ଇଡି କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ

ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ଡାକରା ପ୍ରସଙ୍ଗ

ଭୁବନେଶ୍ୱର : ନ୍ୟାସନାଲ୍‌ ହେରାଲ୍‌ଡ ମନିଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଡାକରାକୁ ବିରୋଧ କରିଛି ରାଜ୍ୟ କଂଗ୍ରେସ। ସୋମବାର ଦିନ କଂଗ୍ରେସ ପକ୍ଷରୁ ଭୁବନେଶ୍ୱରସ୍ଥିତ ଇଡି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱର ଶହ ଶହ କଂଗ୍ରେସ କର୍ମୀ ସିଆର୍‌ପି ଛକ ହନୁମାନ ମନ୍ଦିରରୁ ଶୋଭାଯାତ୍ରାରେ ବାହାରି ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲେ।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଏହି ମାମଲା ସଂପୂର୍ଣ୍ଣ ଭାବେ ଅମୂଳକ। ଏଥିରେ ଆଦୌ ସତ୍ୟତା ନାହିଁ। ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ନିଜର ହୀନ ରାଜନୈତିକ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ପାଇଁ ଯେଉଁଭଳି ଭାବରେ ସ୍ବାଧୀନ ସଂସ୍ଥା ଇଡିକୁ ବ୍ୟବହାର କରୁଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଲେ ଯେ ଦେଶକୁ ସଶକ୍ତ କରିବାରେ ଗାନ୍ଧୀ ପରିବାରର ବଳିଦାନରେ ଅତୁଳନୀୟ। ହେଲେ ଗାନ୍ଧୀ ପରିବାରକୁ ଅଯଥାରେ ଅପବାଦ ଘେରକୁ ଟଣାଯାଉଛି। ଏହା ପୂର୍ବରୁ ରାଜୀବ ଗାନ୍ଧୀଙ୍କ ନାମରେ ବୋଫର୍ସ ମାମଲା କରାଯାଇଥିଲା। ଆଜି ପର୍ଯ୍ୟନ୍ତ ତାହା ପ୍ରମାଣିତ ହୋଇପାରିଲା ନାହିଁ। ଏହି ପ୍ରତିବାଦ ସଭାରେ କଂଗ୍ରେସ ଦଳର ବିଧାୟକ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ରମେଶ ଜେନା, ଦାଶରଥୀ ଗମାଙ୍ଗୋ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ଗଣେଶ୍ୱର ବେହେରା, ନବଜ୍ୟୋତି ପଟ୍ଟନାୟକ, ବିଜୟଲକ୍ଷ୍ମୀ ସାହୁ, ସସ୍ମିତା ବେହେରା, ଯୁଧିଷ୍ଠିର ଜେନା, ସୁରେଶ କୁମାର ମହାପାତ୍ର, ଶିବାନନ୍ଦ ରାୟ, ଅନନ୍ତ ସେଠୀ ଓ ନକୁଳ ନାୟକ ଯୋଗ ଦେଇ ମତ ରଖିଥିଲେ। କାର୍ଯ୍ୟକ୍ରମକୁ ଏଆଇସିସି ସଭ୍ୟ ଶୁଭେନ୍ଦୁ ମହାନ୍ତି ପରିଚାଳନା କରିଥିଲା ବେଳେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର