ସାଂସଦ ଅନୁଭବ ମହାନ୍ତିଙ୍କ ଜାଲ୍‌ ସାର୍ଟିଫିକେଟ୍‌ ପ୍ରସଙ୍ଗ : ଅଭିଯୋଗକୁ ପରୋକ୍ଷରେ ସ୍ବୀକାର କରିଛନ୍ତି ସାଂସଦ: କଂଗ୍ରେସ

ଆଇନର ଆଶ୍ରୟନେବାକୁ ସାଂସଦଙ୍କୁ ଆହ୍ବାନ କଲା ଦଳ

ଭୁବ‌େନଶ୍ବର : ନିଜର ଶିକ୍ଷାଗତ ଯୋଗ୍ୟତା ନେଇ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ ଯେଉଁ ତଥ୍ୟ ପଦାକୁ ଆସିଛି ତାକୁ ପରୋକ୍ଷରେ ସ୍ବୀକାର କରିଛନ୍ତି ଖୋଦ ସାଂସଦ। ଆଜି ପୁଣି ଥରେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତା ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର ଏପରି ଅଭିଯୋଗ କରିଛନ୍ତି। ଯେଉଁ ତିନୋଟି କଥାକୁ ନେଇ ଦଳ ସାଂସଦଙ୍କୁ ଚାଲେଞ୍ଜ୍‌ କରିଛି ସେ ସମ୍ପର୍କରେ ଗତକାଲି ଶ୍ରୀ ମହାନ୍ତି ଜାରି କରିଥିବା ପ୍ରେସ୍‌ ଇସ୍ତାହାରରେ କିଛି ବି ପଦୁଟିଏ କହି ନ ଥିବା କଂଗ୍ରେସ ପାଲଟା ଅଭିଯୋଗ କରିଛି।

ଶ୍ରୀ ମିଶ୍ର କହିଥିଲେ, କେନ୍ଦ୍ରାପଡ଼ା ସାଂସଦ ଶ୍ରୀ ମହାନ୍ତି ରାଜ୍ୟସଭା ନିର୍ବାଚନ ସମୟରେ ନିଜ ପ୍ରାର୍ଥିପତ୍ର ବେଳେ ଶିକ୍ଷାଗତ ଯୋଗ୍ୟତା ନେଇ ଜାଲ ସାର୍ଟିଫିକେଟ୍‌ ଦେଇଥିବା ଗତକାଲି କଂଗ୍ରେସ ଅଭିଯୋଗ ଆଣିଥିଲା। ଆଶା କରାଯାଉଥିଲା, ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିବା ପରେ ସାଂସଦ ସମସ୍ତ ଦସ୍ତାବିଜ୍‌ ସହ ତାଙ୍କର ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ପ୍ରମାଣପତ୍ର ଦେଖାଇ ପ୍ରତିପକ୍ଷଙ୍କୁ ଚୁପ୍ କରିବା ପାଇଁ ଚେଷ୍ଟା କରିବେ। କିନ୍ତୁ ତାହା ନ କରି ନିଜର ପୁରୁଣା ଶୈଳୀରେ ଆଇନ୍‌କାନୁ୍‌ନ୍‌କୁ ବାଏଁ ବାଏଁ ଉଡ଼ାଇଦେବା ପାଇଁ ଚେଷ୍ଟା କରିଛନ୍ତି। ସାସଂଦଙ୍କ ବି.ଏ ସାର୍ଟିଫିକେଟ୍‌ ବୈଧ କି ନୁହେଁ? ବିନା ମାଇଗ୍ରେସନ୍‌ ସାର୍ଟିଫିକେଟ୍‌ରେ ରାଜ୍ୟ ବାହାରର ବିଶ୍ବ ବିଦ୍ୟାଳୟରେ ନାମ ଲେଖାଇଲେ କେମିତି? ରେଜିଷ୍ଟ୍ରେସନ୍‌ ନମ୍ବର ୧୪୧୦୮/୨୦୦୩ରେ ସାଂସଦ ଅନୁଭବ ମହାନ୍ତି ଉତ୍କଳ ବିଶ୍ବବିଦ୍ୟାଳୟ ଅଧିନସ୍ଥ କନ୍ଦରପୁର କଲେଜର ଛାତ୍ର କି ନୁହେଁ ଏବଂ ଅଦ୍ୟାବଧି ପାସ୍ କରିନଥିବା କଥା ସତ କି ମିଛ? ଏହି ୩ଟି ପ୍ରଶ୍ନରୁ ଗୋଟିଏ ବି ଉତ୍ତର ସାଂସଦ ଦେଇପାରିନାହାନ୍ତି। ଯଦି କଂଗ୍ରେସ କରିଥିବା ଅଭିଯୋଗ ମନଗଢ଼ା ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ ତା ହେଲେ ସାଂସଦ ଆଇନର ଆଶ୍ରୟ ନ ନେଇ କ’ଣ ପାଇଁ ଖସିଯିବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ମିଶ୍ର ଆହ୍ବାନ କରିଥିଲେ। ସମ୍ମିଳନୀରେ କଂଗ୍ରେସ ନେତା ଜିନେଶ ଦାସ, ନରେଶ ମହାନ୍ତି, ମନୋରଞ୍ଜନ ଦାଶ, ପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର