ଭୁବନେଶ୍ୱର: ହିଣ୍ଡେନବର୍ଗ ପକ୍ଷରୁ ଆଦାନୀ‌ ମହାଘୋଟାଲା‌ରେ ସେବି ମୁଖ୍ୟଙ୍କ ଭୂମିକା ରହିଥିବା ଅଭିଯୋଗ କରିଛି। ଏହାକୁ ନେଇ ଆଜି କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଭୁବନେଶ୍ବରସ୍ଥିତ ଇଡି କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ ସହ ଘେରାଉ କରାଯାଇଛି। ଏହି ମହାଦୁର୍ନୀତିର ଗୁମର ଖୋଲିବା ପାଇଁ ଜେପିସି ତଦନ୍ତ ସହ ସେବି ମୁଖ୍ୟଙ୍କ ଇସ୍ତଫା ଦାବି କରାଯାଇଛି।

Advertisment

ଓଡ଼ିଶା ପ୍ରଦେଶ କଂଗ୍ରେସ ଷ୍ଟିୟରିଂ କମିଟି ସଂଯୋଜକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଏହି ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଯୋଗଦେଇ କହିଲେ, ଦେଶର ସାଧାରଣ ଜନତାଙ୍କ ଧନ ବ୍ୟାଙ୍କରେ ଜମା ରହୁଛି, ମାତ୍ର ସେହି ଜମାରାଶିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମିତ୍ର ଆଦାନୀଙ୍କ ହାତରେ ଟେକି ଦେଉଛନ୍ତି। ମୋଦୀଙ୍କ ସହଯୋଗ ଓ ଆଦାନୀ ଓ ସେବି ମଧ୍ୟରେ ଥିବା ଗୁପ୍ତ ବୁଝାମଣା ଯୋଗୁଁ ଦେଶ ହଜାର ହଜାର କୋଟି ଟଙ୍କା କ୍ଷତି ସହୁଛି। ଏ ସମସ୍ତ ଅର୍ଥନୈତିକ ଅପରାଧ ଚାଲିଥିବା ବେଳେ ମୋଦୀ ସରକାର ଓ ଇଡି ଚୁପ ବସିଛନ୍ତି।

ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁ ଦୁର୍ନୀତି ଚଳାଉଛନ୍ତି ତା’ବିରୋଧରେ ଯୁବକ, ଛାତ୍ରମାନେ ଏକାଠି ହୁଅନ୍ତୁ। ସେବି ବିରୋଧରେ ହୋଇଥିବା ଅଭିଯୋଗର ଜେପିସି ଓ ସିବିଆଇ ତଦନ୍ତ କରାଯାଉ। ଶାସନରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ କେନ୍ଦ୍ର ସରକାର ନିଶ୍ଚିତ କରନ୍ତୁ ବୋଲି ସେ କହିଥିଲେ। ସଂଯୋଜକ ମହମ୍ମଦ ମୋକିମ କହିଥିଲେ, ଇଡିର ବିରୋଧୀ ଦଳର ନେତାମାନଙ୍କ ପ୍ରତି ଏକପାଖିଆ ତଦନ୍ତ ଓ ବିଜେପି ନେତାଙ୍କୁ ଛାଡ଼ି ଦେବା ଗଣତନ୍ତ୍ର ପ୍ରତି ଅପମାନ। ଗଣବିକ୍ଷୋଭ କାର୍ଯ୍ୟକ୍ରମ ପରେ ସାରା ରାଜ୍ୟରୁ ଆସିଥିବା ହଜାର ହଜାର କଂଗ୍ରେସ କର୍ମୀଙ୍କ ଏକ ବିଶାଳ ଶୋଭାଯାତ୍ରା ଇଡି କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲା। ସେଠାରେ କଂଗ୍ରେସ କର୍ମୀ ଓ ପୁଲିସ ଭିତରେ ଧସ୍ତାଧସ୍ତି ହୋଇଥିଲା। କଂଗ୍ରେସ କର୍ମୀ ପ୍ରଥମ ବ୍ୟାରିକେଡ୍‌କୁ ଅତିକ୍ରମ କରି ଇଡି କାର୍ଯ୍ୟାଳୟ ଆଡ଼କୁ ଯାଉଥିବା ବେଳେ ବହୁ କଂଗ୍ରେସ କର୍ମୀଙ୍କୁ ପୁଲିସ ଉଠାଇ ନେଇଥିଲା। ଏହି ବିକ୍ଷୋଭ କାର୍ଯ୍ୟକ୍ରମକୁ ବିଶ୍ୱଜିତ ଦାସ ସଂଚାଳନ କରିଥିଲେ। ଷ୍ଟିୟରିଂ କମିଟିର ସଦସ୍ୟ ବିଶ୍ୱରଞ୍ଜନ ମହାନ୍ତି ଧନ୍ୟବାଦ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ସାଂସଦ ସପ୍ତଗିରି ଉଲ୍ଲାକା, ବିଧାୟକ ଦଳର ଉପନେତା ଅଶୋକ ଦାସ, ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା, ଅନନ୍ତ ପ୍ରସାଦ ସେଠୀ, ଶରତ ରାଉତ, ରାମଚନ୍ଦ୍ର ଖୁଂଟିଆ, ଜଗନ୍ନାଥ ପଟ୍ଟନାୟକ, ଅମରନାଥ ପ୍ରଧାନ, ସୁଶୀଳା ତିରିଆ, ତାରାପ୍ରସାଦ ବାହିନୀପତି, ସସ୍ମିତା ବେହେରା, ସନ୍ତୋଷ ସିଂହ ସାଲୁଜା, ଶିବାନନ୍ଦ ରାୟ, ବଳଭଦ୍ର ମାଝୀ, ବିଧାୟକ ରାଜନ ଏକ୍କା, ରମେଶ ଜେନା, ଦାସରଥି ଗମାଙ୍ଗୋ, ସୋଫିଆ ଫିର୍ଦ୍ଦୋସ, ସାଗର ଦାସ, ପବିତ୍ର ସାଉଁନ୍ତା, ସତ୍ୟଜିତ ଗମାଙ୍ଗୋ, ନୀଳମାଧବ ହିକକା, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ଉଦିତ ପ୍ରଧାନ, ଅମୀୟ ପଟ୍ଟନାୟକ, ବାଙ୍କନିଧି ବେହେରା, ସୁବତ୍ର ମହାପାତ୍ର, ବିଶ୍ୱଜିତ ଦାଶ, ରବୀନ୍ଦ୍ର ମଲ୍ଲିକ, ସୁରେଶ ମହାପାତ୍ର, ରାଜୀବ ପଟ୍ଟନାୟକ ଓ ଅନ୍ୟ କର୍ମୀମାନେ ସାମିଲ ହୋଇଥିଲେ।