ଡିସେମ୍ବର ୨୬ରେ କଂଗ୍ରେସ ସେବା ଦଳର ସଦ୍‌ଭାବନା ଦିବସ

ଭୁବନେଶ୍ବର : ଆସନ୍ତାମାସ ୨୬ତାରିଖରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସେବା ଦଳର ସଦ୍‌ଭାବନା ସମାବେଶ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ କଂଗ୍ରେସ ଭବନରେ ଏ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଏ.ଚେଲାକୁମାର ଯୋଗ ଦେଇଥିଲେ। ଶ୍ରୀ ଚେଲାକୁମାର କହିଥିଲେ ଯେ କଂଗ୍ରେସ ସେବାଦଳର ଗୌରବମୟ ଇତିହାସ ରହିଛି। କଂଗ୍ରେସ ଦଳର ମେରୁଦଣ୍ଡ ଭଳି ଏହା କାର୍ଯ୍ୟ କରିଥାଏ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁ ଏହି ସଂଗଠନର ପ୍ରଥମ ସଭାପତି ରହିଥିଲେ। ଯୁବକମାନଙ୍କୁ ଶୃଙ୍ଖଳାରେ ବାନ୍ଧି ରଖିବା ପାଇଁ କାର୍ଯ୍ୟ କରୁଥିଲେ। ସ୍ବାଧୀନତା ସଂଗ୍ରାମରେ କଂଗ୍ରେସ ସେବାଦଳର ସ୍ବତନ୍ତ୍ର ଭୂମିକା ଥିଲା ବୋଲି ସେ କହିଥିଲେ।

ଅଖିଳ ଭାରତ କଂଗ୍ରେସ କମିଟିର ସଂପାଦକ ଜି.ରୁଦ୍ର ରାଜୁ କହିଲେ ଛାତ୍ର ଓ ଯୁବକମାନଙ୍କ ଭିତରେ ରାଷ୍ଟ୍ରୀୟ ଭାବନା ସୃଷ୍ଟି କରିବା କଂଗ୍ରେସ ସେବାଦଳର ମୁଖ୍ୟ କାର୍ଯ୍ୟ। ତେଣୁ ସଂଗଠନକୁ ପ୍ରଶିକ୍ଷଣ ମାଧ୍ୟମରେ ବ୍ୟାପକ କରିବାକୁ ସେ ଆହ୍ବାନ କରିଥିଲେ। ଡିସେମ୍ବରରେ ହେବାକୁ ଥିବା ସଦ୍‌ଭାବନା ସମାବେଶକୁ ସଫଳ କରିବା ପାଇଁ ଉପସ୍ଥିତ ଜିଲ୍ଲା କର୍ମକର୍ତାମାନଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ବାନ କରିଛନ୍ତି। ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଯଜ୍ଞେଶ୍ବର ବାବୁ, ମିଡିଆ ସେଲର ଅଧ୍ୟକ୍ଷ ଗଣେଶ୍ବର ବେହେରା ଓ ପଛୁଆବର୍ଗ ବିଭାଗର ଅଧ୍ୟକ୍ଷ ଜ୍ଞାନଦେବ ବେଉରା ଉପସ୍ଥିତ ରହି ଜିଲ୍ଲା କର୍ମକର୍ତାଙ୍କୁ ଉତ୍ସାହିତ କରିଥିଲେ। ପ୍ରାରମ୍ଭରେ ନିରଦ ବରଣ ଖୁଣ୍ଟିଆ ସ୍ବାଗତ ଭାଷଣ ଦେଇଥିବା ବେଳେ ଅଶୋକ କୁମାର କୁମାର ସିଂ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ସାହାଦୁଲ୍ଲା, ସୁବାସ କୁମାର ପରିଡ଼ା, ଜ୍ୟୋତିଷ କୁମାର ସାହୁ, କୁଳମଣି ସାହୁ, ଦିଲ୍ଲୀପ କୁମାର ପଣ୍ଡା, ମନୋଜ କୁମାର ସାହୁ, ଦୁଃଖୀଶ୍ୟାମ ଦାସ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ପ୍ରସ୍ତୁତି ବୈଠକରେ ୩୩ଟି ସାଙ୍ଗଠନିକ ଜିଲ୍ଲାରୁ କର୍ମକର୍ତାମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର