ରାଉରକେଲା: ଖାଉଟି ସାମଗ୍ରୀର ଅହେତୁକ ଦରବୃଦ୍ଧି ନେଇ ରାସ୍ତାକୁ ଓହ୍ଲାଇଛି ରାଉରକେଲା ମହିଳା କଂଗ୍ରେସ। ବଢ଼ି ଚାଲିଥିବା ପିଆଜ ଦର ରୋକିବା ଦାବିରେ ମହିଳା କଂଗ୍ରେସ ପକ୍ଷରୁ ଏସ୍ଟିଆଇ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗ୍ରାହକଙ୍କୁ କେଜି ପ୍ରତି ୩୦ ଟଙ୍କାରେ ପିଆଜ ବିକି ଅଭିନବ ପ୍ରତିବାଦ ଜଣାଇଛନ୍ତି। ରାଉରକେଲା ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ନିରୁପମା ବଳିଆର ସିଂହଙ୍କ ନେତୃତ୍ବରେ ପିଆଜ ବିକ୍ରି କରାଯାଇଥିଲା। ଗରିବ ମଧ୍ୟବିତ୍ତ ପରିବାର ହାଣ୍ଡିଶାଳ ଉପରେ ମହଙ୍ଗା ମାଡ଼ ସରକାରଙ୍କ ଅପାରଗତାକୁ ଦର୍ଶାଉଛି ବୋଲି ମହିଳାନେତ୍ରୀମାନେ କହିଛନ୍ତି। ଏଥର କଂଗ୍ରେସ ସରକାରକୁ ଆସିଲେ ଗ୍ରାହକମାନେ ପିଆଜ କେଜି ପ୍ରତି ୧୦ ଟଙ୍କାରେ କିଣିବେ। ବିକ୍ଷୋଭ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଜନାର୍ଦ୍ଦନ ଦେହୁରି, ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ପ୍ରବୋଧ ଦାସ ମହିଳା କଂଗ୍ରେସ ସହ ନିକିତି ଧରି ପିଆଜ ବିକ୍ରୟ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଶିବ ପ୍ରସାଦ ଦୀପ, ଛାତ୍ର କଂଗ୍ରେସ ସଭାପତି ସୂର୍ଯ୍ୟକାନ୍ତ ବାରିକ୍ଙ୍କ ସହ ବାସୁଦେବ ବାନାର୍ଜୀ, ପ୍ରସନ୍ନ କୁମାର ବଳିୟାର ସିଂହ, ବରିଷ୍ଠ ନେତା ଗଣେଶ ପ୍ରଧାନ, ନାରୀ ନେତ୍ରୀ କଲ୍ୟାଣି ପୂର୍ତ୍ତି, ସରସ୍ବତୀ ଭୂମିଜ, ସାବିର ହୁସେନ, କୀର୍ତ୍ତନ ଦାସ, ଗୋପାଳ ଦାସ, ସୁଶାନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ଅହେତୁକ ଦରବୃଦ୍ଧିର ପ୍ରତିବାଦ: ୩୦ ଟଙ୍କାରେ ପିଆଜ ବିକିଲା ମହିଳା କଂଗ୍ରେସ
/sambad/media/post_attachments/wp-content/uploads/2023/11/54c12de8-3c64-4c3c-9174-55e34f37ba0f.jpeg)