ଭୁବନେଶ୍ବର: ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦିନ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଗଡ଼ିପାରିଲା ନାହିଁ। ପରଦିନ ଶରଧାବାଲିରେ ଦଳାଚକଟା ପାଇଁ ୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେଲା। ଚଳିତ ଥର ରଥଯାତ୍ରା ସମୟରେ ଏଭଳି ମହାବିଶୃଙ୍ଖଳାକୁ ନେଇ ଆଜି ରାଜଧାନୀରେ ଯୁବ କଂଗ୍ରେସ ଗର୍ଜନ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନ ସମ୍ମୁଖରେ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଇସ୍ତଫା ଦାବିକରି ଯୁବକଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଛି।
ଅପରାହ୍ଣ ପାଖାପାଖି ୫ଟା ସମୟରେ ଯୁବକଂଗ୍ରେସ ସଭାପତି ରଂଜିତ ପାତ୍ରଙ୍କ ନେତୃତ୍ବରେ ଶତାଧିକ ସମର୍ଥକ ଏଜି ଛକରୁ ଶୋଭାଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ବାହାରିଥିଲେ। ପୁଲିସ ବ୍ୟାରିକେଡ୍ ଯୋଗୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନଠାରୁ କିଛି ଦୂରରେ ଧାରଣାରେ ବସି ନାରାବାଜି କରିଥିଲେ। ଏତିକିବେଳେ ପୁଲିସ ବଳ ଆନ୍ଦୋଳନକାରୀଙ୍କୁ ଅଟକାଇବାରୁ ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା। କିଛି ସମୟ ଠେଲାପେଲା ହେବା ପରେ ପୁଲିସ ଆନ୍ଦୋଳକାରୀଙ୍କୁ ଭ୍ୟାନ୍ରେ ଉଠାଇନେବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଏଥର ରଥଯାତ୍ରାରେ ହୋଇଥିବା ଅବ୍ୟବସ୍ଥା ଚରମ ସୀମାରେ ପହଞ୍ଚିଛି। ଏହା ସମ୍ପୂର୍ଣ୍ଣ ମନୁଷ୍ୟକୃତ ଏବଂ ଏଥିପାଇଁ ରାଜ୍ୟ ସରକାର ହିଁ ଦାୟୀ। ୧୫,୦୦୦ ଭିଭିଆଇପି କର୍ଡନ୍ ପାସ୍ ହିଁ ଭିଡ଼ର କାରଣ ଥିଲା। ଭିଭିଆଇପିଙ୍କ ଭିଡ଼କୁ ପୁଲିସ ନିୟନ୍ତ୍ରଣ କରିପାରିନଥିଲା। ତେଣୁ ପୁଲିସ ଓ ପ୍ରଶାସନର ଅବହେଳାରୁ ୧୦ଜଣଙ୍କ ଜୀବନ ଗଲା ଓ ୧୦୦୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଆହତ ହେଲେ। ଉଦ୍ବେଗର ବିଷୟ ଆହତ ଅବସ୍ଥାରେ ଶ୍ରଦ୍ଧାଳୁମାନେ କଲବଲ ହୋଇ ସହାୟତା ମାଗୁଥିଲେ ବି ପୁଲିସ ଶୁଣି ନଥିଲା।
ଏମିତିକି ପାଣି ମୁନ୍ଦାଏ ଦେଇ ନଥିଲା। ଏଆଇ କ୍ୟାମେରା ଲଗାଇ ସ୍ଥିତି ଉପରେ ନଜର ରଖି ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରାଯାଇଥିବା କହିଥିଲେ, ହେଲେ ସେଭଳି କିଛି ବ୍ୟବସ୍ଥା କରାଯାଇ ନଥିଲା। କେବଳ ସେତିକି ନୁହେଁ, ଏ ସରକାର ଜଣେ ଶିଳ୍ପପତିଙ୍କ ପାଇଁ ଜଗନ୍ନାଥଙ୍କ ରଥକୁ ଅଟକାଇବାକୁ ବି ପଛାଇଲା ନାହିଁ। ଶିଳ୍ପପତି ଗୌତମ ଆଦାନୀ ପୁରୀରେ ପହଞ୍ଚିବା ପରେ ରଥଟଣା ହେଲା। ଏଭଳି ମହାବିଭ୍ରାଟରେ କେବଳ ଜିଲ୍ଲାପାଳ ଓ ଏସ୍ପିଙ୍କୁ ବଦଳି କରି ଅପାରଗ ସରକାର ଲୋକଙ୍କୁ ଭୁଆଁ ବୁଲାଇବାକୁ ଉଦ୍ୟମ କରୁଛି। କିନ୍ତୁ ଯୁବ କଂଗ୍ରେସ ଚୁପ୍ ବସିବ ନାହିଁ। ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଇସ୍ତଫା ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ। ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଯୁବ କଂଗ୍ରେସ ଚେତାବନୀ ଦେଇଛି। ଏହି ଆନ୍ଦୋଳନରେ ଯୁବନେତା ମନୋଜ ବିଶ୍ବାଳ, ମହମ୍ମଦ ଇନ୍ଦାଜ, କିରଣ ସାହୁ, ଉଦ୍ଦିତ ପ୍ରଧାନ, ପ୍ରକାଶ ମିଶ୍ର ପ୍ରମୁଖ ନେତୃତ୍ବ ନେଇଥିଲେ।