ସ୍ମିତାରାଣୀ ମୃତ୍ୟୁ ରହସ୍ୟର ସିବିଆଇ ତଦନ୍ତ ଦାବିରେ ୩୧ରେ ରାଜଭବନ ଆଗରେ କଂଗ୍ରେସର ଧାରଣା

ଭୁବନେଶ୍ବର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ଗ୍ରାମ ପଞ୍ଚାୟତର ଭିଏଲଡବ୍ଲ୍ୟୁ ସ୍ବର୍ଗତଃ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ରହସ୍ୟର ସିବିଆଇ ତଦନ୍ତ ଦାବି କରିଛି କଂଗ୍ରେସ। ସିବିଆଇ ତଦନ୍ତ ଦାବିରେ ଆସନ୍ତା ୩୧ ତାରିଖରେ କଂଗ୍ରେସ ପକ୍ଷରୁ ରାଜ ଭବନ ଆଗରେ ୩ ଘଣ୍ଟିଆ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ। ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ ପକ୍ଷରୁ ଧାରଣା ଓ ପ୍ରତିବାଦ ସଭା ଆୟୋଜନ କରାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତଥ୍ୟ ଅନୁସନ୍ଧାନ କମିଟି ଅଧ୍ୟକ୍ଷ ତଥା ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ ଗଣମାଧ୍ୟମକୁ ପ୍ରେସ୍ ଇସ୍ତାହାର ଯୋଗେ ଜଣାଇଛନ୍ତି। ପ୍ରତିବାଦ ସଭା ପରେ କଂଗ୍ରେସ ପକ୍ଷରୁ ଏକ ସ୍ମାରକ ପତ୍ର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କଂଗ୍ରେସ ନେତା, କର୍ମୀ, ମହିଳା କଂଗ୍ରେସ କର୍ମୀ, ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ସେବାଦଳ ଓ ଦଳର ଅନ୍ୟକର୍ମକର୍ତ୍ତମାନେ ଯୋଗଦେବାକୁ ପିସିସି ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର