କଂଗ୍ରେସ ପକ୍ଷରୁ ଆମ୍ବେଦକର ପ୍ରତିମୂର୍ତ୍ତି ତଳେ ମୌନ ସତ୍ୟାଗ୍ରହ ପାଳନ

ବାରିପଦା : ଅଖିଳ ଭାରତ କଂଗ୍ରେସ କମିଟି ଓ ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ମୌନ ସତ୍ୟାଗ୍ରହ ପାଳନ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସଙ୍କ ନେତୃତ୍ୱରେ ପୂର୍ବତନ ବାରିପଦା ପୌରପରିଷଦର ୱାର୍ଡ଼ ନମ୍ବର ୧୫ ପୂର୍ଣ୍ଣଚନ୍ଦ୍ରପୁରସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ ଆଜି ମଧ୍ୟାହ୍ନ ୧୨ରୁ ଗୋଟାଏ ପର୍ଯ୍ୟନ୍ତ ଏକ ଘଣ୍ଟା ମୌନ ସତ୍ୟାଗ୍ରହ ପାଳନ କରାଯାଇଛି । ପ୍ରାରମ୍ଭରେ ଜିଲ୍ଲା ସଭାପତି ହେନ୍ତ ଦାସ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଏହି ସତ୍ୟାଗ୍ରହ ଆରମ୍ଭ ହୋଇଥିଲା ।

ସୂଚନା ଯୋଗ୍ୟ ଯେ, ଉତ୍ତରପ୍ରଦେଶର ହାଥରସରେ ଗତ ସେପ୍ଟେମ୍ବର ୧୪ରେ ୪ ଜଣ ଉଚ୍ଚ ସମ୍ପ୍ରଦାୟର ଯୁବକ ଜଣେ ଦଳିତ ସମ୍ପ୍ରଦାୟର ୧୯ ବର୍ଷିୟା ଯୁବତୀକୁ ଗଣଦୁଷ୍କର୍ମ କରିଥିଲେ । ଫଳରେ ଯୁବତୀ ଜଣକ ଗୁରୁତର ଭାବେ ଆହତ ହୋଇ ପଡ଼ିଥିଲେ ମଧ୍ୟ ଚିକିତ୍ସା ଅବହେଳାରୁ ତାର ମୃତ୍ୟୁ ହୋଇଥିଲା । ପୁଲିସ ଯୁବତୀର ଶବକୁ ପରିବାରର ସଦସ୍ୟଙ୍କୁ ହସ୍ତାନ୍ତର ନ କରି ତରବରିଆ ଭାବେ ଅଗଣତାନ୍ତ୍ରିକ ଭାବେ ମଙ୍ଗଳବାର ରାତି ପ୍ରାୟ ଅଢ଼େଇଟା ସମୟରେ କିରୋସିନି ଢ଼ାଳି ଦାହ କରିଦେଇଥିଲେ । ଏହାର ପ୍ରତିବାଦରେ ଓ ପିଡ଼ିତାଙ୍କୁ ନ୍ୟାୟ ପ୍ରଦାନ ସହ ତାଙ୍କ ପରିବାରକୁ ସମବେଦନା ଜଣାଇବା ନିମନ୍ତେ ଜାତୀୟ କଂଗ୍ରେସର ପ୍ରାକ୍ତନ ସଭାପତି ଓ ପ୍ରିୟଙ୍କା ଗାନ୍ଧି କଂଗ୍ରେସ ସମର୍ଥକମାନଙ୍କ ଗହଣରେ ଯାଉଥିବା ସମୟରେ ଉତ୍ତରପ୍ରଦେଶ ପୁଲିସ ରାହୁଳ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ରାସ୍ତାରେ ଅଟକାଇବା, ରାହୁଳଙ୍କୁ ଧକ୍କା ମାରିବା ସହ କଂଗ୍ରେସ କର୍ମୀମାନଙ୍କ ଉପରେ ଲାଠି ଚାଳନା କରିଥିଲେ । ଉତ୍ତରପ୍ରଦେଶ ପୁଲିସର ଏହି ପ୍ରକାରର ଅମାନୁଷିକ କାର୍ଯ୍ୟକଳାପର ପ୍ରତିବାଦରେ ଏବଂ ରାଜ୍ୟରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ପରିଚାଳିତ ବିଜେପି ଶାସନରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ମହିଳାମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବାରୁ ଯୋଗୀ ସରକାରଙ୍କ ଇସ୍ତଫା ଦାବି କରାଯାଇଛି। ଏଥି ସହିତ ଗଣଦୁଷ୍କର୍ମରେ ମୃତ ଯୁବତୀକୁ ନ୍ୟାୟ ପ୍ରଦାନ ନିମନ୍ତେ ସୁପ୍ରିମ କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନିରପେକ୍ଷ ତଦନ୍ତ ଦାବିରେ କଂଗ୍ରେସ ପକ୍ଷରୁ ଏହି ମୌନ ସତ୍ୟାଗ୍ରହ ପାଳନ କରାଯାଇଥିଲା ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ସୁଶୀଳା ତିରିଆ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସସ୍ମୀତା ଘୋଷାଲ, ପୂର୍ବତନ ଉପନଗରପାଳ ପ୍ରଦୀପ ମିଶ୍ର, ପ୍ରଦେଶ କଂଗ୍ରେସର ପୂର୍ବତନ ସମ୍ପାଦକ ଯୁଗେଶ କୁମାର ଅଗ୍ରୱାଲା, ଉପସଭାପତି ଅରବିନ୍ଦ ଦାସ, ନଗର ସଭାପତି ବିଜୟ ସିଇ, କୋଭିଡ଼-୧୯ ଜିଲ୍ଲା ସଂଯୋଜକ ଶାନ୍ତନୁ ପାଲ, ମାଇନରିଟି ସେଲ ଅଧ୍ୟକ୍ଷ ସେଖ ମୁସ୍ତାଫ, ପ୍ରଦୀପ ଦାସ, ମୀନକେତନ ବେହେରା, ଦୀପକ ଦାଶ, ନିର୍ମଳ ପ୍ରଧାନ, ତୁଷାର ବେହେରା, ଦେବାଶିଷ ଅଧିକାରୀ, ବିକାଶ ସାମଲ, ଚନ୍ଦୁ ସେଠୀ, ରଶ୍ମୀତା ମିଶ୍ର, ଇନ୍ଦୁମତୀ ମହାନ୍ତି, ଈତିଶ୍ରୀ ମିଶ୍ର, ବିକ୍ରମ ବର୍ମା ପ୍ରମୁଖ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର