ଜଗତସିଂହପୁର: ଏକଦା କଂଗ୍ରେସର ଗଡ଼ ଥିଲା ଜଗତସିଂହପୁର ଅଞ୍ଚଳ। ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ବି ଜଗତସିଂହପୁର ଜିଲ୍ଲାରେ ବିଜେଡି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେଉଥିଲା। କିନ୍ତୁ ୨୦୨୪ ନିର୍ବାଚନ ଜଗତସିଂହପୁର ଜିଲ୍ଲାରେ କଂଗ୍ରେସକୁ ସଂପୂର୍ଣ୍ଣ ପଛକୁ ଠେଲି ଦେଇଛି। ସ୍ଥିତି ‌ଏମିତି ହୋଇଛି ଯେ କେବଳ ତିର୍ତ୍ତୋଲ, ବାଲିକୁଦା-ଏରସମାକୁ ବାଦ୍ ଦେଲେ ଆଉ ସବୁ ଆସନରେ କଂଗ୍ରେସ ଅମାନତ ହରାଇଛି। ଜଗତସିଂହପୁର ଲୋକସଭା ଆସନ, ଜଗତସିଂହପୁର ବିଧାନସଭା ଓ ପାରାଦୀପ ବିଧାନସଭା ଆସନରେ ବି କଂଗ୍ରେସ ପ୍ରାର୍ଥୀ ପ୍ରଥମଥର ଅମାନତ ହରାଇବା ଘଟଣା ଦଳର ଶୋଚନୀୟ ସ୍ଥିତିର ପ୍ରମାଣ ଦେଉଛି। ଦୁର୍ବଳ ସଂଗଠନ, ନେତା ଓ କର୍ମୀ ଦଳ ଛାଡ଼ିବା ଏବଂ ନିର୍ବାଚନ ସମୟରେ ପ୍ରଚାର କରା ନଯିବା ଭଳି କାରଣ ଯୋଗୁଁ ଦଳ ଜିଲ୍ଲାର ସବୁ ଆସନରେ ତୃତୀୟ ସ୍ଥାନରେ ରହିଲା ଏବଂ ୩ଟିରେ ଅମାନତ ହରାଇଲା ବୋଲି କୁହାଯାଉଛି।

Advertisment

୨୦୨୪ ନିର୍ବାଚନରେ ଜଗତସିଂହପୁର ଲୋକସଭା ଆସନରେ ବିଜେପି ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ ୫୮୯୦୯୩ ଭୋଟ୍‌ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡିର ରାଜଶ୍ରୀ ମଲ୍ଲିକ ୫୪୮୩୯୭, କଂଗ୍ରେସ ପ୍ରାର୍ଥୀ ରବୀନ୍ଦ୍ର କୁମାର ସେଠୀ ୧୨୩୫୭୦ ଭୋଟ୍ ପାଇଛନ୍ତି। ମୋଟ୍ ୧୧ ପ୍ରାର୍ଥୀ ଓ ନୋଟାକୁ ମିଶାଇଲେ ମୋଟ୍ ଭୋଟ ସଂଖ୍ୟା ୧୨୮୬୨୮୭। ଏହାର ୧୦ ପ୍ରତିଶତ ଭୋଟ୍‌ ହେଉଛି ୧୨୮୬୨୮। କିନ୍ତୁ କଂଗ୍ରେସ ସାଂସଦ ପ୍ରାର୍ଥୀ ରବୀନ୍ଦ୍ର କୁମାର ସେଠୀ ୧୨୩୫୭୦ ଭୋଟ୍ ପାଇଛନ୍ତି। ଯାହା ୧୦ ପ୍ରତିଶତରୁ କମ୍।
ସେହିପରି ଜଗତସିଂହପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପ୍ରତିମା ମଲ୍ଲିକଙ୍କୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ନିର୍ବାଚନରେ ବିଜେପି ବିଧାୟକ ଅମରେନ୍ଦ୍ର ଦାସ ୯୨୫୫୫ ଭୋଟ୍ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି ୭୦୪୧୭, କଂଗ୍ରେସ ପ୍ରାର୍ଥୀ ପ୍ରତିମା ମଲ୍ଲିକଙ୍କୁ ୫୯୩୨ ଭୋଟ୍ ମିଳିଛି। ମୋଟ ୯ ପ୍ରାର୍ଥୀ ଓ ନୋଟାକୁ ମିଶାଇ ୧୭୦୩୩୪ ମତଦାନ ହୋଇଛି। ଏହାର ୧୦ ପ୍ରତିଶତ ଭୋଟ୍ ହେଉଛି ୧୭ ହଜାରୁ ସାମାନ୍ୟ ଅଧିକ। କଂଗ୍ରେସ ମଲ୍ଲିକ ପ୍ରତିମା ମଲ୍ଲିକ ପ୍ରାୟ ତିନି ଗୁଣା କମ୍ ଭୋଟ ପାଇଛନ୍ତି। ତେଣୁ ଏହି ଆସନରେ ମଧ୍ୟ କଂଗ୍ରେସ ଅମାନତ ହରାଇଛି। ସେହିଭଳି ପାରାଦୀପ ବିଧାନସଭା ଆସନରେ ମୋଟ ୧ ଲକ୍ଷ ୬୩ ହଜାର ୯୫୧ ଜଣ ମତଦାନ କରିଥିବା ବେଳେ ସେଥିରୁ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ନାୟକ ପାଇଛନ୍ତି ମାତ୍ର ୭ ହଜାର ୬୧୦ ଖଣ୍ଡ ଭୋଟ। ମୋଟ ଭୋଟର ୧୦ ପ୍ରତିଶତରୁ କମ ଭୋଟ ପାଇ ନିରଞ୍ଜନ ଅମାନତ ହରାଇଛନ୍ତି। ପାରାଦୀପରେ ବିଜେପି ପ୍ରାର୍ଥୀ ସମ୍ପଦ ସ୍ବାଇଁ ୮୪ ହଜାର ୫୧୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ଗୀତାଞ୍ଜଳି ରାଉତରାୟ ୬୮ ହଜାର ୭୩୧ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ।