ଭୁବନେଶ୍ୱର: ଛାତ୍ର କଂଗ୍ରେସ କର୍ମୀଙ୍କୁ ପୁଲିସର ବର୍ବରୋଚିତ ଆକ୍ରମଣ ଘଟଣାର ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ପୁଲିସ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଭୁବନେଶ୍ବର ଡିସିପି କାର୍ଯ୍ୟାଳୟ ମଧ୍ୟ ଘେରାଉ କରାଯାଇଥିଲା। ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାସଙ୍କ ନେତୃତ୍ବ‌‌‌ରେ ଶହଶହ କଂଗ୍ରେସ କର୍ମୀ ଡିସିପି ଅଫିସ୍‌ ଆଗରେ ଏକତ୍ରିତ ହୋଇ ହୋହଲ୍ଲା କରିବା ସହ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ପୁଲିସ୍‌ ସେମାନଙ୍କୁ ବାଧା ଦେବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ କଂଗ୍ରେସ କର୍ମୀମାନେ ଡିସିପି ଅଫିସ୍‌ ଆଗରେ ଧାରଣାରେ ବସିଥିଲେ।

Advertisment

ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏଥିରେ ଯୋଗଦେଇ କହିଥିଲେ ଯେ ମମିତା ମେହେର ହତ୍ୟା ଘଟଣାରେ ଛାତ୍ର କଂଗ୍ରେସ କର୍ମୀମାନେ ଗତ ୧୦ ତାରିଖ ଦିନ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ପୁଲିସ ସେମାନଙ୍କୁ ଆକ୍ରମଣ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ପରବର୍ତ୍ତୀ ସମୟରେ ପୁଲିସର ଏହି ଦମନଲୀଳା ସଂପର୍କରେ ଡିସିପି ଅବଗତ ନଥିବା ମନ୍ତବ୍ୟ ଦେବା ଲଜ୍ଜାଜନକ ବିଷୟ। ବିକ୍ଷୋଭରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ ସୁରେଶ ରାଉତରାୟ, ଉପସଭାପତି ଶିବାନନ୍ଦ ରାୟ, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ୍‌, ସାଧାରଣ ସମ୍ପାଦକ କିଶୋର ଜେନା, ମନୋରଞ୍ଜନ ଦାଶ, ମନୋଜ ବିଶ୍ୱାଳ, ରଶ୍ମି ମହାପାତ୍ର, ନିହାର ରଞ୍ଜନ ବେହେରା, ପ୍ରଭାବତୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଶାସକ ବିଜେଡି ଓ ପୁଲିସ ପ୍ରଶାସନ ବିରୋଧରେ ବିଷୋଦ୍‌ଗାର କରିଥିଲେ। ପରେ ଜିଲ୍ଲା କଂଗ୍ରେସର ୧୧ ଜଣିଆ ଏକ ପ୍ରତିନିଧିଦଳ ଡିସିପି ଉମାଶଙ୍କରଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୪ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ମମିତା ମେହେର ହତ୍ୟାକାଣ୍ଡର ଏସ୍‌.ଆଇ.ଟି. ତଦନ୍ତ, ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀପଦରୁ ବହିଷ୍କାର ଓ ଗିରଫ, କଂଗ୍ରେସ ଭବନରେ ପୁଲିସ୍‌ର ଅନୈତିକ ପ୍ରବେଶ, ଭଙ୍ଗାରୁଜା ଓ ଛାତ୍ର କଂଗ୍ରେସ କର୍ମୀଙ୍କୁ ନିର୍ମମ ଆକ୍ରମଣର ବିଚାର ବିଭାଗୀୟ ତଦନ୍ତ ଓ ଆନ୍ଦୋଳନ ସମୟରେ କାର୍ଯ୍ୟରତ ପୁଲିସ୍ ଅଫିସରମାନଙ୍କର ଇଚ୍ଛାକୃତ ଅବହେଳା ପାଇଁ ସେମାନଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି। ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ସୁବ୍ରତ ମହାପାତ୍ର ଓ ବ୍ଲକ୍ ସଭାପତି ଅଶୋକ ଦାସଙ୍କ ଆଜିର ଏହି ବିକ୍ଷୋଭର ନେତୃତ୍ବ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିସିସି ସାଧାରଣ ସମ୍ପାଦକ ରଜତ ଚୌଧୁରୀ, ଭୁବନେଶ୍ୱର ମହିଳା କଂଗ୍ରେସ ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତି, ଦେବରାଜ ମିଶ୍ର, ଇନ୍ଦ୍ରଜିତ ପରିଡ଼ା, ଶ୍ରୀଧର ବଳିଆରସିଂହ, ନଳିନୀ ନାୟକ, ବିଶ୍ୱଭୂଷଣ ମହାପାତ୍ର, ସୁଶାନ୍ତ ମହାରଣା, ଅର୍ମାନ ଜେନା, ଅଜିତ୍ ବାରିକ, ଦେବାଶିଷ ଦାସଙ୍କ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ଥିଲେ।