ଭୁବନେଶ୍ବର: ଚଳିତ ନିର୍ବାଚନ ରାଜ୍ୟ କଂଗ୍ରେସ ପାଇଁ କିଛିଟା ଖୁସି ଆଣିଛି। ଗତ ବିଧାନସଭା ନିର୍ବାଚନରେ ଏକ ଅଙ୍କରେ ସୀମିତ ଥିବା କଂଗ୍ରେସ ଏଥର ୧୪ ବିଧାନସଭା ଆସନରେ କଂଗ୍ରେସ ବିଜୟୀ ହୋଇଛି। ଦକ୍ଷିଣ ଓଡ଼ିଶାରେ ଦଳ ବେଶ୍ ଭଲ ପ୍ରଦର୍ଶନ କରିଛି। ହେଲେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ୯ରୁ ୯୦ ମିସନ୍ କିନ୍ତୁ ସଫଳ ହୋଇନାହିଁ। ଦଳ ପୂର୍ବଭଳି ତୃତୀୟ ସ୍ଥାନରେ ରହିଛି। ଦଳର ବହୁ ହେଭିୱେଟ୍‌ ନିର୍ବାଚନ ମଇଦାନରେ ପରାସ୍ତ ହୋଇଛନ୍ତି। ମାତ୍ର ସାଂସଦ ସପ୍ତଗିରି ଉଲ୍ଲାକା ନିଜର ଆସନ ବଜାୟ ରଖିବାରେ ସଫଳ ହୋଇଛନ୍ତି।

Advertisment

ଶରତ ପଟ୍ଟନାୟକ ପିସିସିର ମଙ୍ଗ ଧରିବା ପରେ ଡାକରା ଦେଇଥିଲେ ୯ରୁ ୯୦। ବାରମ୍ବାର ଗଣମାଧ୍ୟମ ଆଗରେ ଏକଥା ଦୋହରାଇଥିଲେ ଯେ କଂଗ୍ରେସ ଏଥର ଓଡ଼ିଶାରେ ସରକାର ଗଠନ କରିବ। ବିଜେପି ଓ ବିଜେଡି ଏକ ହୋଇ ରହିଛନ୍ତି,‌ ତେଣୁ କଂଗ୍ରେସ ଏକମାତ୍ର ବିକଳ୍ପ। ହେଲେ ଚଳିତ ନିର୍ବାଚନରେ ରାଜ୍ୟରେ ବିଜେପି-ବିଜେଡିର ଘମାଘୋଟ ପ୍ରଚାର ଭିତରେ କଂଗ୍ରେସ ଏକପ୍ରକାର କୋଣଠେସା ହୋଇଯାଇଥିଲା। ଏହାସହ ଟିକେଟ୍ ବଣ୍ଟନକୁ ନେଇ ଦଳ ଭିତରେ ବହୁ ଅସନ୍ତୋଷ ଦେଖା ଦେଇଥିଲା। ଏଥିପାଇଁ ବାରମ୍ବାର ପ୍ରାର୍ଥୀ ବଦଳାଇଥିଲା କଂଗ୍ରେସ। ନିର୍ବାଚନ ମଇଦାନରୁ ଓହ୍ଲାଇଥିବା ପ୍ରାର୍ଥୀଙ୍କୁ ମଧ୍ୟ ଆବଶ୍ୟକ ପାଣ୍ଠି ଦିଆଯାଉ ନ ଥିବା ଅଭିଯୋଗ ହୋଇଥିଲା। ଅନେକ ବିଧାୟକ ପ୍ରାର୍ଥୀ ମଧ୍ୟ ଗଣମାଧ୍ୟମରେ ଖୋଲାଖୋଲି ଅସନ୍ତୋଷ ଝାଡ଼ିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ପୁରୀରୁ ସାଂସଦ ପ୍ରାର୍ଥୀ ଟିକେଟ୍ ଫେରାଇ ଦେଇଥିଲେ। ନିର୍ବାଚନ ପରେ ଆସିଥିବା ଏକ୍‌ଜିଟ୍‌ ଫୋଲ୍‌(ବୁଥ୍‌ ବାହୁଡ଼ା ମତ)ରେ କଂଗ୍ରେସର ଆସନ ସଂଖ୍ୟା ପୂର୍ବ ତୁଳନାରେ ଆହୁରି ଖସି ଆସିବ ବୋଲି ଆକଳନ କରାଯାଉଥିଲା। କିନ୍ତୁ ଦଳୀୟ ନେତାମାନେ ଦକ୍ଷିଣ ଓଡ଼ିଶା ସମେତ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ଭଲ ପ୍ରଦର୍ଶନ ନେଇ ଆଶାବାଦୀ ଥିଲେ। ଦଳର କେନ୍ଦ୍ରୀୟ ନେତୃତ୍ବ ମଧ୍ୟ ଏସବୁ ନିର୍ବାଚନମଣ୍ଡଳୀରେ ପ୍ରଚାର କରିଥିଲେ। କଂଗ୍ରେସ ଏହାର ଫାଇଦା ନେବାରେ ସକ୍ଷମ ହୋଇଛି। ଦକ୍ଷିଣ ଓଡ଼ିଶା ଦଳର ଇଜ୍ଜତ ରକ୍ଷା କରିଛି। ଦଳର ଆସନ ସଂଖ୍ୟା ଦୁଇ ଅଙ୍କ ଛୁଇଁବା ନେତା ଓ କର୍ମୀଙ୍କୁ ସାମାନ୍ୟ ଆଶ୍ବସ୍ତି କରିଛି।

ରାଜଗାଙ୍ଗପୁରରୁ ସିଏସ୍‌ ରାଜନ ଏକ୍କା, ପଟାଙ୍ଗୀରୁ ରାମଚନ୍ଦ୍ର କାଡ଼ାମ, ସାନଖେମୁଣ୍ଡି ରମେଶ ଜେନା, କଟକ-ବାରବାଟୀ ପ୍ରାର୍ଥୀ ସୋଫିଆ ଫିର୍‌ଦୋଶ, ଭବାନୀପାଟଣାରୁ ସାଗର ଦାସ, ଚିତ୍ରୋକୋଣ୍ଡା ମଙ୍ଗୁ ଖିଲ, ଲକ୍ଷ୍ମୀପୁର ପବିତ୍ର ସାଉଣ୍ଟା, ଜୟପୁରରୁ ତାରାପ୍ରସାଦ ବାହିନୀପତି, ବାସୁଦେବପୁର ଅଶୋକ ଦାସ, ଗୁଣୁପରରୁ ସତ୍ୟଜିତ ଗମାଙ୍ଗୋ ପ୍ରମୁଖ ବିଜୟୀ ହୋଇଛନ୍ତି। ସେହିପରି ‘ଇଣ୍ଡି’ ମେଣ୍ଟର ସହଯୋଗୀ ସିପିଆଇଏମ୍‌ର ଲକ୍ଷ୍ମଣ ମୁଣ୍ଡା ବଣାଇରୁ ବିଜୟୀ ହୋଇଛନ୍ତି। ଅପରପକ୍ଷରେ ଦୀର୍ଘଦିନ ବ୍ୟବଧାନରେ ନିର୍ବାଚନ ମଇଦାନରୁ ଓହ୍ଲାଇଥିବା ପିସିସି ସଭାପତି ଶରତ ପଟ୍ଟନାୟକ ପରାସ୍ତ ହୋଇଛନ୍ତି। ଆନନ୍ଦପୁରରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଭଣ୍ଡାରୀପୋଖରୀରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପାରଳାଖେମୁଣ୍ଡିରେ ବରିଷ୍ଠ ନେତା ବିଜୟ ପଟ୍ଟନାୟକ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତଚରଣ ଦାସ ପ୍ରମୁଖ ହାରି ଯାଇଛନ୍ତି। ବିଧାନସଭାକୁ ବାଦ୍ ଦେଲେ କଂଗ୍ରେସର କିଛି ସାଂସଦ ପ୍ରାର୍ଥୀଙ୍କ ଉପରେ ଏଥର ନଜର ରହିଥିଲା। କୋରାପୁଟରୁ ଲଢ଼ୁଥିବା ସପ୍ତଗିରି ଉଲ୍ଲାକା ନିଜର ଆସନ ବଜାୟ ରଖିବେ ନା ‌ନାହିଁ ତାହା ଚର୍ଚ୍ଚାରେ ରହିଥିଲା। ମାତ୍ର ସେ ପୂର୍ବଭଳି କୋରାପୁଟ ସଂସଦୀୟ କ୍ଷେତ୍ରରେ ନିଜର ଦବ୍‌ଦବା ଜାହିର କରିଛନ୍ତି। ସେହିପରି କିଛିବର୍ଷ ପରେ କଂଗ୍ରେସକୁ ଫେରିଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ବାଲେଶ୍ବରରେ କଡ଼ା ଟକ୍କର ଦେଇପାରନ୍ତି ବୋଲି ରାଜନୈତିକ ବିଶେଷଜ୍ଞମାନେ ଆକଳନ କରୁଥିଲେ। ହେଲେ ତାଙ୍କ ସମେତ ବଳକା ୨୦ଟି ସଂସଦୀୟ କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀମାନେ ତୃତୀୟ ସ୍ଥାନରେ ରହି ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି।