ଭୁବନେଶ୍ବର: ସଂସ୍କୃତି ମନ୍ତ୍ରୀଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା ରାଜ୍ୟ କଂଗ୍ରେସ। ଅଭିଯୋଗ ଅନୁସାରେ ମନ୍ତ୍ରୀ ସରକାରୀ ଅର୍ଥରେ ରୋଡ଼ ସୋ ପାଇଁ ହାଇଦ୍ରାବାଦ ଯାଇଥିବା ବେଳେ ୨ଜଣ ମହିଳାଙ୍କୁ ସାଙ୍ଗରେ ନେଇ ଯାଇଥିଲେ। ସରକାରୀ ଅର୍ଥରେ ୨ ମହିଳାଙ୍କ ବିମାନ ଯାତାୟାତ ଖର୍ଚ୍ଚ ଓ ତାରକା ହୋଟେଲରେ ରହିବା ବାବଦକୁ ସରକାରୀ ଅର୍ଥ ଖର୍ଚ୍ଚ କରିଥିବା ନେଇ ରାଜ୍ୟ କଂଗ୍ରେସ ଅଭିଯୋଗ ଆଣିଛି।

Advertisment

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନାଁରେ ଏଭଳି କିଛି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାଜ୍ୟ କଂଗ୍ରେସ ମିଡ଼ିଆ ସେଲ ଅଧକ୍ଷ ସତ୍ୟ ପ୍ରକାଶ ନାୟକ। ସେ କହିଛନ୍ତି, ମନ୍ତ୍ରୀଙ୍କ ସହ ଆଉ ୨ଜଣ ମହିଳା ମଧ୍ୟ ଇଣ୍ଡିଗୋ ବିମାନରେ ହାଇଦ୍ରାବାଦ ଯାଇଥିଲେ। ପ୍ରଶ୍ନ ଉଠୁଛି ସେ ମହିଳାଙ୍କ ସହ ମନ୍ତ୍ରୀଙ୍କ ସମ୍ପର୍କ କ’ଣ ? ସରକାରୀ କାର୍ଯ୍ୟରେ ଯାଇ କିଭଳି ବାହାର ଲୋକଙ୍କୁ ନେଇ ସରକାରୀ ଅର୍ଥ ଖର୍ଚ୍ଚ କଲେ? ମନ୍ତ୍ରୀ ହାଇଦ୍ରାବାଦର ତାଜ କ୍ରିଷ୍ଣା ହୋଟେଲରେ ରହିଥିବା ବେଳେ ୨ ମହିଳା ମଧ୍ୟ ସେହି ହୋଟେଲରେ ରହିଥିଲେ। ତେବେ ଏହି ଘଟଣା ଉପରେ ମନ୍ତ୍ରୀଙ୍କ ଉତ୍ତର ଦାବି କରିଛି ରାଜ୍ୟ କଂଗ୍ରେସ।