ରାଜନଗରଠାରେ କଂଗ୍ରେସର ଗଣବିକ୍ଷୋଭ : ପ୍ରତିଶ୍ରୁତି, ପ୍ରତାରଣାର ସରକାର ଚାଲିଛି: ନିରଞ୍ଜନ

ପ୍ରତି ବ୍ଲକ୍‌ରେ ଦୁର୍ନୀତି ବିରୋଧୀ ଆନ୍ଦୋଳନ

ରାଜନଗର : ଉଭୟ କେନ୍ଦ୍ର ଓ ରାଜ୍ୟରେ ପ୍ରତିଶ୍ରୁତି ଓ ପ୍ରତାରଣାର ସରକାର ଚାଲିଛି। କେନ୍ଦ୍ରାପଡ଼ାର ରାଜନଗରଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ଗଣବିକ୍ଷୋଭରେ ଯୋଗଦେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏହିଭଳି କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ, ୨୦ ବର୍ଷ ଧରି ରହିବା ସତ୍ତ୍ବେ ବିଜେଡି ସରକାରରେ ରାଜ୍ୟର ବିକାଶ ହେଉନାହିଁ। କେନ୍ଦ୍ର ସରକାର ବର୍ଷକୁ ୨ କୋଟି ଓ ବିଜେଡି ସରକାର ବର୍ଷକୁ ୨ଲକ୍ଷ ଯୁବକଙ୍କୁ ନିଯୁକ୍ତି ଦେବେ ବୋଲି କହିଥିଲେ। ମାତ୍ର, କେତେ ଯୁବକଙ୍କୁ ନିଯୁକ୍ତି ମିଳିଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ଗଣବିକ୍ଷୋଭ ଅବସରରେ ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ସଭାପତିତ୍ବରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଉଦ୍‌ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଇନ୍ଦିରାଆବାସ, ଭତ୍ତା, ରାସନକାର୍ଡରୁ ଯୋଗ୍ୟ ଲୋକଙ୍କୁ ବଂଚିତ କରାଯାଉଛି। ଚାଷୀମାନେ ଟୋକନ ପାଇ ମଧ୍ୟ ଧାନ ଦେଇ ପାରୁନାହାନ୍ତି। ଯୋଗ୍ୟ ହିତାଧିକାରୀ ସରକାରୀ ସୁବିଧା ପାଉନାହାନ୍ତି। ବର୍ତମାନର ପ୍ରଶାସନ ଠିକ୍ ଭାବରେ କାର୍ଯ୍ୟ କରୁନାହିଁ। ଦୁର୍ନୀତି ବିରୋଧରେ ଗଣବିକ୍ଷୋଭ ରାଜନଗରରୁ ଆରମ୍ଭ ହେଲା। ପ୍ରତି ବ୍ଲକ୍‌ରେ ଏଭଳି ଦୁର୍ନୀତି ବିରୋଧୀ ଆନ୍ଦୋଳନ ହେବ ବୋଲି ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ।

ଗଣବିକ୍ଷୋଭରେ ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା, ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମା, ବରିଷ୍ଠ କଂଗ୍ରେସ ନେତା ଜ୍ଞାନଦେବ ବେହୁରା, ପାଟକୁରା କଂଗ୍ରେସ ନେତା ଜୟନ୍ତ ମହାନ୍ତି, ଜିଲ୍ଲା କଂଗ୍ରେସ ସଭାପତି ଚିନ୍ମୟ ବେହୁରା ପ୍ରମୁଖ ଯୋଗଦେଇଥିଲେ। ବ୍ଲକ୍‌ କଂଗ୍ରେସ କାର୍ଯ୍ୟାଳୟରୁ ହଜାର ହଜାର କଂଗ୍ରେସ କର୍ମୀ ପଟୁଆରରେ ବାହାରି ସରକାର ବିରୋଧି ନାରା ଦେଇଥିଲେ। ତହସିଲ ଓ ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର