ଭୁବନେଶ୍ୱର: ରାଜ୍ୟରେ ଚାଷୀ ମୃତ୍ୟୁ ସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ଆଜି ରାସ୍ତାକୁ ଓହ୍ଲାଇଛି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ କମିଟି। ଯୁବ କଂଗ୍ରେସର ସଭାପତି ଲୋକନାଥ ମହାରଥୀଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ମାଷ୍ଟର କ୍ୟାଣ୍ଟିନ୍ ଛକ ଦେଇ ଶିଶୁଭବନ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ପୁଲିସ ସହିତ ଯୁବ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା। ପରେ ସେଠାରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କୁ କୁଶ ପୁତ୍ତଳିକା ଦାହ କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ବିକ୍ଷୋଭକାରୀଙ୍କ କହିବାନୁଯାୟୀ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ମରୁଡ଼ି ସାଙ୍ଗକୁ ଧନ ଫସଲ ଚକଡ଼ା ପୋକ ଆକ୍ରାନ୍ତରେ ୧୦ଲକ୍ଷ ହେକ୍ଟର ଜମିରେ ଫସଲ ସଂପୂର୍ଣ୍ଣ ନିଷ୍ଟ ହୋଇ ଯାଇଛି। ଚାଷୀ ହତାଶ ହୋଇ ଫସଲରେ ନିଅାଁ ଲଗାଇବା ସହିତ ଆତ୍ମହାତ୍ୟା କରିବାକୁ ବାଧ୍ୟ ହେଉଛି। ଏଭଳି କ୍ଷେତ୍ରରେ ସରକାର ଚାଷୀଙ୍କୁ ସମବେଦନା ଜଣାଇବା ସହିତ ଚାଷୀଙ୍କୁ ସମାଲୋଚନା କରୁଛନ୍ତି। ବିଜେଡି ସରକାରର ୧୭ବର୍ଷ ଶାସନରେ ୬ହଜାରରୁ ଅଧିକ ଚାଷୀ ଆତ୍ମହତ୍ୟା କଲେଣି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରାଜନୈତିକ କଳିରେ ଚାଷୀମାନେ ବଳି ପୁଡ଼ିଥିବା ବିକ୍ଷୋଭକାରୀ ଅଭିଯୋଗ କରିଥିଲେ। ତେଣୁ ସରକାର ବିଳମ୍ବ ନ କରି ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରିବା ସହିତ ମୃତ ଚାଷୀର ପରିବାରକୁ ୧୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରନ୍ତୁ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୩ହଜାର ଟଙ୍କା ଓ ଚାଷୀଙ୍କୁ ମାଗଣା ବିଜୁଳି ଯୋଗାଇବା ପାଇଁ ଦାବି ହୋଇଛି।
ବିକ୍ଷୋଭରେ କମଳ ଚରଣ ତାଣ୍ଡି, ସ୍ମୃତିରଂଜନ ଲେଙ୍କା, ତୁଷାରକାନ୍ତ ତପସ୍ୱୀ, ନୀଳମାଧବ ପଣ୍ଡା, ଅଭିଳାଷ ମାଣିଆ, ସେକ୍ ଅମିର ଅହମ୍ମଦ, ରଞ୍ଜିତ ପାତ୍ର, ସ୍ୱାଗତ କର, ଅଜୟ ସାହୁ, ଦେବାଶିଷ ମହାପାତ୍ର, ଜ୍ୟୋତି ପ୍ରକାଶ ଆଚାର୍ଯ୍ୟ, ବିରଞ୍ଚି ବାରିକ, ଶଶିକାନ୍ତ ଲେଙ୍କା, ସଂଜୁନା କହଁର, ତୁଳେର ନାୟକ, ମାନସ କର, କୃଷ୍ଣ ମହାନ୍ତି ଓ ସାଗର ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ।