ଭୁବନେଶ୍ୱର : ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କ ପଛରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ କାର୍ଯ୍ୟାଳୟର କିଛି ବାବୁମାନଙ୍କ ଆଶୀର୍ବାଦ ରହିଛି। ସେମାନେ ହିଁ ଶ୍ରୀ ପାଠକଙ୍କ ଜନ୍ମଦାତା। ଆଜି କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଏମିତି ଅଭିଯୋଗ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପ଼ଞ୍ଚାନନ କାନୁନଗୋ। ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରି ଶ୍ରୀ କାନୁନଗୋ କହିଥିଲେ, ପ୍ରଦୀପ ପାଣିଗ୍ରାହୀ ବ୍ରହ୍ମପୁର ମଦମୃତ୍ୟୁ ଘଟଣାରେ ଥିବା ସନ୍ଦେହ କରି ତାଙ୍କୁ ଦଳ ତରଫରୁ କୈଫିୟତ ମଗାଯାଇଥିଲା କି ନାହିଁ? ତାଙ୍କ ସଂପର୍କରେ ଆସିଥିବା ଗୁଇନ୍ଦା ରିପୋର୍ଟ ସରକାର ସାର୍ବଜନୀନ କରିବେ କି? ଶ୍ରୀ ପାଣିଗ୍ରାହୀ ଏମିତି କଣ କହିଲେ ଯେ ତାଙ୍କୁ ଦଳ ସରକାର ସୁରକ୍ଷା ଦେଲେ ଓ ମୁଖ୍ୟମନ୍ତ୍ରୀଙ୍କର ବିଧାନସଭାର ପ୍ରତିନିଧି ଏବଂ ପରବର୍ତୀ ଅବସ୍ଥାରେ ଉଚ୍ଚଶିକ୍ଷା ମନ୍ତ୍ରୀ କରାଗଲା?
କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ତୃତୀୟ ମହଲାର କେଉଁ ବାବୁ ରାଜନୈତିକ ବ୍ୟକ୍ତିମାନଙ୍କୁ “ଆପଣମାନେ କୁକୁର” ବୋଲି କହିଥିଲେ? ଏ ସଂକ୍ରାନ୍ତରେ ଶ୍ରୀ ପାଣିଗ୍ରାହୀ ଲେଖିଥିବା ଚିଠି ସାର୍ବଜନୀନ କରାଯାଉ। ଏହା ଓଡିଶା ରାଜ୍ୟର ସ୍ୱାଭିମାନକୁ ଆଘାତ ଦେଇଛି। ରାଜନୀତି ଗଣତନ୍ତ୍ରର ମୂଳମନ୍ତ୍ର। ସେହି ସରକାରୀ କର୍ମଚାରୀ ରାଜ୍ୟ ରାଜକୋଷରୁ ଦରମା ପାଆନ୍ତି ନା ବିଜୁ ଜନତା ଦଳ ତାଙ୍କୁ ଦରମା ଦିଏ? ଏଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି, ଓଡିଶାର କିଛି ଅଫିସରମାନେ ବିଜୁ ଜନତା ଦଳର ସଦସ୍ୟ ହୋଇ କାର୍ଯ୍ୟ କରୁଛନ୍ତି। ଶ୍ରୀ ପାଣିଗ୍ରାହୀଙ୍କ ବାବଦରେ ଯେଉଁ ଅଭିଯୋଗମାନ ଆସିଛି ଯେ ସେ ଗଞ୍ଜାମ ଜିଲ୍ଲାର ୮୦ ଜଣ ମଦ ମାଫିଆଙ୍କ ସହ ଅଛନ୍ତି ଏବଂ ତାଙ୍କ ପାଖରୁ ପ୍ରଚୁର ଅର୍ଥ ସଂଗ୍ରହ କରିଛନ୍ତି। ଏହା ସରକାର ଆଗରୁ ଜାଣିଥିଲେ ନା ନାହିଁ? କିଛିଦିନ ତଳେ ଶ୍ରୀ ପାଣିଗ୍ରାହୀଙ୍କ ଝିଅ ବାହାଘର ପାଇଁ ଉଭୟ ପାଣିଗ୍ରାହୀ ଓ ପାଠକ ପରିବାର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆର୍ଶୀବାଦ ପାଇଁ ଯାଇଥିଲେ। ସେ ସମୟରେ ମୁଖ୍ୟମନ୍ତ୍ରୀ ସେମାନଙ୍କ କଳା କାରନାମାର ସଂପୃକ୍ତି ଜାଣିଥିଲେ କି ନାହିଁ? ତାହା ରାଜ୍ୟବାସୀଙ୍କ ଆଗରେ କହିବା ଦରକାର। ସେହିଭଳି ଆକାଶ ପାଠକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ଲକ୍ଷ ଟଙ୍କାର ଚେକ୍ ଦେଲେ କେମିତି? କିଏ ତାଙ୍କ ପାଖେ ପହଞ୍ଚାଇଥିଲେ। ବୁକ୍ ସର୍କୁଲାର ଅନୁସାରେ ପ୍ରତି ବର୍ଷ ଅଧିକାରୀମାନେ ନିଜର ସଂପତ୍ତି ତାଲିକା ଦାଖଲ କରିବା କଥା। ଏହି କ୍ରମରେ ପାଠକଙ୍କର ଗତ ୫ ବର୍ଷ ଧରି ସଂପତ୍ତି ତାଲିକା ସାଧାରଣରେ ପ୍ରକାଶ କରାଯାଉ।
ପ୍ରଦେଶ କଂଗ୍ରେସର ମୁଖପାତ୍ର ସୁଦର୍ଶନ ଦାସ ସିଧାସଳଖ ପାଠକ ଏବଂ ପ୍ରଦୀପ ପାଣିଗ୍ରାହୀଙ୍କର ଏହି ଦୁର୍ନୀତିର ସଂପୃକ୍ତି ମୁଖ୍ୟମନ୍ତ୍ରୀଙ୍କ ଇସାରାରେ ଚାଲିଥିଲା ବୋଲି ଅଭିଯୋଗ କରିଥିଲେ। ସେ କହିଥିଲେ, ଶ୍ରୀ ପାଣିଗ୍ରାହୀ ଗଣମାଧ୍ୟମରେ ଯେଉଁ ବିବୃତି ରଖିଛନ୍ତି ଯେ ସେ କୋଭିଡ ୧୯ ପରିଚାଳନାର ଅବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ପରେ ବିଜୁ ଜନତା ଦଳର ଦୁଇ ନେତା ବିଧାୟକ ବବି ଦାସ ଓ ଅଚ୍ୟୁତ ସାମନ୍ତ ତାଙ୍କୁ ଘରେ ଯାଇ କାହିଁକି ଚିଠି ଲେଖୁଛ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରୁଛ ବୋଲି ପ୍ରଶ୍ନ କରିଥିଲେ। ଏଥିରୁ ସ୍ପଷ୍ଟ ଭାବରେ ବୁଝା ପଡୁଛି ଏ ରାଜ୍ୟରେ ଏକ ଗଣତାନ୍ତ୍ରିକ ସରକାର ଚାଲିନାହିଁ। ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଖୋଦ୍ ମୁଖ୍ୟମନ୍ତ୍ରୀ ମୋଡି ମକଚି ନିର୍ଦ୍ଦିଷ୍ଟ କିଛି ଅଫିସରମାନଙ୍କୁ ଧରି ଶାସନ ଚଲାଇଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ରଜନୀ ମହାନ୍ତି, ମନୋରଞ୍ଜନ ଦାଶ, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।