ନାବାଳିକା ଗଣଦୁଷ୍କର୍ମ ଘଟଣା: ରାସ୍ତାକୁ ଓହ୍ଲାଇଲା ଯୁବ କଂଗ୍ରେସ

ଭୁବନେଶ୍ବର: ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଆନ୍ଦୋଳନ ତେଜିବାରେ ଲାଗିଛି। ଆପ୍ ଓ ମହିଳା କଂଗ୍ରେସ ପରେ ରାସ୍ତାକୁ ଓହ୍ଲାଇଛି ଯୁବ କଂଗ୍ରେସ। ଆଜି ଭୁବନେଶ୍ବର ଓ ଖୋର୍ଦ୍ଧା ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଭୁବନେଶ୍ବର ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ଓ ଖୋର୍ଦ୍ଧା ଜିଲ୍ଲା ଯୁବ କଂଗ୍ରେସ ସଭାପତି ସ୍ବାଗତ କରଙ୍କ ନେତୃତ୍ବରେ ଆୟୋଜିତ ଏହି ବିକ୍ଷୋଭରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

ଯୁବ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ ଏଭଳି ଏକ ସମ୍ବେଦନଶୀଳ ମାମଲାରେ ମୁଖ୍ୟମନ୍ତ୍ରୀ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି। ତେଣୁ ନାବାଳିକାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା କହିଥିଲେ। ଏହି ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହ ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର ଓ ପୀଡ଼ିତାଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବି କରାଯାଇଥିଲା। କାର୍ଯ୍ୟକ୍ରମରେ ଯୁବ କଂଗ୍ରେସର ମୁଖପାତ୍ର ଅଜୟ କୁମାର ସାହୁ, ବଟକୃଷ୍ଣ ରାଉତରାୟ, ବିରଞ୍ଚି ବାରିକ, ଜ୍ୟୋତିପ୍ରକାଶ ଆଚାର୍ଯ୍ୟ, ସୂରଜ ରାଉତ, ଗୌତମ ଦାସ, ଜ୍ଞାନରଞ୍ଜନ ରାଉତ, ଆଶୁତୋଷ ଲେଙ୍କା, ରିତୁଲ୍ ମହାରଣା, ପୀୟୂଷ ଜେନା, ଗୁଣନିଧି ବସ୍ତିଆ, ରଣଜିତ୍ ସେନାପତି ଓ ସାଗର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର