ଖଣ୍ଡପଡ଼ା : ଖଣ୍ଡପଡ଼ା ବ୍ଲକ୍‌ କଂଗ୍ରେସ ପକ୍ଷରୁ ସିଧାମୂଳା ବାଲିଘାଟ ଚୁକ୍ତି ବାତିଲ ଦାବିରେ ଶୁକ୍ରବାର ଦିନ ସତ୍ୟାଗ୍ରହ ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।
ବ୍ଲକ୍‌ କଂଗ୍ରେସ ସଭାପତି ଦେବବ୍ରତ ବେହେରାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ, ପିସିସି ସମ୍ପାଦକ ହୁସେନ ଖାଁ, ବରିଷ୍ଠ ନେତା ସରୋଜ ପରିଡ଼ା, ବସନ୍ତ ମହାରଣା ପ୍ରମୁଖଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ଥାନାଠାରୁ ଶୋଭାଯାତ୍ରାରେ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିବା ସହିତ ତହସିଲଦାରଙ୍କ ବିରୋଧରେ ନାରାବାଜି କରିଥିଲେ।

Advertisment

ଜିଲ୍ଲା ସଭାପତି ଶ୍ରୀ ଦାଶଙ୍କ ଅଭିଯୋଗ ଅନୁଯାୟୀ, ଗତ ବର୍ଷେହେବ ବାଲିଘାଟ ବନ୍ଦ ଥିବାବେଳେ ନିଲାମ ପ୍ରକ୍ରିୟାରେ ଦ୍ବିତୀୟ ସର୍ବାଧିକ ବିଡର୍‌ ଥିବା ବ୍ୟକ୍ତିଙ୍କ ସହ ଏଗ୍ରିମେଣ୍ଟ କରାଯାଇ ବାଲି ଉଠାଣ ପାଇଁ ଅନୁମତି ଦିଆଯାଇଛି। ତେବେ ସରକାରୀ ନିୟମ ଅନୁଯାୟୀ ଲିଜ୍‌ଧାରୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଠାରୁ କନ୍‌ସେଣ୍ଟ ଟୁ ଅପରେଟ୍‌ ଏବଂ କନସେଣ୍ଟ ଟୁ ଏଷ୍ଟାବ୍ଲିସମେଣ୍ଟ ଅନୁମତି ଆଣିବା ପରେ ନିର୍ଦ୍ଧାରିତ ୱାଇ ଫର୍ମ ଇସ୍ୟୁ କରାଯାଇଥାଏ। ତେବେ ନିଲାମ ହାତେଇଥିବା ବ୍ୟକ୍ତି ଏଭଳି କୌଣସି ଅନୁମତି ଆଣିନଥିବା ଜଣାପଡ଼ିଛି। ସିଧାମୂଳା ମହାନଦୀ ବାଲିଘାଟ ନିଲାମ ପ୍ରକ୍ରିୟାରେ ଖୋଦ୍‌ ତହସିଲଦାର ପାର୍ଥସାରଥୀ ହାଂସଦାଙ୍କ ଜାଣତରେ ଟେଣ୍ଡର୍‌ ବିଜ୍ଞପ୍ତି ସର୍ତ୍ତାବଳିର ଖୋଲା ଉଲ୍ଲଂଘନ ସହ ବ୍ୟାପକ ଅନିୟମିତତା କରାଯାଇ ନିଲାମ ପ୍ରକ୍ରିୟା ଚୂଡ଼ାନ୍ତ କରାଯିବା ଯୋଗୁ ରାଜ୍ୟ ସରକାର ପ୍ରାୟ ୧୨ କୋଟି ଟଙ୍କାର ରାଜସ୍ବ ହରାଇଛନ୍ତି ବୋଲି ଜିଲ୍ଲା କଂଗ୍ରେସ ଗତ ଜୁଲାଇ ୨୫ରେ ଅଭିଯୋଗ କରିବା ସହିତ ୭ ଦିନ ମଧ୍ୟରେ ପଦକ୍ଷେପ ନେବାକୁ ଦାବି କରିଥିଲା। ତେବେ ଜିଲ୍ଲାପାଳ ଏବଂ ତହସିଲଦାରଙ୍କ ଜାଣତରେ ବ୍ୟାପକ ରାଜସ୍ବ ହରିଲୁଟ ହେଉଥିବା ଶ୍ରୀ ଦାଶ ଅଭିଯୋଗ କରିଛନ୍ତି।

ଏଥିସହିତ ତହସିଲଦାରଙ୍କୁ ତୁରନ୍ତ ବହିଷ୍କାର ଏବଂ ବାଲିଘାଟ ଚୁକ୍ତି ବାତିଲ ପାଇଁ ଜିଲ୍ଲା କଂଗ୍ରେସ ଦାବି କରିଛି। ନଚେତ ଆଗକୁ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ, ଆଜି ମଧ୍ୟାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ତହସିଲଦାର ନିଜ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିବା ସହିତ ଘଟଣା ବାବଦରେ ମୁହଁ ଖୋଲିନାହାନ୍ତି।