ପ୍ରବାସୀ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାରଙ୍କ ଦରଦ ନାହିଁ: କଂଗ୍ରେସ

ଭୁବନେଶ୍ୱର : ପ୍ରବାସୀ ଶ୍ରମିକମାନଙ୍କ ରେଳ ଭଡ଼ା ଖର୍ଚ୍ଚ ପାଇଁ ଜାତୀୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପ୍ରସ୍ତାବ କ୍ରମେ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲେ ବି କୌଣସି ସହଯୋଗ ମିଳିଲାନି। ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ଏପରି ଅଭିଯୋଗ କରାଯାଇଛି। ଦଳ ପକ୍ଷରୁ ଏକ ପ୍ରେସ୍‌ ବିବୃତି ଜାରି କରି କୁହାଯାଇଛି, ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକମାନଙ୍କ ରେଳ ଭଡ଼ା ବହନ ପାଇଁ ଅନୁମତି ପ୍ରଦାନ କରିବାକୁ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପିସିସି ସାଧାରଣ ସମ୍ପାଦକ ଜ୍ଞାନଦେବ ବେଉରା ଗତ ୧୪ ତାରିଖରେ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରାଙ୍କୁ ଚିଠି ଲେଖିଥିଲେ। ଏ ନେଇ ଦଳ ପକ୍ଷରୁ ଏକ ହେଲ୍ପ ଲାଇନ୍‌ ନମ୍ବର ବି ଜାରି କରାଯାଇଥିଲା। ଶତାଧିକ ପ୍ରବାସୀ ଓଡ଼ିଆ ଏହି ନମ୍ବରରେ ଯୋଗାଯୋଗ କରିଛନ୍ତି । କିନ୍ତୁ ଚିଠି ପାଇବାର ୫ ଦିନ ପରେ ବି ଗୃହ ବିଭାଗ ପ୍ରମୁଖ ସଚିବ ଶ୍ରୀ ଚୋପ୍ରା କୌଣସି ଉତ୍ତର ରଖିଲେ ନାହିଁ। ଏଥିରୁ ସ୍ପଷ୍ଟ ଅନୁମେୟ, ଫସି ରହିଥିବା ଓଡ଼ିଆ ଭାଇଭଉଣୀମାନଙ୍କୁ ଉଦ୍ଧାର କରିବା ପାଇଁ ସରକାରଙ୍କ ତତ୍ପରତା ନାହିଁ। ସରକାରଙ୍କ ଏପରି ଆଚରଣକୁ ଅତି ଦୃଢ଼ ସ୍ବରରେ ଦଳ ପକ୍ଷରୁ ନିନ୍ଦା କରାଯାଇଛି।

ସମ୍ବନ୍ଧିତ ଖବର