ଖୋର୍ଦ୍ଧାରେ କଂଗ୍ରେସର ଗତ ୧୫ ବର୍ଷର ସ୍ଥିତି ନୈରାଶ୍ୟଜନକ

ଖୋର୍ଦ୍ଧା: ୨୦୧୨, ୨୦୧୭ ଓ ୨୦୨୨ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ତିନି ପ୍ରମୁଖ ଦଳ- ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସର ଆସନ ସଂଖ୍ୟା ଓ ସ୍ଥିତିକୁ ଅନୁଧ୍ୟାନ କଲେ । ୨୦୨୨ ନିର୍ବାଚନରେ ବିଜେପି ଆପାତତଃ ୨୦୧୨ ସ୍ଥିତିକୁ ଫେରିଯାଇଥିବା ବେଳେ ୨୦୧୨ ଠାରୁ କ୍ରମାଗତ ଭାବେ ତୃତୀୟ ଥର ପାଇଁ କଂଗ୍ରେସ ନିଜର ସ୍ଥିତିରେ କୌଣସି ଉନ୍ନତି କରିପାରିନାହିଁ ।

୨୦୧୨ରେ ୩୦ଟି ଜୋନ୍‌ରୁ ବିଜେଡି ୨୫, ସ୍ୱାଧୀନ ୩, ବିଜେପି ଗୋଟିଏ ଓ କଂଗ୍ରେସ ଗୋଟିଏ ଜିଲ୍ଳା ପରିଷଦ ଆସନ ପାଇଥିଲା । ୨୦୧୭ରେ ବିଜେଡି ୨୦, ବିଜେପି ୧୦ଟି ଆସନ ପାଇଥିବା ବେଳେ କଂଗ୍ରେସ ମୂଳ ପୋଛ ହୋଇଯାଇଥିଲା । ଏପରିକି ଅନେକ ସ୍ଥାନରେ ସ୍ୱାଧୀନ ପ୍ରାର୍ଥୀଙ୍କ ଠାରୁ ମଧ୍ୟ ପଛରେ ୪ର୍ଥ-୫ମ ସ୍ଥାନରେ ରହିଥିଲା । ୨୦୧୯ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେପିରୁ ପୂର୍ବତନ ଖୋର୍ଦ୍ଧା ଜିଲ୍ଲାପାଳ ଥିବା ଅପରାଜିତା ଷଡ଼ଙ୍ଗୀ ବିଜୟ ହୋଇଥିଲେ ।

ଅପରପକ୍ଷରେ ଚିଲିକା-ବାଣପୁରରେ ବିଜେପିର ଜାତୀୟସ୍ତରର ନେତା ସମ୍ବିତ ପାତ୍ରଙ୍କ ସଂସଦୀୟ କ୍ଷେତ୍ର ଥିଲା । ଏହି ଦୃଷ୍ଟିରୁ ବିଜେପି ୨୦୨୨ ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ଆଶା ରଖିଥିଲା । ଏପରିକି ଜିଲ୍ଲା ବିଜେପି ସଭାପତି ରଶ୍ମୀ ରଂଜନ ମହାପାତ୍ର ଜିଲ୍ଳାରେ ପରବର୍ତୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜେପିରୁ ହେବ ବୋଲି ଦୃଢ଼ୋକ୍ତି ଦେଇଥିଲେ । ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରାୟ ୧ ମାସ ପ୍ରଚାର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଜିଲ୍ଳାର ବିଭିନ୍ନ ଜୋନରେ ପ୍ରଚାର କରିଥିଲେ । ଅପରପକ୍ଷରେ, ଚିଲିକାରେ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେ୍ଦବଙ୍କ ବାଲୁଗାଁ ବିଜେପି ମଣ୍ଡଳସଭାପତିଙ୍କୁ ମାଡ଼ ଓ ପରବର୍ତୀ ଗିରଫଦାରୀ ଆଦି ଘଟଣା, ନିର୍ବାଚନ ପୂର୍ବରୁ ବିଜେଡିର ପୂର୍ବ ବିଧାୟକ ରଘୁନାଥ ସାହୁଙ୍କ ବିଜେପିରେ ଯୋଗଦେବା ସମ୍ଭାବନା ଓ ଭିତିରିଆ ସମର୍ଥନ ଆଦି ପରେ ମଧ୍ୟ ଚିଲିକା ବିଧାନସଭା ନିର୍ବାଚନମଣ୍ଡରେ ୨୦୧୭ର ସ୍ଥିତିକୁ ବିଜେପି ରଖିପାରିନାହିଁ । ୨୦୧୭ରେ ଏହି ବିଧାନସଭା ମଣ୍ଡଳର ୬ଟି ଜୋନ୍ରୁ ୫ଟି ଜିତିଥିଲା, ବର୍ତମାନ ଏହା ୨କୁ ଖସି ଆସିଛି । ବିଜେପିର ଯୁବନେତା ପୃଥିବୀରାଜ ହରିଚନ୍ଦନ, ବେଗୁନିଆରେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଶଭ ନନ୍ଦଙ୍କ ପ୍ରଚାର ରଣନୀତି କୌଣସି ପ୍ରକାରେ ପଡ଼ିନଥିବା ଦେଖିବାକୁ ମିଳିଛି ।

ଅପରପକ୍ଷରେ, କଂଗ୍ରେସର ଟାଣୁଆ ନେତା ସୁରେଶ କୁମାର ରାଉତରାୟ ଜିଲ୍ଲାର ସଭାପତି ଓ ଜଟଣୀ ବିଧାୟକ ଭାବେ ୨୦୧୯ରେ ଜିତିବା ପରେ ଜିଲ୍ଲାରେ କଂଗ୍ରେସ ସଂଗଠନକୁ ଟାଣ କରିବାକୁ ଚେଷ୍ଟା କରି ବିଫଳ ହୋଇଥିବା ସ୍ପଷ୍ଟ ହୋଇଛି । ଏପରିକି ବେଗୁନିଆ ବ୍ଲକର ଦୁଇଟି ଜୋନ୍ ଓ ଜଟଣୀର ଦୁଇଟି ଜୋନ୍ ବ୍ୟତୀତ ଅନ୍ୟ କୌଣସି ଜୋନରେ କଂଗ୍ରେସ ପ୍ରାର୍ଥୀ ସର୍ବନିମ୍ନ ଭୋଟ ହାସଲ କରିବାରେ ମଧ୍ୟ ସକ୍ଷମ ହୋଇପାରିନାହାନ୍ତି ।

ସମ୍ବନ୍ଧିତ ଖବର