କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପ୍ୟାକେଜ୍‌ କେବଳ ଋଣ ବିକ୍ରି ବିଜ୍ଞାପନ: ପିସିସି ସଭାପତି

ମୁଖ୍ୟମନ୍ତ୍ରୀଙ୍କୁ ସ୍ପଷ୍ଟୀକରଣ ମାଗିଲେ ପୂର୍ବତନ ଅର୍ଥମନ୍ତ୍ରୀ

ଭୁବନେଶ୍ବର : କରୋନାରେ ପ୍ରଭାବିତ ଦେଶର ଆର୍ଥିକ ସ୍ଥିତିକୁ ପୁନରୁଦ୍ଧାର କରିବା ପାଇଁ ପ୍ରଧାନମନ୍ତ୍ରୀ ଦୁଇ ଦିନ ତଳେ ଦେଶବାସୀଙ୍କ ଆଗରେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଥିଲେ। ସେହି ଆଧାରରେ କେନ୍ଦ୍ର ଅର୍ଥମନ୍ତ୍ରୀ ଯେଭଳି ସହାୟତା ଘୋଷଣା କରିଚାଲିଛନ୍ତି, ତାହା କେବଳ ଋଣ ବିକ୍ରି ବିଜ୍ଞାପନ ଛଡ଼ା ଆଉ କିଛି ନୁହଁ। ଏଥିରେ ଓଡ଼ିଶା ରାଜ୍ୟର କି ବିକାଶ ହେବ ଓ ଜନସାଧାରଣ କି ପ୍ରକାର ଉପକୃତ ହେବେ, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଘୋଷଣାକୁ ପ୍ରଶଂସା କରିଥିବାରୁ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ନାପସନ୍ଦ କରିବା ସହ ସ୍ପଷ୍ଟୀକରଣ ମାଗିଛନ୍ତି।

ଏକ ପ୍ରେସ୍‌ ବିବୃତି ଜାରି କରି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି, କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ୟାକେଜ୍‌ରେ କୃଷକ ଓ ମଧ୍ୟବିତ୍ତ ପରିବାର ପାଇଁ କୌଣସି ସୁବିଧା ନାହିଁ। ଏଥିରେ କେବଳ ମୁଷ୍ଟିମେୟ ରାଜ୍ୟ ଗୁଜୁରାଟ ଓ ମହାରାଷ୍ଟ୍ର ଭଳି ରାଜ୍ୟମାନେ ଉପକୃତ ହେବେ। ଖାଲି ବିବୃତି ଦେଲେ ନିଯୁକ୍ତି ହୋଇଯିବ ନାହିଁ କି ବେକାରୀ ସଂଖ୍ୟା କମ୍‌ ହେବନି। ଯେହେତୁ ବାହାର ରାଜ୍ୟରେ ଅଧିକ ପ୍ରବାସୀ ଓଡ଼ିଆ ଶ୍ରମିକ ଅଛନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ମାଗିବା ଦରକାର। ରାଜ୍ୟରେ ଚାଲିଥିବା କରୋନା କେନ୍ଦ୍ର ପରିଚାଳନା ଘୋର ଅବ୍ୟବସ୍ଥା ମଧ୍ୟରେ ଚାଲିଛି । ସରକାର ଏଥିରେ ସାମାଜିକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ସାମିଲ କରନ୍ତୁ। କରୋନା ସଂଗ୍ରାମରେ ସହଯୋଗ କରିବାକୁ କଂଗ୍ରେସ ଦଳ ଯେତେ ପ୍ରସ୍ତାବ ଦେଲା ରାଜ୍ୟ ସରକାର ଗ୍ରହଣ କଲେନି କି ଥରୁଟିଏ ଆଲୋଚନା ପାଇଁ ମୁଖ୍ୟ ଶାସନ ସଚିବ ସମୟ ଦେଲେ ନାହିଁ। ଏପରିକି ନିଜ ଦଳରେ ବହୁ ନେତା, ସାଂସଦ ଓ ବିଧାୟକ ଥିବାବେଳେ ସେମାନଙ୍କୁ ମଧ୍ୟ ସାମିଲ କରୁନାହାନ୍ତି । ଖାଲି କିଛି ଉଚ୍ଚପଦସ୍ଥ ଅଫିସରଙ୍କୁ ନେଇ କାର୍ଯ୍ୟ କଲେ କରୋନାକୁ ଠିକ୍ ଭାବେ ମୁକାବିଲା କରିହେବ ନାହିଁ। ନିଜ ଦଳର ନେତାଙ୍କୁ ବିଶ୍ବାସକୁ ନେବାକୁ ପିସିସି ସଭାପତି ଅନୁରୋଧ କରିଛନ୍ତି। ନଚେତ୍‌ ଭବିଷ୍ୟତରେ ପରିସ୍ଥିତି ବହୁତ ଭୟାବହ ହେବ ଶ୍ରୀ ପଟ୍ଟନାୟକ ଚେତାଇ ଦେଇଛନ୍ତି।

ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ଶ୍ରୀ କାନୁନ୍‌ଗୋ କହିଛନ୍ତି, କେନ୍ଦ୍ର ସରକାରଙ୍କ ପ୍ୟାକେଜ୍‌କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। କେନ୍ଦ୍ରର ସବୁ ଘୋଷଣାକୁ ଯେଭଳି ଭାବରେ ଓଡ଼ିଶା ସରକାର ସମର୍ଥନ ଦେଇଆସୁଛନ୍ତି ତାକୁ ନେଇ ରାଜ୍ୟବାସୀଙ୍କ ମନରେ ସଂଶୟ ସୃଷ୍ଟି ହେଉଛି। ମୁଖ୍ୟମନ୍ତ୍ରୀଙ୍କଠାରୁ ସ୍ପଷ୍ଟୀକରଣ ଆହ୍ବାନ କରି ସେ କହିଛନ୍ତି, କରୋନା ମୁକାବିଲା ପାଇଁ ବିପର୍ଯ୍ୟୟ ପାଣ୍ଠି ବାବଦରେ କେନ୍ଦ୍ର ସରକାର କେତେ ଟଙ୍କା ପ୍ରଦାନ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ କେତେ ଅର୍ଥ ରାଜ୍ୟ ପାଇଛି। ଓଡ଼ିଶାରେ ଥିବା ବିଭିନ୍ନ କର୍ପୋରେଟ୍‌ ସଂସ୍ଥା ଦେଉଥିବା ସାମାଜିକ ଦାୟିତ୍ବ ପାଣ୍ଠିରୁ ରାଜ୍ୟ ଭାଗରେ କେତେ ପଡ଼ିଛି। କୋଇଲା ଉପରେ ଆଦାୟ ହେଉଥିବା ସବୁଜ ସେସ୍‌ ଟଙ୍କାରୁ ଓଡ଼ିଶାକୁ କେତେ ମିଳିଛି। ଏହାସହିତ ଜିଏସ୍‌ଟି ବାବଦରେ ଆଜି ସୁଦ୍ଧା କେତେ ଟଙ୍କା ରାଜ୍ୟର ପାଇବାକୁ ବାକି ଅଛି। ଏସବୁ ବିଷୟରେ ଜଣାଇବାକୁ ଶ୍ରୀ କାନୁନ୍‌ଗୋ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଦଳୀୟ ନେତା ସୁଦର୍ଶନ ଦାସ କହିଛନ୍ତି, ଦେଶରେ ଦରିଦ୍ର ବର୍ଗର ୧୩ କୋଟି ଲୋକ ଅଛନ୍ତି। ସେମାନଙ୍କ ପାଖରେ କ୍ରୟ କ୍ଷମତା ଆଦୌ ନାହିଁ କହିଲେ ଚଳେ l ସେମାନଙ୍କୁ ସିଧାସଳଖ ଆର୍ଥିକ ସହାୟତା ଦେଇଥିଲେ ବଜାରରେ ଡିମାଣ୍ଡ୍‌ ସୃଷ୍ଟି ହୁଅନ୍ତା ଏବଂ ଡିମାଣ୍ଡ୍‌ ବଢ଼ିଲେ ଅର୍ଥନୀତି ଚଳଚଞ୍ଚଳ ହୋଇଥାନ୍ତା। ୮ କୋଟି ପ୍ରବାସୀ ଶ୍ରମିକଙ୍କ ପାଇଁ ୨ ମାସର ମାଗଣା ଖାଦ୍ୟ ଯଥା ମାସକୁ ୫ କେଜି ଚାଉଳ ଏବଂ ପରିବାର ପିଛା ୧ କେଜି ଡାଲି ବ୍ୟତୀତ ଆଉ କିଛି ସିଧାସଳଖ ଭାବରେ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ବ୍ୟବସ୍ଥା କରାଯାଇନି। ଏପରିକି ଘରକୁ ଫେରିବାକୁ ପ୍ରବାସୀମାନଙ୍କୁ ରେଳଭଡ଼ା ବା ଯାତାୟାତ ଖର୍ଚ୍ଚର ବ୍ୟବସ୍ଥା ମଧ୍ୟ ସରକାର କଲେ ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର