ଭୁବନେଶ୍ବର: ଦୀର୍ଘଦିନ ହେବ ବିଭିନ୍ନ ଦାବି ପୂରଣ ପାଇଁ ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ସରପଞ୍ଚ ଓ ସମିତି ସଭ୍ୟ। କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଆଜି ଆନ୍ଦୋଳନରତ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଧାରଣା ସ୍ଥଳରେ ଭେଟିଥିଲେ। ଏହି ଅବସରରେ ସରପଞ୍ଚ ଓ ସମିତିସଭ୍ୟ ପ୍ରତିନିଧି ଅଭିଯୋଗ କରିଥିଲେ ଯେ ରାଜ୍ୟ ସରକାର ଉଭୟଙ୍କ କ୍ଷମତାକୁ ବ୍ୟାପକ ଭାବେ ହ୍ରାସ କରିଛନ୍ତି। ଉପଯୁକ୍ତ ଦରମା ଓ ଅନ୍ୟାନ୍ୟ ସୁବିଧା ତ ମିଳିବା ଦୂରର କଥା ବ୍ଲକରେ ଥିବା ବିଡିଓ ଓ ସରକାରୀ ବ୍ୟବସ୍ଥା ସେମାନଙ୍କ ଅଧିକାର ଓ କ୍ଷମତାରେ ବାଧା ସୃଷ୍ଟି କରୁଛନ୍ତି। ଅନ୍ୟପକ୍ଷରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାକୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି। ବିଜେଡି ସରକାରର ସମ୍ବିଧାନ କିମ୍ବା ବିଧାନସଭା କି ପଞ୍ଚାୟତ ପ୍ରତି ସମ୍ମାନ ନାହିଁ। ସରକାର ଭାବୁଛନ୍ତି, କିଛି ସରକାରୀ ଅଫିସରଙ୍କୁ ନେଇ ସରକାର ଚଳାଇ ଦେବେ। ଏହି ସରକାରଙ୍କ ସମସ୍ତ ନୀତି ସମ୍ବିଧାନ ବିରୋଧୀ।
ସେ ଆହୁରି ମଧ୍ୟ କହିଥିଲେ ଯେ କଂଗ୍ରେସ ଶାସନ ସମୟରେ ୭୩ତମ ସମ୍ବିଧାନ ସଂଶୋଧନ କରାଯାଇ ଦେଶବ୍ୟାପୀ ପଞ୍ଚାୟତ ଅନୁଷ୍ଠାନମାନଙ୍କୁ ସ୍ୱୟଂଶାସିତ ଅନୁଷ୍ଠାନ ରୂପେ କାର୍ଯ୍ୟ କରିବା ପାଇଁ ଯଥେଷ୍ଟ କ୍ଷମତା ଓ ଦାୟିତ୍ୱ ଦିଆଯାଇଥିଲା। ଅର୍ଥ ବା ପାଣ୍ଠି , କାର୍ଯ୍ୟ ବା ଫଙ୍କସନ୍ ଓ କାର୍ଯ୍ୟକର୍ତା ବା ଫଙ୍କସନାରିଜ୍ ମାଧ୍ୟମରେ କ୍ଷମତାକୁ ବିକେନ୍ଦ୍ରୀକରଣ କରାଯାଇଥିଲା। ହେଲେ ଦୀର୍ଘ ଦିନର ବିଜେଡି ସରକାରରେ କ୍ଷମତା ବିକେନ୍ଦ୍ରୀକରଣ ବଦଳରେ କ୍ଷମତା କେନ୍ଦ୍ରୀଭୂତ କିଛି ଅଧିକାରୀଙ୍କ ହାତରେ କେନ୍ଦ୍ରୀଭୂତ କରିବାରେ ଲାଗିଛନ୍ତି। ସରକାରୀ ଅଫିସର କେବଳ ଯେ ସରକାରଙ୍କୁ ନିୟନ୍ତ୍ରିତ କରୁଛନ୍ତି ତାହା ନୁହେଁ ସେମାନେ ରାଜନୈତିକ ଦଳକୁ ମଧ୍ୟ ନିୟନ୍ତ୍ରଣ କଲେଣି। ଏହା ଗଣତନ୍ତ୍ର ପାଇଁ ଘୋର ବିପଦ। ଏହି ବ୍ୟବସ୍ଥାକୁ ପରିବର୍ତ୍ତନ କରିବାକୁ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଉଲ୍ଲେଖ ଯେ ୧୫ ଦଫା ଦାବି ନେଇ ଗତମାସ ୧୫ ତାରିଖରେ ରାଜ୍ୟ ସରପଞ୍ଚ ମହାସଂଘ ପକ୍ଷରୁ ଲୋୟର ପିଏମ୍ଜିରେ ଧାରଣା ଦିଆଯାଇଛି।