ଭୁବନେଶ୍ବର : ଆସନ୍ତା ୮ ତାରିଖ ବୁଧବାର ୨୪ ଘଣ୍ଟିଆ ଭାରତ ବନ୍ଦକୁ ପୂର୍ଣ୍ଣ ସମର୍ଥନ ଦେବାକୁ ବିଜୁ ଜନତା ଦଳର ସମର୍ଥନ ଲୋଡ଼ିଛନ୍ତି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ। ବନ୍ଦକୁ ସମର୍ଥନ ଦେବା ପାଇଁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଗତ ୩ ଦିନ ତଳୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ଲୋକସେବା ଭବନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀସ୍ତରୀୟ କମିଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚର ୬ ଜଣିଆ ପ୍ରତିନିଧିମଣ୍ଡଳୀଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟପଟେ ଦେଶବ୍ୟାପି ଧର୍ମଘଟକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ ଦେବ ବୋଲି ଘୋଷଣା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

Advertisment

ମନ୍ତ୍ରୀସ୍ତରୀୟ କମିଟି ସହ ଆଲୋଚନା ପରେ ଏଆଇଟିୟୁସି ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ସୌରୀବନ୍ଧୁ କର କହିଥିଲେ, ୮ ତାରିଖ ସକାଳ ୬ଟାରୁ ୯ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଓଡ଼ିଶାରେ ସବୁ ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରହିବ। ଗାଡ଼ି ଚଳାଚଳ ବନ୍ଦ ଯୋଗୁଁ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ, କଲେଜ ଯିବା ପାଇଁ ଅସୁବିଧା ହେବ। ଏଥିପାଇଁ ସେହିଦିନଟିକୁ ଛୁଟି ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନେ ଅନୁରୋଧ କରିଛନ୍ତି। ଏଥିପାଇଁ ଅର୍ଥ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ସମେତ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସଦସ୍ୟ ଥିବା ମନ୍ତ୍ରୀସ୍ତରୀୟ କମିଟି ସହ ଆଲୋଚନା ହୋଇଛି। ତେବେ ଏ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ଅର୍ଥମନ୍ତ୍ରୀ କହିଥିବା ଶ୍ରୀ କର କହିଥିଲେ। କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ଓ ସରକାରଙ୍କ ସହ କଥାବାର୍ତ୍ତାରେ ସହଯୋଗ କରିଥିବା ରାଜ୍ୟ କୋଠାବାଡ଼ି ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷ ସୁବାସ ସିଂହ କହିଛନ୍ତି, ବନ୍ଦ ପାଳନକୁ ବିଜେଡି ନୈତିକ ସମର୍ଥନ ଦେବା ନେଇ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ଅନୁରୋଧ କରାଯାଇଛି। ସେମାନଙ୍କ ଉଦ୍‌ବେଗକୁ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରୁଛନ୍ତି।

ସରକାରଙ୍କ ସହ ଆଲୋଚନା ପରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଜ ପ୍ରତିନିଧି ମଣ୍ଡଳୀ କଂଗ୍ରେସ ଭବନ ଯାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭେଟି ସମର୍ଥନ ଲୋଡ଼ିଥିଲେ। ଶ୍ରମିକ ସଂଗଠନ ପକ୍ଷରୁ ଡାକରା ଦିଆଯାଇଥିବା ବନ୍ଦକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ ଦେବ ବୋଲି ପିସିସି ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି, ସମ୍ପ୍ରତି ରାଜ୍ୟ ଓ ଦେଶରେ ଦେଖା ଦେଇଥିବା ଉତ୍କଟ ଆର୍ଥିକ ମାନ୍ଦାବସ୍ଥା, ବେକାରୀ, ବେରୋଜଗାରୀ, ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଆହେତୁକ ମୂଲ୍ୟବୃଦ୍ଧି ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣକୁ କଂଗ୍ରେସ ସମେତ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନେ ବିରୋଧ କରିଆସୁଛନ୍ତି। କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଏନ୍‌ଡିଏ ସରକାର ଶାସନକୁ ଆସିବା ଦିନଠାରୁ କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ହାତଗଣତି କେତେଜଣ ଦେଶୀୟ ଓ ଅନ୍ତର୍ଜାତୀୟ ପୁଞ୍ଜିପତିମାନଙ୍କ ହାତକୁ ଟେକିଦେବାକୁ ଉଦ୍ୟମ କରିଛନ୍ତି। ଏଥିପାଇଁ ସମସ୍ତ ପ୍ରକାର ସୁବିଧା ସେମାନଙ୍କୁ ଯୋଗାଇଦେବା ପାଇଁ ପୁଞ୍ଜିପତିମାନଙ୍କ ସ୍ବାର୍ଥରେ ଶ୍ରମ ଆଇନ୍ କୋର୍ଡ଼ିଫିକେସନ୍‌ କରୁଛନ୍ତି। ୪୪ଟି ଶ୍ରମ ଆଇନକୁ ୪ ଗୋଟି କୋର୍ଡ଼ରେ ବଦଳାଇ ଶ୍ରମିକମାନଙ୍କର ଟ୍ରେଡ୍‌ ୟୁନିୟନ୍‌, ଧର୍ମଘଟ ଓ ଆପୋସ ଆଲୋଚନା କରିବାର ଅଧିକାରକୁ ଛଡ଼ାଇ ନେବା ପାଇଁ ଚକ୍ରାନ୍ତ କରିଛନ୍ତି। ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ। ଦେଶ ଭିତରେ ସବୁଆଡ଼େ ଭୟ ଓ ଅବିଶ୍ବାସର ବାତାବରଣରେ ଜନଜୀବନ ଅସ୍ୟବ୍ୟସ୍ତ ହୋଇପଡ଼ିଛି। ଲୋକଙ୍କର ସ୍ବାଧୀନ ମତ ବ୍ୟକ୍ତ କରିବାର ଅଧିକାର ଦିନକୁ ଦିନ କ୍ଷୁଣ୍ଣ ହେବାରେ ଲାଗିଛି। ଆସନ୍ତା ୮ ତାରିଖ ବନ୍ଦ ପାଳନରେ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଓ ନେତୃମଣ୍ଡଳୀ ଅଂଶଗ୍ରହଣ କରିବେ ବୋଲି ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି।

କେନ୍ଦ୍ରୀୟ ଶ୍ରମିକ ସଂଗଠନର ପ୍ରତିନିଧିମଣ୍ଡଳୀ ସଦସ୍ୟଙ୍କ ଭିତରେ ଆଇଏନ୍‌ଟିୟୁସିର ଓଡ଼ିଶା ଶାଖା ଉପସଭାପତି ମଦନ ଧଳ, ସିଆଇଟିୟୁ ରାଜ୍ୟ ଶାଖା ସଭାପତି ଜନାର୍ଦ୍ଦନ ପତି, ଏଆଇସିସିଟିୟୁ ରାଜ୍ୟ ସମ୍ପାଦକ ମହେନ୍ଦ୍ର ପରିଡ଼ା, ଏଆଇୟୁଟିୟୁସି ରାଜ୍ୟ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା, ଏଆଇଟିୟୁସି ରାଜ୍ୟ ଶାଖା ଉପ-ସାଧାରଣ ସମ୍ପାଦକ ରାମକୃଷ୍ଣ ପଣ୍ଡା ପ୍ରମୁଖ ସାମିଲ ଥିଲେ।