ଭୁବନେଶ୍ବର: ଅନନ୍ୟ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର ତାଲିକାରେ ଓଡ଼ିଶାର ଗୋଟିଏ ବି ପର୍ଯ୍ୟଟନ କ୍ଷେତ୍ର ସାମିଲ ନହେବା ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି ପ୍ରଦେଶ କଂଗ୍ରେଶ। ପିସିସ ମିଡିଆ ସେଲ ମୁଖ୍ୟ ସତ୍ୟ ପ୍ରକାଶ ନାୟକ ପ୍ରତିକ୍ରିୟା ରଖି କହିଛନ୍ତି କେନ୍ଦ୍ର ସରକାର ଏପରି କରି ଓଡ଼ିଶା ପ୍ରତି ଚରମ ଅବହେଳା ପ୍ରଦର୍ଶନ କରିଛନ୍ତି। କେନ୍ଦ୍ରକୁ ସିଧାସଳଖ ଟାର୍ଗେଟ କରି ଶ୍ରୀ ନାୟକ କହିଛନ୍ତି, କେନ୍ଦ୍ର ସରକାରଙ୍କ ୨୦୧୯ ପୂର୍ଣ୍ଣାଙ୍ଗ ବଜେଟରେ ୧୨ଟି ରାଜ୍ୟର ୧୭ଟି ପର୍ଯ୍ୟଟନ କ୍ଷେତ୍ର ସ୍ଥାନ ପାଇଥିବାବେଳେ ଓଡ଼ିଶାର କୌଣସି ପର୍ଯ୍ୟଟନ କ୍ଷେତ୍ର ସାମିଲ ନହେବା ଅତ୍ୟନ୍ତ ପରିତାପର ବିଷୟ। ବିଶ୍ବ ଐତିହ୍ୟ ତାଲିକାରେ ସ୍ଥାନ ପାଇଥିବା କୋଣାର୍କ ମନ୍ଦିର, ୟୁନେସ୍କୋ ଦ୍ବାରା ତାଲିକଭୁକ୍ତ ଭିତରକନିକା ଅଭୟାରଣ୍ୟ ଏବଂ ଚିଲିକା ହ୍ରଦ ପ୍ରତି କେନ୍ଦ୍ର ସରକାର ଅବିଚାର କରିଛନ୍ତି। ସେହିପରି ଲଳିତଗିରି ଓ ରତ୍ନଗିରିର ବୌଦ୍ଧ କୀର୍ତୀରାଜି ପ୍ରତି ଧ୍ୟାନ ନ ଦିଆଯିବା ଓଡ଼ିଶାର କେଉଁ ସ୍ବାର୍ଥରେ ବୋଲି ସେ ପ୍ରଶ୍ନ କରିଛନ୍ତି।
ଓଡ଼ିଶା ପ୍ରତି କେନ୍ଦ୍ର ପର୍ଯ୍ୟଟନ ବିଭାଗର ଏଭଳି ବୈମାତୃକ ମନୋଭାବକୁ କଂଗ୍ରେସ ନିନ୍ଦା କରିବା ସହ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଶ୍ରୀ ନାୟକ ଦାବି କରିଛନ୍ତି। ରାଜ୍ୟ ସ୍ବାର୍ଥ ପାଇଁ ପ୍ରସଙ୍ଗଭିତ୍ତିକ ଭାବେ କେନ୍ଦ୍ରକୁ ସମର୍ଥନ ଦେବା ନେଇ ଡିଣ୍ଡିମ ପିଟୁଥିବା ରାଜ୍ୟ ବିଜେଡି ସରକାର ଗଣମାଧ୍ୟମରେ ବିବୃତି ଦେଇ ଚୁପ ବସିଲେ ହେବନି। ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ର ପାଖରେ ଦୃଢ଼ ଦାବି ଉପସ୍ଥାପନ କରିବାକୁ ଶ୍ରୀ ନାୟକ ଆହ୍ବାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/Indian_National_Congress_svg.png)