ମମିତାଙ୍କ ବାପା-ମାଆଙ୍କ ଭିଡିଓ ଟ୍ୱିଟକୁ ନେଇ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଘେରିଲା କଂଗ୍ରେସ

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କୁ ଘେରିଲା କଂଗ୍ରେସ । ମମିତାଙ୍କ ବାପା-ମାଆଙ୍କ ଏକ ଭିଡିଓ ଟ୍ୱିଟ୍ କରିଥିଲେ ମନ୍ତ୍ରୀ ଟୁକୁନି ସାହୁ । ଏହି ଭିଡିଓ ପୋଷ୍ଟ କରିବା ପାଇଁ ମନ୍ତ୍ରୀଙ୍କୁ କିଏ କହିଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ । ମନ୍ତ୍ରୀ ମମିତାଙ୍କ ପରିବାରଠାରୁ ଭିଡିଓ କିପରି ଆଣିଲେ, କେଉଁଠୁ ଆଣି ଭିଡିଓ ପୋଷ୍ଟ କଲେ, ମନ୍ତ୍ରୀଙ୍କଠାରୁ ତାର ଉତ୍ତର ମାଗିଛି ଦଳ ।

ଏହା ସହ କଂଗ୍ରେସ କହିଛି, ଯିଏ ଦୋଷ କରିଥାଏ ସେ ଦୋଷ ଲୁଚାଇବା ପାଇଁ ସବୁବେଳେ ପ୍ରମାଣ ମାଗିଥାଏ । ସେହିଭଳି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବେ ପ୍ରମାଣ ମାଗୁଛନ୍ତି । ପ୍ରମାଣ ନଷ୍ଟ କରି ସାରିବା ପରେ ବିଜେଡି ପ୍ରମାଣ ମାଗୁଛି । ତେଣୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପଲିଗ୍ରାଫ୍ ଟେଷ୍ଟ କରାଯାଉ । ଏହା ସହ କଳାହାଣ୍ଡି ଏସପି, ବଲାଙ୍ଗିର ଏସପି ଓ ଉତରାଂଚଳ ଡିଆଇଜିଙ୍କ ପଲିଗ୍ରାଫ୍ ଟେଷ୍ଟ କରିବାକୁ ଦଳ ଦାବି କରିଛି ।

ଦୁଇ ଦିନ ତଳେ ମାହାଙ୍ଗା ଡବଲ ମର୍ଡର ମାମଲାରେ ସାଲେପୁର କୋର୍ଟ ସମସ୍ତ ଅଭିଯୁକ୍ତଙ୍କ ସିଡିଆର ଯାଂଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ମମିତା ହତ୍ୟା ମାମଲାରେ ମଧ୍ୟ ସମସ୍ତଙ୍କ ସିଡିଆର ଯାଂଚ କରାଯାଉ ବୋଲି ଦଳ ଦାବି କରିଛି । ଏଥି ସହ ଦିବ୍ୟଶଙ୍କର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରି ହାଇକୋର୍ଟଙ୍କ ତତ୍ୱାବଧାନରେ ଗଠିତ ଏସ୍ଆଇଟି ତଦନ୍ତ କରିବାକୁ ଦାବି କରିଛି କଂଗ୍ରେସ ।

ସମ୍ବନ୍ଧିତ ଖବର