ବିଜେଡି ଶାସନର ୫ମ ପାଳିର ୪ବର୍ଷ ପୂର୍ତି, ଉପକୃତ ବିଜେଡି, ଉପେକ୍ଷିତ ଓଡ଼ିଶା : କଂଗ୍ରେସ

ଭୁବନେଶ୍ବର : ବିଜୁ ଜନତା ଦଳର ୫ମ ପାଳିର ୪ବର୍ଷ ଶାସନ ପୂରଣ କରିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିକୁ ଟାର୍ଗେଟ୍‌ କରିଛି ରାଜ୍ୟ କଂଗ୍ରେସ। ଦୀର୍ଘବର୍ଷର ଶାସନରେ ବିଜେଡି ଉପକୃତ ହୋଇଥିବା ବେଳେ ଓଡ଼ିଶା ଉପେକ୍ଷିତ ହୋଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି।

ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ସେଲ୍‌ର ଅଧ୍ୟକ୍ଷ ଗଣେଶ୍ବର ବେହେରା କହିଥିଲେ, ନିକଟରେ ଇଣ୍ଡିଆ ଟୁଡେ ଓ ନୀତି ଆୟୋଗ ପକ୍ଷରୁ ରାଜ୍ୟମାନଙ୍କୁ ନେଇ ରିପୋର୍ଟ ଜାରି ରହିଛି। ଇଣ୍ଡିଆ ଟୁଡେର ରିପୋର୍ଟରେ ଓଡ଼ିଶା ଉଚ୍ଚ ପ୍ରଦର୍ଶନ କରିଥିବା ୧୭ ରାଜ୍ୟ ମଧ୍ୟରେ ୧୬ ସ୍ଥାନରେ, କୃଷି କ୍ଷେତ୍ରରେ ୧୪, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୧୩, ଆଇନ ଶୃଙ୍ଖଳା କ୍ଷେତ୍ରରେ ୧୪, ଭିତ୍ତିଭୂମି ସଂରଚନା କ୍ଷେତ୍ରରେ ୧୦ ଓ ସମଭିତ୍ତିକ ବିକାଶ କ୍ଷେତ୍ରରେ ୧୬ ସ୍ଥାନରେ ରହିଛି। ନୀତି ଆୟୋଗର ରିପୋର୍ଟରେ ଇନୋଭେସନ ଇଣ୍ଡେକ୍ସରେ ଓଡ଼ିଶା ସ୍ଥାନ ୧୭ ରାଜ୍ୟ ମଧ୍ୟରୁ ୧୬ ଓ ସ୍ୱାସ୍ଥ୍ୟ ସୂଚକାଙ୍କରେ ୧୪ ସ୍ଥାନରେ ରହିଛି। ରାଜ୍ୟ ସରକାର ସମସ୍ତ ନିଅଣ୍ଟିଆ ବ୍ଲକରେ ୩୫ ପ୍ରତିଶତ ଜଳସେଚନ ସାମର୍ଥ ସୃଷ୍ଟି କରିବାର ପ୍ରତିଶ୍ରୁତି ଦେଇଥିଲେ। ତାହା ପାଳନ ହୋଇପାରିଲା ନାହିଁ। ପ୍ରତି ପଞ୍ଚାୟତରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ହୋପାରି ନ ଥିବା ବେଳେ ହଜାର ହଜାର ଡାକ୍ତର ପଦବି ଖାଲି ପଡ଼ିଛି। ମହିଳା ଅପରାଧ କ୍ଷେତ୍ରରେ ଓଡ଼ିଶା ଦେଶରେ ଦ୍ୱିତୀୟ। ଗୃହ ବିଭାଗର ଶ୍ୱେତପତ୍ର ଅନୁସାରେ ରାଜ୍ୟରେ ଦୈନିକ ୯ ଟି ଦୁଷ୍କର୍ମ ମାମଲା ରୁଜୁ ହେଉଛି। ରାଜ୍ୟର କ୍ରାଇମବ୍ରାଞ୍ଚ କ୍ରାଇମ୍ ଏକ ପ୍ରୋଟେକ୍‌ସନ ବ୍ରାଞ୍ଚରେ ପରିଣତ ହୋଇଛି। ବିଜେଡି ସରକାରଙ୍କ ୪ବର୍ଷ ପୂର୍ତି ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ଭାଷାରେ “ଅରଣ୍ୟ ଉଲ୍ଲାସ” ବ୍ୟତୀତ ଆଉ କିଛି ନୁହେଁ ବୋଲି ଶ୍ରୀ ବେହେରା କହିଥିଲେ।

ମୁଖପାତ୍ର ରଜନୀ ମହାନ୍ତି କହିଥିଲେ, ୨୪ ବର୍ଷର କ୍ରମାଗତ ନବୀନ ସରକାର ରାଜ୍ୟବାସୀଙ୍କୁ ଯେତେ ପ୍ରତିଶ୍ରୁତି ଦେଇଥିଲେ ସେଥିରୁ କୌଣସି ପ୍ରତିଶ୍ରୁତି ପାଳନ ହେଲା ଭଳି ଲାଗୁନାହିଁ। ରାଜ୍ୟର ପ୍ରାଥମିକ, ମାଧ୍ୟମିକ ଓ ହାଇସ୍କୁଲ ଶିକ୍ଷାଠାରୁ ଆରମ୍ଭ କରି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ୧ ନମ୍ବର। ହେଲେ ରାଜ୍ୟର ଶିକ୍ଷା ବ୍ୟବସ୍ଥାର ଅଧୋଗତି କାହିଁକି? ରା‌ଜ୍ୟର ପ୍ରତ୍ୟେକ ବାସହୀନଙ୍କୁ ୨୦୧୭ ମସିହା ସୁଦ୍ଧା ପକ୍କା ଘର ଯୋଗାଇ ଦେବା ପାଇଁ ନବୀନ ବାବୁ ପ୍ରତିଶ୍ରୁତି ଦେଇଥିଲେ। ବର୍ତ୍ତମାନସୁଦ୍ଧା ସମସ୍ତଙ୍କୁ ଛାତ ଘରଟିଏ ମିଳିପାରି ନାହିଁ। ୨୦୧୨ ମସିହା ପାଖରୁ ଆଜି ପର୍ଯ୍ୟନ୍ତ କୃଷକ ପରିବାରର ମାସିକ ଆୟ ୧୦ ଟଙ୍କା ବି ବୃଦ୍ଧି ହୋଇନାହିଁ। ଯଦି ୭୦ ଭାଗ ଲୋକଙ୍କ ଆୟର ଯଦି ବୃଦ୍ଧି ହେଉନାହିଁ, ତେବେ ରାଜ୍ୟ କେମିତି ପ୍ରଗତି କରିଛି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ମନୋରଂଜନ ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର