ଲେଖାଶ୍ରୀଙ୍କ ମନ୍ତବ୍ୟ ବିରୋଧରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର : ପୁରୀ ସମ୍ପର୍କରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତରାୟଙ୍କ ବିବାଦୀୟ ମନ୍ତବ୍ୟ ବିରୋଧରେ ମଧ୍ୟ ଭୁବନେଶ୍ବରର କଂଗ୍ରେସ ବିଧାୟକ ପ୍ରାର୍ଥୀ ରାଜୀବ ପଟ୍ଟନାୟକଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବୁଧବାର ମଧ୍ୟାହ୍ନରେ କଂଗ୍ରେସ ଭବନରୁ ଏକ ରାଲି ବାହାରି ମାଷ୍ଟରକ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା।

ଶ୍ରୀମତୀ ସାମନ୍ତରାୟ ଜଗନ୍ନାଥଙ୍କ ପ୍ରତି ଦେଇଥିବା ମନ୍ତବ୍ୟ କେବଳ ଓଡ଼ିଶା ନୁହେଁ, ସାରା ବିଶ୍ବର ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଛି। ଏହା ସହିତ ବିଜେପି ଦୃଷ୍ଟିରେ ପୁରୀର ଦଳୀୟ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଜଗନ୍ନାଥଙ୍କ ଠାରୁ ବଡ଼ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ଯେଉଁଠାରେ ସାରା ବିଶ୍ବ ଲୋକ ଜାଣିଛନ୍ତି ବିଶ୍ବପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ପୁରୀରେ, ସେଠାରେ ବିଜେପି ପକ୍ଷରୁ ଏଭଳି ମନ୍ତବ୍ୟ ରାଜ୍ୟବାସୀଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ସହିତ ମହାପ୍ରଭୁଙ୍କ ଗରିମାକୁ ମଧ୍ୟ କ୍ଷୁଣ୍ଣ କରିଛି ବୋଲି ସେ କହିଛନ୍ତି। ଏହାକୁ କଂଗ୍ରେସ ପକ୍ଷରୁ ଦୃଢ଼ ବିରୋଧ କରାଯିବା ସହ ବିଜେପିର ମଣିପୁର ପ୍ରଭାରୀ ସମ୍ବିତ ପାତ୍ର ଓ ନେତ୍ରୀ ଲେଖାଶ୍ରୀ ସାମନ୍ତରାୟଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।

ଏହା ସହିତ କଂଗ୍ରେସର ଏକ ପ୍ରତିନିଧି ଦଳ ଶ୍ରୀମତୀ ସାମନ୍ତରାୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କ୍ୟାପିଟାଲ୍ ଥାନାରେ ଏତଲା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ୍ ଦାସ, ରଶ୍ମି ମହାପାତ୍ର, ୟାସିର ନଵାଜ, ରଂଜିତ୍ ପାତ୍ର, ସ୍ବାଗତ କର, ବଟକୃଷ୍ଣ ରାଉତରାୟ, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ଅକ୍ଷୟ ଦାସ, ଶ୍ରୀୟା ପଣ୍ଡା, ମିହିର ଆଚାର୍ଯ୍ୟ, ଦେବରାଜ ମିଶ୍ର, ସୁରଜ ରାଉତ, ସାଗର ପଟ୍ଟନାୟକ, ବାଦଲ ମହାନ୍ତି, ପ୍ରସନ୍ନ ମାର୍ଥା, କୁସୁମ ପ୍ରଧାନ, ମନୋରଂଜନ ବୁଟୁ, ମନୋରଂଜନ ଜେନା, ପ୍ରମେଶ ସାହୁ, ସୌମେନ୍ଦ୍ର ମହାନ୍ତି, ମନୋଜ ସାହୁ, କାର୍ତ୍ତିକ କାଣ୍ଡି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର