ସରପଞ୍ଚଙ୍କ କ୍ଷମତା ପ୍ରତ୍ୟାହାର ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ

ପ୍ରବାସୀ ଶ୍ରମିକଙ୍କ ନମୁନା ପରୀକ୍ଷା କରି ରାଜ୍ୟକୁ ଆଣ: ସୁର ରାଉତରାୟ
ଆଦିବାସୀ ଓ ହରିଜନ ଅଞ୍ଚଳରେ ସରକାରଙ୍କ ସହାୟତା ପହଞ୍ଚୁନି

ଭୁବନେଶ୍ବର : କରୋନା ମୁକାବିଲା ଓ ପ୍ରତିହତ ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଯାଇଛି। ଅଥଚ ଆଜିକୁ ଠିକ୍‌ ମାସକ ତଳେ ମୁଖ୍ୟ ଶାସନ ସଚିବ ସେମାନଙ୍କଠାରୁ ସବୁ କ୍ଷମତା ପ୍ରତ୍ୟାହାର କରିନେଇଛନ୍ତି। ଆଜି ଏପରି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ। ବାହାର ରାଜ୍ୟରେ ଥିବା ଓଡ଼ିଆ ଶ୍ରମିକମାନଙ୍କ ସେହିଠାରେ ନମୁନା ପରୀକ୍ଷା କରି ରାଜ୍ୟକୁ ଫେରେଇ ଆଣିଲେ ଭଲ ବୋଲି ସେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ଶ୍ରୀ ରାଉତରାୟ କହିଥିଲେ, ସରକାର ସରପଞ୍ଚମାନଙ୍କୁ ୨୯ଟି ବିଭାଗର କାର୍ଯ୍ୟ ସମ୍ପାଦନ କରିବାକୁ କ୍ଷମତା ପ୍ରଦାନ କରିଥିଲେ। କିନ୍ତୁ ଏବେ ସେମାନଙ୍କ ପାଖରୁ ଏସବୁ କ୍ଷମତା ପ୍ରତ୍ୟାହାର କରି ନିଆଯାଇଛି। ଏବେ ଜେଇମାନେ ପଞ୍ଚାୟତରେ ସର୍ବେସର୍ବା ସାଜିଛନ୍ତି। ଗ୍ରାମ ସଭା ଜରିଆରେ ପ୍ରତ୍ୟେକ ଉନ୍ନୟନ କାମ ସରପଞ୍ଚ ବାଣ୍ଟୁଥିଲେ, ଆଉ ସେ କ୍ଷମତା ସେମାନଙ୍କ ପାଖରେ ନାହିଁ। କାମ ସରିବା ପରେ ସରପଞ୍ଚଙ୍କର ଦସ୍ତଖତ ଦରକାର ପଡ଼ୁଥିଲା କିନ୍ତୁ ଏପରି ବ୍ୟବସ୍ଥା ଆଉ ନାହିଁ। ତୁରନ୍ତ ସରପଞ୍ଚମାନଙ୍କୁ ସେମାନେ ପୂର୍ବରୁ ପାଇଥିବା କ୍ଷମତା ପୁନରାୟ ଫେରେଇ ଦେବାକୁ ସେ ଦାବି କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡ଼ା ପଦକ୍ଷେପ ଯୋଗୁଁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି। ଏଥିପାଇଁ ଶ୍ରୀ ରାଉତରାୟ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଥିଲେ। କହିଥିଲେ, ପ୍ରବାସୀ ଶ୍ରମିକମାନଙ୍କୁ ଆଣିବା ପୂର୍ବରୁ ସେମାନଙ୍କ ରକ୍ତ ପରୀକ୍ଷା ସେହି ରାଜ୍ୟରେ କରାଯାଉ। ଯଦି କେହି କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହେବେ, ତାହେଲେ ସେହିଠାରେ ତାଙ୍କର ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଉ। ସୁସ୍ଥ ହୋଇସାରିବା ପରେ ତାଙ୍କୁ ରାଜ୍ୟକୁ ଅଣାଯାଉ। ନଚେତ୍‌ ସଂକ୍ରମିତ ହୋଇ ରାଜ୍ୟକୁ ଫେରିଲେ ରାଜ୍ୟର ସ୍ଥିତି ବିଗିଡ଼ିଯିବ।

କରୋନା ସମୟରେ ସବୁ ଗରିବଙ୍କ ପାଇଁ ସରକାର ବିଭିନ୍ନ ସହାୟତା ଯୋଜନା କରିଛନ୍ତି। କିନ୍ତୁ ଆଦିବାସୀ ଓ ହରିଜନ ଅଞ୍ଚଳରେ ସରକାରଙ୍କ ସହାୟତା ପହଞ୍ଚୁନି। ସେଥିପାଇଁ ସରକାର ଧ୍ୟାନ ଦିଅନ୍ତୁ। ଯେଉଁ ସ୍ଥାନରେ ଆଦୌ କରୋନାର ପ୍ରକୋପ ନାହିଁ କିମ୍ବା ସମ୍ପୂର୍ଣ୍ଣ କମିଗଲାଣି ସେସବୁ ଅଞ୍ଚଳରେ ଚା, ଜଳଖିଆ, ଅନ୍ୟ ଛୋଟମୋଟ ଦୋକାନୀମାନଙ୍କୁ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରିବାକୁ ଶ୍ରୀ ରାଉତରାୟ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର