ଚ୍ଚର ଦେଢଗୁଣା ମୂଲ୍ୟ ବୃଦ୍ଧି କେବଳ ନିର୍ବାଚନୀ ଧୂଅାଁବାଣ ଓ ଭାଷଣ ସର୍ବସ୍ୱ। କେନ୍ଦ୍ର ସରକାରଙ୍କ ଧାନର କ୍ୱିଣ୍ଟାଲ୍‌ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ମାତ୍ର ୨୦୦ ଟଙ୍କା ବୃଦ୍ଧି କରି ତାଙ୍କ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି କହିବା ଚାଷୀଙ୍କ ପାଇଁ କଟାଘା’ରେ ଚୂନ ସଦୃଶ। ୨୦୧୨-୧୩ରେ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ଧାନର କ୍ୱିଣ୍ଟାଲ୍‌ ପିଛା ଏମ୍‌ଏସ୍‌ପି ଥରକେ ୧୭୦ ଟଙ୍କା ବୃଦ୍ଧି କରିଥିଲେ। ମୋଦି ସରକାର ବଡ ବଡ ଶିଳ୍ପପତିଙ୍କୁ ୧ଲକ୍ଷ ୫୪ ହଜାର କୋଟି ଟଙ୍କା ଋଣ ଛାଡ କରଛନ୍ତି। ଗରିବ ଚାଷୀଙ୍କଠାରୁ ଫଟା ପାହୁଲାଟିଏ ଛାଡି ନଥିବା ଦୁର୍ଭାଗ୍ୟଜନକ। ସେ ପଟେ ୨୦୦୮ରେ ଉପା ସରକାର ଚାଷୀଙ୍କଠାରୁ ୭୨,୬୮୦ କୋଟି ଟଙ୍କାର କୃଷି ଋଣ ଛାଡ କରିଥିଲେ।

ନବୀନ ସରକାରଙ୍କୁ ସମାଲୋଚନା କରି ଶ୍ରୀ ପଟ୍ଟନାୟକ କହିଲେ, ଅନ୍ୟ ରାଜ୍ୟଗୁଡିକ ଚାଷୀଙ୍କ ସ୍ୱାର୍ଥ ପାଇଁ କୃଷି ଋଣ ଛାଡ କରୁଛନ୍ତିି। କିନ୍ତୁ ନବୀନ ସରକାର ଶିଳ୍ପପତିଙ୍କ ଉପରୁ କୋଟି କୋଟି ଟଙ୍କାର ଜଳକର ଓ ବିଦ୍ୟୁତ୍‌ କର ଛାଡ କରିଥିବା ବେଳେ ଚାଷୀଙ୍କ ପାଇଁ ଆଖି ବୁଜି ଦେଇଛନ୍ତି। ପରିଣାମ ସ୍ୱରୂପ ଚାଷୀ ଅଭାବୀ ବିକ୍ରିର ଶିକାର ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଲେ, ସରକାରୀ ଅବହେଳା ଯୋଗୁଁ ଖରିଫ ଚାଷ ସଂକଟ ମଧ୍ୟରେ ଗତି କରୁଛି। ୧୦ ଲକ୍ଷ ହେକ୍ଟର ଚାଷଜମି ପଡିଆ ପଡିଛି। ଚାଷୀଘରର ଭେଣ୍ଡିଆ ପୁଅ ବାହାର ରାଜ୍ୟରେ ଦାଦନ ଖଟୁଛି। ଚାଷୀ ବୀମା ପ୍ରିମିୟମ୍‌ ପୈଠ କରି ଫସଲ ବୀମା କ୍ଷତିପୂରଣ ପାଇପାରୁନାହିଁ। ୨୦୧୭ରେ ରାଜ୍ୟର ୧୮ ଲକ୍ଷ ୨୫ ହଜାର ଚାଷୀ ୮୩୮ କୋଟି ଟଙ୍କା ବୀମା