କାହା ସ୍ବାର୍ଥରେ ନିଜ ହକ୍‌ ଛାଡ଼ୁଛନ୍ତି ରାଜ୍ୟ ସରକାର: କଂଗ୍ରେସ

ଭୁବନେଶ୍ବର : ଜିଏସଟି କ୍ଷତି ପୂରଣ ପାଇବା ରାଜ୍ୟ ସରକାରମାନଙ୍କ ସାମ୍ବିଧାନିକ ଅଧିକାର। କିନ୍ତୁ କରୋନା ଯୋଗୁ ଅର୍ଥନୀତି ପ୍ରଭାବିତ ହୋଇଥିବା ଦର୍ଶାଇ କେନ୍ଦ୍ର ସରକାର ଏବେ ଏହା ଦେବାକୁ ମନା କରିଦେଇଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଓଡ଼ିଶା କ୍ଷତିପୂରଣ ବାବଦରେ ୧୨୦୦ କୋଟି ଟଙ୍କା ପାଇନାହିଁ। ଅଥଚ ଏ ବାବଦରେ ରାଜ୍ୟ ସରକାର ଚୁପ୍‌ ବସିଛନ୍ତି। କାହିଁକି ଓ କାହା ସ୍ବାର୍ଥରେ ସରକାରଙ୍କ ଏପରି ନିରବତା? ଆଜି ସ୍ଥାନୀୟ କଂଗ୍ରେସ ଭବନରେ ସମ୍ବାଦିକ ସମ୍ମିଳନୀ କରି ଏପରି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ। ଏ ନେଇ ସେ ରାଜ୍ୟ ସରକାରଙ୍କଠାରୁ ଏକ ସ୍ପଷ୍ଟୀକରଣ ଦାବି କରିଛନ୍ତି।

ଶ୍ରୀ କାନୁନ୍‌ଗୋ କହିଛନ୍ତି, ୨୦୧୭ ମସିହାରେ ତରବରିଆ ଭାବେ ମୋଦୀ ସରକାର ସାରା ଦେଶରେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ଟିକସ’ ବ୍ୟବସ୍ଥା ନ୍ୟାୟରେ ଜିଏସ୍‌ଟି ଲାଗୁ କରିଦେଲେ। ସେତେବେଳେ ବହୁ ଅର୍ଥନୀତିଜ୍ଞ, ବୁଦ୍ଧୀଜୀବିଙ୍କ ସମେତ କଂଗ୍ରେସ ଦଳ ଏହାକୁ ବିରୋଧ କରିଥିଲା। କେନ୍ଦ୍ରକୁ ସହମତି ଜଣାଇ ଓଡ଼ିଶାରେ ଲାଗୁ କରିବା ପାଇଁ ମଧ୍ୟ ରାଜ୍ୟ ସରକାର ବିଧାନସଭାର ସମ୍ମତି ନେଲେ ଓ ଓଡ଼ିଶା ଜିଏସ୍‌ଟି ଆଇନ ପାରିତ କଲେ। ସେତେବେଳେ ବି ଏହାର ପରିଣାମ ବିଷୟରେ ଓଡ଼ିଶା ସରକାରଙ୍କୁ ସତର୍କ କରି ଦିଆଯାଇଥିଲା। କିନ୍ତୁ ସରକାର କାହାରି କଥାକୁ ଶୁଣିଲେ ନାହିଁ। ଏବେ ନିଜର ନ୍ୟାଯ୍ୟ ହକ୍‌ ପାଇପାରୁନାହାନ୍ତି। ଜିଏସ୍‌ଟି ସର୍ତ୍ତ ଅନୁଯାୟୀ, ଯେଉଁ ରାଜ୍ୟ ୨୦୨୨ ପର୍ଯ୍ୟନ୍ତ ନିଜସ୍ବ ଟିକସ ଆୟର ଅଭିବୃଦ୍ଧି ହାର ୧୪% ଛୁଇଁବ ନାହିଁ, ସେଥିପାଇଁ ପ୍ରତି ଦୁଇ ମାସରେ କେନ୍ଦ୍ର ସରକାର କ୍ଷତି ପୂରଣ ଭରଣା କରିବେ। ସିଏଜିଙ୍କ ହିସାବ ଅନୁଯାୟୀ ଏଥିରେ କମ୍‌ ବେଶୀ ହେବାରୁ ଜିଏସ୍‌ଟି ସେସ୍‌ ବ୍ୟବସ୍ଥା ପ୍ରଚଳନ କରାଗଲା। କିନ୍ତୁ ୨୦୧୮-୧୯ ଓ ୨୦୧୯-୨୦ ମସିହାରେ କେନ୍ଦ୍ର ସରକାର ଏହି ପ୍ରତିଶ୍ରୁତି ଭଙ୍ଗ କଲେ। କିନ୍ତୁ ଦୁଃଖର ସହ କହିବାକୁ ପଡ଼ୁଛି ରାଜ୍ୟ ଗତବର୍ଷର ପ୍ରାପ୍ୟ ଏବେସୁଦ୍ଧା ପାଇନାହିଁ।

ସେ ଆହୁରି କହିଛନ୍ତି ଚଳିତ ଆର୍ଥିକ ବର୍ଷର ୪ ମାସ ଅର୍ଥାତ୍ ଦୁଇଟି କିସ୍ତି ବାବଦରେ ରାଜ୍ୟ କ୍ଷତିପୂରଣ ବାବଦରେ ୫ ହଜାର ୫୦୦ କୋଟି ଟଙ୍କା ପାଇବ। ଅନ୍ୟ ରାଜ୍ୟମାନେ ଏହି କ୍ଷତିପୂରଣ ଟଙ୍କା ନେଇ କେନ୍ଦ୍ର ସରକାରଙ୍କୁ ଦାବି ଜଣାଇସାରିଲେଣି। ଅଥଚ ଆମ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ କିଛି ବି ପଦୁଟିଏ ମୁହଁ ଖୋଲିନାହାନ୍ତି। ଆଉ ଗୋଟିଏ ଆଶ୍ଚର୍ଯ୍ୟ କଥା ହେଉଛି, ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିସ୍‌ ଅନୁଯାୟୀ ରାଜ୍ୟମାନଙ୍କ ପାଇଁ ୪୨% ଆବଣ୍ଟନ ପ୍ରକ୍ରିୟା ଜାରି ରହିଥିଲା। କିନ୍ତୁ ଏବେ ସେଥିରୁ କେନ୍ଦ୍ର ସରକାର ୧% କାଟି ଦେଇଛନ୍ତି। ତଥାପି ରାଜ୍ୟ ସରକାର ପ୍ରତିବାଦ କରୁନାହାନ୍ତି। ମହାମାରୀ ଓ ବିପର୍ଯ୍ୟୟକୁ ଆଳ କରି ରାଜ୍ୟର ନ୍ୟାଯ୍ୟ ହକ୍‌କୁ କାଟି ଦେବା ସମ୍ବିଧାନର କେଉଁ ଧାରାରେ ଲେଖା ଅଛି ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଶ୍ନ କରିଛନ୍ତି।

କଂଗ୍ରେସ ନେତା ପ୍ରଶାନ୍ତ ଶତପଥୀ କହିଛନ୍ତି, କେନ୍ଦ୍ର ସରକାର ଜିଏସ୍‌ଟି ଆଇନର ଖୋଲାଖୋଲି ଉଲଂଘନ କରିଛନ୍ତି। ଓଡିଶା ସରକାର ଏହା ବିରୋଧରେ ତୁରନ୍ତ ସ୍ବର ଉଠାଇବାକୁ ଶ୍ରୀ ଶତପଥୀ ଆହ୍ବାନ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଜ୍ଞାନ ଦେବ ବେଉରା, ଚିନ୍ମୟ ସୁନ୍ଦର ଦାସ, ସଞ୍ଜୀବ ମହାନ୍ତି ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର