ଇଣ୍ଡିମେଣ୍ଟରେ ଫାଟ: ବୀରମିତ୍ରପୁରରେ ସ୍ବାଧୀନ ପ୍ରାର୍ଥୀ ରାଜେଶଙ୍କୁ କଂଗ୍ରେସର ସମର୍ଥନ

ରାଉରକେଲା/କୁଆରମୁଣ୍ଡା: ବୀରମିତ୍ରପୁର ନିର୍ବାଚନମଣ୍ଡଳୀ ପାଇଁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ନିହାର ସୁରିନ୍‌ଙ୍କ ପ୍ରାର୍ଥୀପତ୍ର ଖାରଜ ହେବାପରେ କଂଗ୍ରେସ ଦଳ ସ୍ବାଧୀନ ପ୍ରାର୍ଥୀ ରାଜେଶ କେର୍‌କେଟାଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛି। ରାଜେଶ ହେଉଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ରେମିସ୍ କେରକେଟାଙ୍କ ପୁଅ। ରାଜେଶଙ୍କୁ କଂଗ୍ରେସ ଓ ଜେଏମ୍‌ଏମ୍‌ର ସହଯୋଗୀ ପ୍ରାର୍ଥୀ ଭାବେ ସମର୍ଥନ ଦେବାକୁ ପ୍ରଦେଶ କଂଗ୍ରେସ କମିଟି ମଞ୍ଜୁରି ଦେଇଥିବା ପିସିସି ସଭାପତି ଶରତ ପଟ୍ଟନାୟକ ଏକ ପ୍ରେସ୍‌ ବିବୃତିରେ ସୂଚନା ଦେଇଛନ୍ତି।

ଅପରପକ୍ଷରେ ଓଡ଼ିଶା ପ୍ରଦେଶ କଂଗ୍ରେସର ଏହି ଏକତରଫା ନିଷ୍ପତ୍ତିକୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସୁନ୍ଦରଗଡ଼ ଶାଖା ବିରୋଧ କରିଛି। ବୀରମିତ୍ରପୁର ନିର୍ବାଚନମଣ୍ଡଳୀର କୁଆରମୁଣ୍ଡା ବେଲଢ଼ିପାସ୍ଥିତ ଜେଏମ୍‌ଏମ୍‌ କାର୍ଯ୍ୟାଳୟରେ ଦଳର ଜିଲ୍ଲା ସଭାପତି ପାତ୍ରାସ ଏକ୍କାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଝାଡ଼ଖଣ୍ଡ ପାର୍ଟିରୁ ବିଧାନସଭା ପ୍ରାର୍ଥୀ ହୋଇଥିବା ରେମିସ୍ ଯୋଯୋଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ଗୃହୀତ ହୋଇଛି। ଦଳ ତରଫରୁ ବୀରମିତ୍ରପୁର ଜେଏମ୍‌ଏମ୍‌ ସଭାପତି ପଟେଲ ବାର୍ଲା ଏହି ପ୍ରସ୍ତାବ ଦେଇଥିବା ବେଳେ ଉପସ୍ଥିତ ଥିବା ସହଯୋଗୀ କେକେଡିର ହୃଦାନନ୍ଦ ବେହରୋ, ନିର୍ମଳ ମୁଣ୍ଡା ଖୁଟକାଟି ସୋସାଇଟିର ଜେରମ୍ କେର୍କେଟା, ଝାଡ଼ଖଣ୍ଡ ପାର୍ଟିର ସଭାପତି ଲକ୍ଷ୍ମୀଧର ସା’, ଜେଏମ୍‌ଏମ୍‌ ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଲୁସି ସୁରିନ, ଏମ୍‌ଡି ସମୀର, ବିଶ୍ରାମ କାଣ୍ଡୁଲାନା, ସଂଜୟ କଏଥା ଓ ଅନ୍ୟ କର୍ମୀମାନେ ଉପସ୍ଥିତ ଥିଲେ ବୋଲି ସଭାପତି ଶ୍ରୀ ଏକ୍କା ଏକ ପ୍ରେସ୍‌ ବିବୃତିରେ ସୂଚନା ଦେଇଛନ୍ତି।

ଅପରପକ୍ଷରେ ପିସିସିର ନିଷ୍ପତ୍ତିକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ସ୍ଥାନୀୟ କଂଗ୍ରେସ୍ ନେତୃବୃନ୍ଦ। ବୁଧବାର କୁଆରମୁଣ୍ଡା ଲୋକନାଥ ମନ୍ଦିରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ପର୍ଯ୍ୟବେକ୍ଷକ ଅଭିଷେକ ତ୍ରିପାଠୀ କହିଛନ୍ତି, ପୂର୍ବରୁ କଂଗ୍ରେସ ଛାଡ଼ିଥିବା ସ୍ବାଧୀନ ପ୍ରାର୍ଥୀ ରଜେଶଙ୍କୁ ପୁନର୍ବାର ଦଳକୁ ଫେରାଇ ଅଣାଯାଇଛି। କାର୍ଯ୍ୟକ୍ରମରେ କଂଗ୍ରେସ ଜିଲ୍ଲା ସଭାପତି ଆଲବର୍ଟ କିଣ୍ଡୋ, ବୀରମିତ୍ରପୁର ନିର୍ବାଚନମଣ୍ଡଳୀ ଉପଦେଷ୍ଟା ମହମ୍ମଦ କମାଲ ଖାନ, ନିର୍ବାଚନମଣ୍ଡଳୀ ସଂଯୋଜକ ବିକ୍ରମ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ନିର୍ବାଚନରେ ଇଣ୍ଡି ମେଣ୍ଟ ପକ୍ଷରୁ ରାଜେଶଙ୍କୁ ପୂର୍ଣ୍ଣ ସମର୍ଥନ କରିବାକୁ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ବାନ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ଇଣ୍ଡିମେଣ୍ଟର ଅନ୍ୟତମ ସହଯୋଗୀ ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)କୁ କଂଗ୍ରେସ୍ ଦଳ ବୀରମିତ୍ରପୁର ଆସନ ଛାଡ଼ିଥିଲା। ଜେଏମ୍‌ଏମ୍‌ ଶ୍ରୀ ସୁରିନ୍‌ଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ଆବଶ୍ୟକ ସଂଖ୍ୟକ ପ୍ରସ୍ତାବକ ନଥିବାରୁ ଶ୍ରୀ ସୁରିନ୍‌ଙ୍କ ପ୍ରାର୍ଥିପତ୍ର ନାକଚ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର