ଗଣତନ୍ତ୍ର ସୁରକ୍ଷା ପାଇଁ ରାଜଭବନ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର : ରାଜସ୍ଥାନରେ କଂଗ୍ରେସ ସରକାରଙ୍କୁ ଅସ୍ଥିର କରିବାକୁ କେନ୍ଦ୍ରରେ ଥିବା ବିଜେପି ସରକାର ଉଦ୍ୟମ କରୁଛି। ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିଜେପି ବିପଦ ସୃଷ୍ଟି କରୁଛି। ଏହାର ପ୍ରତିବାଦରେ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜସ୍ଥାନରେ ସୃଷ୍ଟି ହୋଇଥିବା ପରିସ୍ଥିତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦାୟୀ ବୋଲି କଂଗ୍ରେସ ଅଭିଯୋଗ କରିଛି।

ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି, ବିଜେପି ଅର୍ଥବଳ ଓ ବାହୁବଳ ଖଟାଇ ପ୍ରଶାସନିକ ବ୍ୟବସ୍ଥାର ଦୂରୁପଯୋଗ କରିଚାଲିଛି। ନିର୍ବାଚିତ ବିଧାୟକମାନଙ୍କୁ ଅର୍ଥ ପ୍ରଲୋଭନ ଦେଖାଇ ଗୋଟିଏ ପରେ ଗୋଟିଏ କଂଗ୍ରେସ ଶାସିତ ରାଜ୍ୟମାନଙ୍କରେ ସରକାର ଭାଙ୍ଗିବାକୁ ଉଦ୍ୟମ କରାଯାଉଛି। ଏପରିକି କ୍ଷମତା ଲୋଭରେ କଂଗ୍ରେସର ବିଧାୟକମାନଙ୍କୁ ନିଜ ଆଡ଼କୁ ନେବା ପାଇଁ ଚେଷ୍ଟା ଚଳାଇଛନ୍ତି। ଏଥିରେ ବିଫଳ ହେଲେ ବାହୁବଳ ପ୍ରୟୋଗ ପାଇଁ ବିଜେପି ନେତାମାନେ ପଛାଉ ନାହାନ୍ତି। ଏପରିକି ନର୍ବାଚିତ ପ୍ରତିନିଧିମାନଙ୍କୁ ବାଉଁସର ଲଗାଇ ଜୋର ଜବରଦସ୍ତ ହୋଟେଲ ଓ ଗେଷ୍ଟ୍‌ହାଉସରେ ନଜରବନ୍ଦୀ ଭାବେ ରଖାଯାଉଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହାଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳ ସଦସ୍ୟମାନେ ଏହିପରି କୁତ୍ସିତ ବ୍ୟବସ୍ଥାକୁ ପ୍ରାଥମିକତା ଦେଉଛନ୍ତି। ଫଳରେ ଭାରତବର୍ଷର ସମ୍ବିଧାନ ଓ ଗଣତନ୍ତ୍ର ଆଜି ବିପନ୍ନ ହୋଇଛି। ଗତ କିଛିଦିନ ତଳେ ଅର୍ଥ ଓ ବାହୁବଳ ପ୍ରୟୋଗ କରି ବିଜେପି ଗୋଆ, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ଲୋକଙ୍କ ଦ୍ବାରା ନିର୍ବାଚିତ କଂଗ୍ରେସ ସରକାରଙ୍କୁ ଭାଙ୍ଗିବାରେ ସକ୍ଷମ ହୋଇଥିଲା। ଦେଶରେ ମହାମାରୀ କରୋନା କରାଳ କାୟା ବିସ୍ତାର କରିଥିବାବେଳେ ସାଧାରଣ ଜନତାଙ୍କ ଜୀବନ ଅପେକ୍ଷା କଂଗ୍ରେସ ସରକାରରେ ଅସ୍ଥିରତା ସୃଷ୍ଟି କରିବା ମୋଦୀ ସରକାରଙ୍କ ପ୍ରାଥମିକତା ହୋଇଛି।

ଦେଶରେ କରୋନା ପରିସ୍ଥିତି ଅତି ସଙ୍ଗୀନ। ଗରିବ ଲୋକେ ନିଜର ବେଉସା ଓ ଜୀବିକା ହରାଇଛନ୍ତି। ସଂଖ୍ୟା ଗରିଷ୍ଠ କଂଗ୍ରେସ ସରକାରକୁ ବିଧାନସଭାରେ ପ୍ରମାଣ ଦେବାପାଇଁ ସୁଯୋଗ ଦିଆଯାଉନାହିଁ। ରାଜସ୍ଥାନର ରାଜ୍ୟପାଳଙ୍କ ଜରିଆରେ କେନ୍ଦ୍ର ବିଜେପି ନେତୃବର୍ଗ ସାମ୍ବିଧାନିକ ବ୍ୟବସ୍ଥାକୁ ବିଗାଡ଼ି ଦେବାକୁ ପ୍ରଚେଷ୍ଟା କରୁଛନ୍ତି। ସେଠାରେ କଂଗ୍ରେସର ସଂଖ୍ୟାଗରିଷ୍ଠ ସରକାରକୁ ବିଧାନସଭାରେ ପ୍ରମାଣ ଦେବା ପାଇଁ ସୁଯୋଗ ଦିଆଯାଉନାହିଁ। ଭାରତ ପରି ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ଅର୍ଥ ଓ କ୍ଷମତା ଲୋଭ ଦେଖାଇ ନିଜ ପକ୍ଷକୁ ଟାଣିବା ସୁସ୍ଥ ପରମ୍ପରା ନୁହେଁ। ଏପରି ହେଲେ ଭାରତ ବର୍ଷରେ ଗଣତନ୍ତ୍ରର ବିଲୋପ ଘଟିପାରେ। ଦେଶରେ ବିଜେପି ସରକାର ଆସିବା ଦିନଠାରୁ ଏହିପରି ଅସିମ୍ବିଧାନିକ ଆଚାର ବ୍ୟବହାର ଦିନକୁ ଦିନ ବଢ଼ିଚାଲିଛି ବୋଲି ପିସିସି ସଭାପତି ଅଭିଯୋଗ କରିଛନ୍ତି।

ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ପୂର୍ବତନ ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନଙ୍କ ସମେତ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ, ଦେବାଶିଷ ପଟ୍ଟନାୟକ, ଜଗନ୍ନାଥ ପଟ୍ଟନାୟକ, ବିପିନ ଦାଶ, ଶିବାନନ୍ଦ ରାୟ, ଉମାବଲ୍ଲଭ ରଥ, ମନୋରଞ୍ଜନ ଦାଶ, ଜ୍ଞାନରଞ୍ଜନ ବେଉରା, ବିଶ୍ବରଞ୍ଜନ ଦାଶ, ସୁଦର୍ଶନ ଦାସ, ଅଭିଷେକ ମହାନନ୍ଦ, ରଶ୍ମି ମହାପାତ୍ର, ହଳଧର ସେଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର