ଭୁବନେଶ୍ବର : ଆଦାନି ମହାଦୁର୍ନୀତିର ଜେପିସି(ଯୁଗ୍ମ ସଂସଦୀୟ କମିଟି) ତଦନ୍ତ ଦାବିରେ ସୋମବାର ଦିନ ହଜାର ହଜାର କଂଗ୍ରେସ କର୍ମୀ ରାଜଭବନ ଘେରାଉ କରିଛନ୍ତି। ଏହାସହ ଗ୍ୟାସ୍ ଓ ଦରଦାମ୍ ବୃଦ୍ଧିର ମଧ୍ୟ ପ୍ରତିବାଦ କରିଛନ୍ତି। ଗ୍ୟାସ୍ ସିଲିଣ୍ଡରରେ ଘଷି ଲେପି କଂଗ୍ରେସ କର୍ମୀ ଅଭିନବ ପ୍ରତିବାଦ ଜଣାଇଥିଲେ। ପରବର୍ତୀ ସମୟରେ କଂଗ୍ରେସ ନେତୃବୃନ୍ଦ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ସୋମବାର ସକାଳେ ଏଡିଏମ୍ଙ୍କ କାର୍ଯ୍ୟାଳୟ ନିକଟରୁ ଏକ ବିରାଟ ଶୋଭାଯାତ୍ରା ବାହାରି ରାଜଭବନ ଅଭିମୁଖେ ଯାତ୍ରା କରିଥିଲା। ରାଜଭବନ ସମ୍ମୁଖରେ ପହଞ୍ଚିବା ପୂର୍ବରୁ ପୁଲିସ ବ୍ୟାରିକେଡ୍ ଜରିଆରେ କଂଗ୍ରେସ କର୍ମୀଙ୍କୁ ଅଟକାଇଥିଲା। ମାତ୍ର କଂଗ୍ରେସ କର୍ମୀ ଏହାକୁ ଖାତିର ନ କରି ବ୍ୟାରିକେଡ୍ ଡେଇଁ ଆଗକୁ ବଢ଼ିଥିଲେ। ଏହି ସମୟରେ ପୁଲିସ ଉପରେ ଅଣ୍ଡା, ଟମାଟୋ ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ମାତ୍ର ଆଗରୁ ପ୍ରସ୍ତୁତ ହୋଇ ରହିଥିବା ପୁଲିସ କଂଗ୍ରେସ କର୍ମୀମାନଙ୍କୁ ଗିରଫ କରି ନେଇଥିଲା। ପରେ ବିଧାୟକ ସୁରେଶ ରାଉତରାୟ ବିଧାନସଭାରେ ଗିରଫ ହୋଇଥିବା କଂଗ୍ରେସ କର୍ମୀଙ୍କୁ ୧ଘଣ୍ଟା ଭିତରେ ଛାଡ଼ିବା ଲାଗି ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ଦାବି କରିଥିଲେ।
ରାଜଭବନ ନିକଟରେ କଂଗ୍ରେସ ପକ୍ଷରୁ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା। ଏଥିରେ ବିଧାୟକ ସୁରେଶ ରାଉତରାୟ ସଭାପତିତ୍ବ କରିଥିଲେ। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ନିଜ ରାଜ୍ୟର ଗୁଜୁରାଟୀ ବ୍ୟବସାୟୀ ବନ୍ଧୁଙ୍କୁ ଦେଶର ସମସ୍ତ ସଂପତ୍ତି ଓ ବିଭିନ୍ନ ଜାତୀୟ ବ୍ୟାଙ୍କରେ ଥିବା ସଞ୍ଚୟ ରାଶିକୁ ନିଜର କ୍ଷମତା ବଳରେ ଆଦାନି ବ୍ୟବସାୟରେ ନିବେଶ କରିବା ପାଇଁ ଚାପ ସୃଷ୍ଟି କରିଛନ୍ତି। ପ୍ରଧାନମନ୍ତ୍ରୀ ଲୋକଙ୍କ ଅର୍ଥକୁ ଏକ ମହା ଠକ ହାତରେ ଟେକି ଦେଇଛନ୍ତି। ଗତ ୯ବର୍ଷ ଭିତରେ ଆଦାନି ଗ୍ରୁପ୍ର ବ୍ୟବସାୟ ବନ୍ଦର, ଜାତୀୟ ରାଜପଥ, ବିମାନବନ୍ଦର, ସିମେଣ୍ଟ, ରେଳ, କଣ୍ଟେନର, ବିଦ୍ୟୁତ ଆବଣ୍ଟନ, ତାପଜ ବିଦ୍ୟୁତ ଶକ୍ତି, ସାମରିକ ଯନ୍ତ୍ରାଂଶ ଓ ଖାଦ୍ୟ ପ୍ରଦ୍ୟ ଆଦି କ୍ଷେତ୍ରକୁ ଲମ୍ବି ଯାଇଛି। ଗତ ଜାନୁଆରି ୨୪ ତାରିଖରେ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଭାରତ ସମେତ ବିଶ୍ବର ପୁଞ୍ଜି ବଜାର ଓ ନିବେଶକମାନେ ବହୁ ଚିନ୍ତାରେ ଅଛନ୍ତି। ଆଦାନି ଗ୍ରୁପ୍ କମ୍ପାନିର ସେୟାର ମୂଲ୍ୟ ଜାଣିଶୁଣି ବହୁତ ବୃଦ୍ଧି କରାଯାଇଛି, ଋଣ ପରିଶୋଧ ଓ ସାମଗ୍ରିକ ଆକାଉଣ୍ଟିଂ ନୀତି ନିୟମକୁ ପାଳନ କରାଯାଇ ନ ଥିବା ରିପୋର୍ଟରେ କୁହାଯାଇଛି। ଦେଶର ଜାତୀୟ ବ୍ୟାଙ୍କମାନେ ୮୦ହଜାର କୋଟି ଟଙ୍କା ଆଦାନି ଗ୍ରୁପ୍ରେ ପୁଞ୍ଜି ନିବେଶ କରିଛନ୍ତି। ଏଲ୍ଆଇସି ୩୬ହଜାର କୋଟି ଟଙ୍କା ନିବେଶ କରିଛି। ଏ ସମସ୍ତ ପୁଞ୍ଜି ବିନିଯୋଗ ସରକାରଙ୍କ ବିନା ଅନୁମତି ଓ ଚାପ ପ୍ରୟୋଗ ବିନା ସମ୍ଭବ ନୁହେଁ।
ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ, କେନ୍ଦ୍ରର ମୋଦୀ ସରକାର ଆଦାନିକୁ ଯଥେଷ୍ଟ ସହାନୁଭୂତି ଦେଖାଇଛନ୍ତି। ବିଶ୍ବରେ ଧନୀ ଗୋଷ୍ଠୀରେ ୬୦୯ ନମ୍ବରରେ ଥିବା ବ୍ୟକ୍ତି ଗତ ୮ବର୍ଷ ଭିତରେ ୨ ନମ୍ବର ସ୍ଥାନକୁ କିଭଳି ଆସିଲେ। ବିଶ୍ବବ୍ୟାପୀ ଆଦାନି କମ୍ପାନି ଏକ ଜାଲି କମ୍ପାନି ବୋଲି ସମସ୍ତେ ଜାଣି ସାରିଥିବା ବେଳେ ଓଡ଼ିଶାରେ ନବୀନ ସରକାର ଆଦାନିକୁ କୋରାପୁଟ ଜିଲ୍ଲାରେ ବକ୍ସାଇଟ୍ ଖଣିକୁ ଆଦାନିକୁ ଟେକି ଦେଇଛନ୍ତି। ଜଣେ ଲୋକକୁ ସୁରକ୍ଷା ପ୍ରଦାନ କରିବା ଲାଗି କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନେ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି। ଆଦାନି ଗ୍ରୁପ୍ରେ ଯେଉଁ ବେଆଇନ କାର୍ଯ୍ୟ ହୋଇଛି ତାହାର ତଦନ୍ତ କରିବା ପାଇଁ ଜେପିସି ବସାଯାଉ। ସଂସଦରେ ଆଲୋଚନା ହେଉ। ଜେପିସିରେ ଯାହା ତଥ୍ୟ ଆସିବ ତାହାର ଆଧାରରେ ପଦକ୍ଷେପ ନିଆଯାଉ। ମାତ୍ର ତାହା କରାଯାଉନାହିଁ। କେବଳ ପ୍ରତିଶୋଧମୂଳକ ରାଜନୀତିରେ ସିବିଆଇ ଓ ଇଡିକୁ ବ୍ୟବହାର କରାଯାଉଛି।
ସେ ଆହୁରିମଧ୍ୟ କହିଛନ୍ତି ଯେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯିବାର ୪୩ ଦିନ ବିତିଲାଣି। ଏହା ବ୍ୟକ୍ତିଗତ କିମ୍ବା ରାଜନୈତିକ ହତ୍ୟା ତାହା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିଲା ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଗୃହ ବିଭାଗ ରହିଛି। ବିଧାନସଭାରେ କଂଗ୍ରେସର ବିଧାୟକ ଓ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ସଂପର୍କରେ ମୁଖ୍ୟମନ୍ତ୍ରୀ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ମୁଖରେ ବୟାନ ରଖନ୍ତୁ ବୋଲି ଦାବି କରାଯାଉଛି। ନଚେତ୍ ଆଗାମୀ ଦିନରେ ନବୀନ ବାବୁଙ୍କ ଇସ୍ତଫା ନେଇ ଯେଉଁ ଆନ୍ଦୋଳନ ହେବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ, ପାରାଦୀପରେ ଗ୍ୟାସ୍ ପାଇପ ଲାଇନ୍ ହୋଇଥିଲେ କେନ୍ଦ୍ର ସରକାର ଓ ପାରାଦୀପ ବନ୍ଦର ଉପକୃତ ହୋଇଥାନ୍ତା। ମାତ୍ର ଆଦାନି ଧାମରା ବନ୍ଦର ନେବା ପରେ ତାହାକୁ ଧାମରାକୁ ବଦଳି ଯାଇଛି। ଦେଶର ୧୨ -୧୩ଟି ପରିବାର ପାଇଁ ବିଜେପି ଓ ବିଜେଡି ସରକାରରେ କୋଟି କୋଟି ଟଙ୍କାର ଡକାୟତି ଚାଲିଛି। ଏହାକୁ ସାଧାରଣ ଲୋକ ବୁଝିବା ଦରକାର। ମୋଦୀ-ଆଦାନି ମହାଦୁର୍ନୀତର ସମସ୍ତ କଥାକୁ ଗାଁକୁ ନେବାକୁ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ପ୍ରସାଦ ହରିଚନ୍ଦନ କହିଥିଲେ, ମୋଦାନୀ ମେଣ୍ଟ ଦେଶର ଏଲଆଇସି ଓ ବ୍ୟାଙ୍କର ପ୍ରଚୁର କ୍ଷତି କରିସାରିଲାଣି। ଦେଶର ଗରିବ ଖଟିଖିଆ ଲୋକଙ୍କ ଟଙ୍କାକୁ ମୋଦାନୀ ଭିତରେ ବାଣ୍ଟି ଦିଆଯାଉଛି। ଜୟଦେବ ଜେନା କହିଥିଲେ, ମୋଦୀ ଏଭଳି ଜଣେ ବ୍ୟକ୍ତି ଯିଏକି କେବଳ କଥା କୁହନ୍ତି, ହେଲେ ନିଜର ଗୋଟିଏ କଥାକୁ ରଖିପାରନ୍ତି ନାହିଁ। ୨୦୧୪ ମସିହାରେ ଗ୍ୟାସ୍ ଦାମ ୪୧୦ ଟଙ୍କା ଥିଲା ଆଜି ୧୧୩୦ ଟଙ୍କା। ସାଧାରଣ ଲୋକଙ୍କ ପାଖରୁ ଟଙ୍କା ଆଦାୟ କରି ପ୍ରଧାନମନ୍ତ୍ରୀ ମୋଦୀ ଆଦାନିକୁ ପୋଷିବାରେ ଲାଗିଛନ୍ତି ବୋଲି ଶ୍ରୀ ଜେନା କହିଥିଲେ।
ଘେରାଉରେ ଦଳର ବରିଷ୍ଠ ନେତା ଶରତ ରାଉତ, ସୁଶିଳା ତିରିଆ, ଅନନ୍ତ ପ୍ରସାଦ ସେଠୀ, ପଞ୍ଚାନନ କାନୁନ୍ଗୋ, ଗଣେଶ୍ବର ବେହେରା, ବିଜୟ ପଟ୍ଟନାୟକ, ଶିବାନନ୍ଦ ରାୟ, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ଦାଶରଥି ଗମାଙ୍ଗୋ, ଅଧିରାଜ ମୋହନ ପାଣିଗ୍ରାହୀ, ସିଏସ୍ ରାଜନ ଏକ୍କା, ଲଲାଟେନ୍ଦୁ ମହାପାତ୍ର, ବିଜୟଲକ୍ଷ୍ମୀ ସାହୁ, ଅଂଶୁମାନ ମହାନ୍ତି, ଜଗନ୍ନାଥ ପଟ୍ଟନାୟକ, ସୁରେଶ ମହାପାତ୍ର, ସସ୍ମିତା ବେହେରା, ଚିରଞ୍ଜୀବୀ, ବନ୍ଦିତା ପରିଡ଼ା, ମାନସ ଚୌଧୁରୀ, ବିଭୂତି ମିଶ୍ର, ନବଜ୍ୟୋତି ପଟ୍ଟନାୟକ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଯୁଧିଷ୍ଠୀର ଜେନା, ଭୁଜବଳ ମାଝୀ, ଲୋକନାଥ ମହାରଥୀ, ରଜତ ଚୌଧୁରୀ, ପ୍ରକାଶ ଜେନା, ଚିନ୍ମୟ ବେହୁରା, ୟାସିର ନୱାଜ, ଶ୍ରୀନିବାସ ରାଉତରାୟ, ରଜନୀ ମହାନ୍ତି, ଦୀପକ ମହାପାତ୍ର, ବିଶ୍ବଜିତ ଦାଶ ଓ ଅନ୍ୟ କଂଗ୍ରେସ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।