ପ୍ରିମିୟମ୍‌ ପୈଠ କରି ଗତ ଏପ୍ରିଲ୍‌ ମାସରୁ ଆଜି ପର୍ଯ୍ୟନ୍ତ ୧୩ଶହ କୋଟି ଟଙ୍କାର ବୀମା କ୍ଷତିପୂରଣ ରାଶି ପାଇବାରୁ ବଂଚିତ। ସେପଟେ ମୋଦି ସରକାର ଘରୋଇ ବୀମା କମ୍ପାନୀମାନଙ୍କୁ ପୋଷୁଥିବା ବେଳେ ଚାଷୀମାନଙ୍କ ପେଟରେ ଲାତ ମାରୁଥିବା ସେ କହିଥିଲେ।

ଚାଷୀଙ୍କୁ ତୁରନ୍ତ ଉନ୍ନତ ପ୍ରାମାଣିକ ବିହନ, ସାର, କୀଟନାଶକ ଔଷଧ, କୃଷିଋଣ, ଭାଗଚାଷୀଙ୍କ ପାଇଁ ଆଇନ୍‌ଗତ ସୁବିଧା, ପ୍ରତି ଚାଷୀଙ୍କୁ ମାସିକ ସର୍ବନିମ୍ନ ୩ ହଜାର ଟଙ୍କାର ଭତ୍ତା, ବିଧାନସଭା ପାରିତ ପ୍ରସ୍ତାବ ଅନୁଯାୟୀ ଧାନର ଏମ୍‌ଏସ୍‌ପି କ୍ୱିଣ୍ଟାଲ୍‌ ପିଛା ୨୯୩୦ ଟଙ୍କା, ରାଜ୍ୟ ସରକାରଙ୍କ ଦ୍ୱାରା କ୍ୱିଣ୍ଟାଲ୍‌ ପିଛା ଧାନରେ ୩୦୦ ଟଙ୍କାର ବୋନସ୍‌ ପ୍ରଦାନ ଓ ଅନ୍ୟାନ୍ୟ ଦାବି ପୂରଣ କରିବାକୁ କଂଗ୍ରେସ ଦଳ ପକ୍ଷରୁ ଦାବି କରାଯାଇଛି। ଏହି ଗଣଧାରଣାରେ ଏଆଇସିସି ସଂପାଦକ ରୁଦ୍ର ରାଜୁ, ଯୁଗ୍ମ ସଂପାଦକ ଆଦିତ୍ୟ ଶର୍ମା, କଂଗ୍ରେସ ନେତୃବୃନ୍ଦ ଚିରଞ୍ଜୀବ ବିଶ୍ୱାଳ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଅମୀୟ କୁମାର ପଟ୍ଟନାୟକ, ଡ. ରାମଚନ୍ଦ୍ର ଖୁଣ୍ଟିଆ, ଶରତ ରାଉତ, ଅନନ୍ତ ପ୍ରସାଦ ସେଠୀ, ସୁରେଶ ରାଉତରାୟ, ସୀତାକାନ୍ତ ମହାପାତ୍ର, ବିଜୟଲକ୍ଷ୍ମୀ ସାହୁ, ଗଣେଶ୍ୱର ବେହେରା, ମତଲୁବ ଅଲ୍ଲୀ, କିଶୋର ପଟେଲ, ଶିବାନନ୍ଦ ରାୟ, ଦେବାଶିଷ ପଟ୍ଟନାୟକ, ସସ୍ମିତା ବେହେରା, ମାନସ ଚୌଧୁରୀ, ଇତିଶ୍‌ ପ୍ରଧାନ, ସମୀର କୁମାର ରାଉତରାୟ, ମନୋରଞ୍ଜନ ଦାଶ, ଶୁଭେନ୍ଦୁ ମହାନ୍ତି, ଯୁଧିଷ୍ଠିର ଜେନା, କିଶୋର ଜେନା, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଅଶୋକ ସାମଲ, ପଦ୍ମାକର ଗୁରୁ, ଅରିନ୍ଦମ ସର୍କେଲ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର