ମମିତା ହତ୍ୟାକାଣ୍ଡ ରାଜ୍ୟ ସରକାରଙ୍କ ପ୍ରାୟୋଜିତ: କଂଗ୍ରେସ

୨୬ରେ ନବୀନ ନିବାସ ଘେରିବ ଛାତ୍ର କଂଗ୍ରେସ

ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡ ରାଜ୍ୟ ସରକାରଙ୍କ ପ୍ରାୟୋଜିତ ‌ଅଟେ ବୋଲି ଅଭିଯୋଗ କରିଛନ୍ତି ପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ତାଙ୍କ ବ୍ୟକ୍ତିଗତ ସଚିବ ଓ ନିକଟତମ ଲୋକଙ୍କ ମୋବାଇଲ୍‌ କଲ୍‌ ରେକର୍ଡକୁ ଯାଞ୍ଚ୍‌ କଲେ ବହୁ ତଥ୍ୟ ପଦାକୁ ଆସିବ। ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହିଁ ପୁଲିସ ତାଙ୍କ ଘନିଷ୍ଠ ବନ୍ଧୁ ଗୋବିନ୍ଦ ସାହୁକୁ ଖସାଇଦେଇଥିଲା। ବର୍ଷ ବର୍ଷ ଧରି ସେହି ଶିକ୍ଷାନୁଷ୍ଠାନରେ ଅନୈତିକ କାର୍ଯ୍ୟ ଚାଲୁଥିଲା ବେଳେ ପୁଲିସ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିଲା। ଗୋବିନ୍ଦ ସାହୁର ଚେର ନବୀନ ନିବାସ ପର୍ଯ୍ୟନ୍ତ ମାଡ଼ିଛି। ସେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସହ ନବୀନ ନିବାସ ଯାଇଥିବାର ଅନେକ ପ୍ରମାଣ ଅଛି। କଳାହାଣ୍ଡି ଜିଲ୍ଲାରେ ଅନେକ କଲେଜ ଥିଲେ ମଧ୍ୟ ସେହି ନିର୍ଦ୍ଦିଷ୍ଟ କଲେଜକୁ ମନ୍ତ୍ରୀମାନେ କାହିଁକି ବାରମ୍ବାର ଆସୁଥିଲେ ଓ ରାତ୍ରିଯାପନ କରୁଥିଲେ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

ଗୋବିନ୍ଦ ସାହୁର ଶିକ୍ଷାନୁଷ୍ଠାନକୁ ମନ୍ତ୍ରୀ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅନୁଦାନ କାହିଁକି ଦେଉଥିଲେ? ୨୦୧୪ ମସିହାରେ ମହାଲିଙ୍ଗ ଆଞ୍ଚଳିକ ମହାବିଦ୍ୟାଳୟକୁ ଅହେତୁକ ସରକାରୀ ଅର୍ଥ ସାହାଯ୍ୟ ସମ୍ପର୍କରେ ସିଏଜି ପ୍ରଶ୍ନ ଉଠାଇଥିଲେ ବି ସରକାର ତାହାକୁ ଭ୍ରୂକ୍ଷେପ କଲେନାହିଁ। ମୁଖ୍ୟମନ୍ତ୍ରୀ ସବୁ ଜାଣି ମଧ୍ୟ ନିରବ ରହୁଛନ୍ତି। ରାଜ୍ୟପାଳ ନିଜ ସାମ୍ବିଧାନିକ କ୍ଷମତା‌ ପ୍ର‌ୟୋଗ କରି ଏହି ଘଟଣା‌ରେ ହସ୍ତକ୍ଷେପ କରନ୍ତୁ। ଦାଗି ମନ୍ତ୍ରୀଙ୍କୁ ତୁରନ୍ତ ବରଖାସ୍ତ କରିବାକୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। ସୁପ୍ରିମକୋର୍ଟ ଯେପରି ଳକ୍ଷୀମପୁର ଖେରୀ ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କରିଥିଲେ, ସେହିପରି ହାଇକୋର୍ଟ ଏହି ସ୍ପର୍ଶକାତର ଘଟଣାରେ ହସ୍ତକ୍ଷେପ କରି କୋର୍ଟ ତତ୍ତ୍ବାବଧାନରେ ତଦନ୍ତ କରାଇବା ପାଇଁ ସେ ନିବେଦନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଞ୍ଜନ ଦାଶ, ରଜତ ଚୌଧୁରୀ ଓ ମନୋଜ ବିଶ୍ବାଳ ଉପସ୍ଥିତ ଥିଲେ।

ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ କଂଗ୍ରେସ ତାହାର ଆନ୍ଦୋଳନ ଜାରି ରଖିଛି। ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ତଥା ମମିତାଙ୍କ ପରିବାରକୁ ଏକ କୋଟି ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବା ଦାବିରେ ଆସନ୍ତା ୨୬ ତାରିଖରେ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କରାଯିବ ବୋଲି ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ସୂଚନା ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଛାତ୍ର କଂଗ୍ରେସ କର୍ମକର୍ତ୍ତାମାନେ ସାରା ରାଜ୍ୟରେ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରୁଥିଲା ବେଳେ ପୁଲିସ ବଳପୂର୍ବକ ସେମାନଙ୍କୁ ଗିରଫ କରି ଅତ୍ୟାଚାର କରୁଛି। ଗୋବିନ୍ଦ ସାହୁ ଯେଉଁ ଭିଡିଓ ପାଇଁ ମମିତାଙ୍କୁ ହତ୍ୟା କଲେ ସେହି ଭିଡିଓରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଆପତ୍ତିଜନକ ଅବସ୍ଥାର ଦୃଶ୍ୟ ରହିଛି। ତାହାର ପ୍ରଘଟ ଭୟରେ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମମିତାଙ୍କୁ ହତ୍ୟା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ମା’କୁ ସମ୍ମାନ ଆହ୍ବାନ ଏକ ପ୍ରତାରଣାରେ ପରିଣତ ହୋଇଛି। ନିଜେ ମୁଖ୍ୟମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ସୁରକ୍ଷା ଦେଉଛନ୍ତି। ମନ୍ତ୍ରୀଙ୍କୁ ବହିଷ୍କାର ଓ ଗିରଫ ନ କରିବା ପର୍ଯ୍ୟନ୍ତ ଛାତ୍ର କଂଗ୍ରେସ ଆନ୍ଦୋଳନ ଜାରି ରଖିବ ବୋଲି ଶ୍ରୀ ନୱାଜ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ ମିଶ୍ର, ମନୋଜ ବିଶ୍ବାଳ, ବିଶ୍ବଭୂଷଣ ମହାପାତ୍ର, କାର୍ତ୍ତିକେଶ୍ବର କାଣ୍ଡି ଓ ବାବୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର